ଦୟାନିଧି ତ୍ରିପାଠୀଙ୍କ ସ୍ଵତନ୍ତ୍ର ଉପସ୍ଥାପନା
ଜୟ ଜଗନ୍ନାଥ ଓଁ ନମୋ ଭଗବତେ ବାସୁଦେବାୟ।
ପରଂବ୍ରହ୍ମ ଶ୍ରୀଜଗନ୍ନାଥଙ୍କ ପୌରାଣିକ ଗାଥା ଆଲୋଚନା ଜାରି ରହିଛି। ରାଜା ଇନ୍ଦ୍ରଦ୍ୟୁମ୍ନଙ୍କ ସ୍ୱତନ୍ତ୍ର ଦୂତ ବ୍ରlହ୍ମଣ ବିଦ୍ୟାପତି ଦର୍ଶନ କରିଛନ୍ତି ପ୍ରଭୁ “ନୀଳମାଧବ “ଙ୍କୁ। ଏହା ପୂର୍ବରୁ ସେ ସ୍ନାନ କରିଛନ୍ତି ରୋହିଣୀ କୁଣ୍ଡର ପବିତ୍ର ଜଳରେ। ପୁଣ୍ୟ ତୀର୍ଥରେ ସ୍ନାନ ଓ ପରଂବ୍ରହ୍ମଙ୍କ ଦର୍ଶନ, ମନରେ ତାଙ୍କର ଅପୂର୍ବ ପୁଲକିତ ଭାବ, ଏହି ସମୟରେ ବିଶ୍ୱାବସୁ ଶବର ରାଜ ପ୍ରଦାନ କରୁଛନ୍ତି ସ୍ୱାଦିଷ୍ଟ ପ୍ରସାଦ ପ୍ରଭୁ ନୀଳମାଧବଙ୍କର। ଭାବାବେଶରେ ପ୍ରସାଦ ସେବନ କରୁ କରୁ ବିଦ୍ୟାପତି ଚିନ୍ତା କରୁଛନ୍ତି ଏ ଆଗମ୍ୟ ବିପଦ ଶଙ୍କୁଳ ନୀଳ ପର୍ବତରେ ଏତେ ସ୍ୱାଦିଷ୍ଟ ଫଳମୂଳ ଆସିଲା କେଉଁଠୁ। ସ୍ମିତହସି ବିଶ୍ୱାବସୁ ଉତ୍ତର ଦେଉଛନ୍ତି ହେ ବିଦ୍ୱାନ ବ୍ରlହ୍ମଣ ଆପଣଙ୍କ ମନର ଶଙ୍କା ମୁଁ ବୁଝି ପାରୁଛି ।” ଏ ପ୍ରସାଦ ମୁଁ ନୁହେଁ ଦେବତାମାନେ ପ୍ରଦାନ କରିଛନ୍ତି। ଭକ୍ତିରେ ଗଦ ଗଦ ହୋଇ ବିଦ୍ୟାପତି ପ୍ରସାଦ ସେବନ କରି ଦେହ ଓ ମନର କ୍ଲାନ୍ତି ମେଣ୍ଟାଇ ସରିବା ପରେ ଅନୁରୋଧ କରୁଛନ୍ତି ବିଶ୍ୱାବସୁଙ୍କୁ “ହେ ଶବରରାଜ, ତୁମେ ଅତ୍ୟନ୍ତ ପୁଣ୍ୟବନ୍ତ, ତେଣୁ ପ୍ରଭୁ ନୀଳମାଧବଙ୍କ ସେବା ପୂଜା କରିବାର ସୌଭାଗ୍ୟ ଆପଣ ଲାଭ କରିଛନ୍ତି। ଦୟାକରି ମୋତେ ପ୍ରଭୁଙ୍କ ଅଙ୍ଗ ଲାଗି ପୁଷ୍ପ ମାଳାଟିଏ ପ୍ରଦାନ କରନ୍ତୁ। ମୁଁ ଏହାକୁ ମୋ ଦର୍ଶନର ସାକ୍ଷୀ ସ୍ୱରୂପ ମହାରାଜ ଇନ୍ଦ୍ରଦ୍ୟୁମ୍ନଙ୍କ ନିକଟକୁ ନେବି। “ତାହାହିଁ ହୋଇଛି ବିଶ୍ୱାବସୁଙ୍କ ଦ୍ୱାରା ପ୍ରଦତ୍ତ ପ୍ରଭୁଙ୍କ ଗଳାର ମାଳାଟିଏ ଧରି ବାହୁଡ଼ିଛନ୍ତି ବିଦ୍ୟାପତି ଅବନ୍ତୀ ଅଭିମୁଖେ। ଏହା ସ୍କନ୍ଦ ପୁରାଣର ବର୍ଣ୍ଣନା, କିନ୍ତୁ ଅନ୍ୟ ଗ୍ରନ୍ଥର ବର୍ଣ୍ଣନା ଟିକିଏ ଭିନ୍ନ ପ୍ରକାର। ଏଠାରେ ପ୍ରାଣପ୍ରିୟା ଲଳିତା ନିଜ ବାପାଙ୍କ କଠୋରତା ଜାଣି, ସ୍ୱାମୀ ବିଦ୍ୟାପତିଙ୍କ କାନିରେ ବାନ୍ଧି ଦେଇଛି ପୁଳାଏ ସୋରିଷ, କରିଛି କ୍ଷୁଦ୍ର ରନ୍ଦ୍ରଟିଏ। ଆଖିରେ ଅନ୍ଧପୁଟୁଳି ବାନ୍ଧି ଚାଲିଛନ୍ତି ବିଦ୍ୟାପତି ଓ ପଥଧାରରେ ବିଞ୍ଚି ହେଉଛି ସୋରିଷ ଗୋଟି ଗୋଟି ହୋଇ। ଲକ୍ଷ୍ୟ ରହିଛି ପ୍ରଥମ ବର୍ଷାର ସ୍ପର୍ଶରେ ଉଠିବ ସୋରିଷ ଗଛ ଓ ଫୁଟିବ ଫୁଲ ଆଉ ସେତେବେଳେ ମହାରାଜା ଇନ୍ଦ୍ରଦ୍ୟୁମ୍ନଙ୍କୁ ପଥ କଢାଇ ନେବାରେ ଏହା ହେବ ସହାୟକ। ସେଥିପାଇଁ କବି ମଧ୍ୟ ରଚନା କରିବ ।
“ସେଇ ସୋରିଷ ଫୁଲର ପଥେ
ଘେନିଯିବ ହେ ପ୍ରଭୁ ମୋତେ ।”
ବିଦ୍ୟାପତି ଏଭଳି କାମନା କରି ଫେରିଛନ୍ତି ଅବନ୍ତୀ। ତାଙ୍କଠାରୁ ପ୍ରଭୁ ନୀଳମାଧବଙ୍କ ସନ୍ଦେଶ ପାଇ ରାଜା ଇନ୍ଦ୍ରଦ୍ୟୁମ୍ନ ହୋଇଛନ୍ତି ଆନମନା, ମନେ ମନେ ପ୍ରଭୁଙ୍କର ଆରାଧନା କରି, ନୀଳାଚଳ ଅଭିମୁଖେ ଯାତ୍ରା ପାଇଁ ଦେଇଛନ୍ତି ଆଦେଶ। ତାପରେ କଣ ଘଟିଛି ଜାଣିବା ଆଗାମୀ ଅଧ୍ୟାୟରେ। ଏବେ ଆରାଧନା ।
“ପାଦୌ ଯସ୍ୟ ଧରାନ୍ତରିକ୍ଷମଖିଳଂ ନାଭିସ୍ତୁ ସର୍ବାଦିଶଃ, ଶ୍ରୋତେ ନେତ୍ରଯୁଗମ ରବୀନ୍ଦ୍ରଯୁଗଳଂ ମୁର୍ଦ୍ଧlପିଚ ଦ୍ୟୋରସୌ ।”
ଜୟ ଜଗନ୍ନାଥ (ଦ. ତ୍ରି. ଉବାଚ )