Latest Odisha News

BREAKING NEWS

ଟୀକାକରଣ ପ୍ରମାଣପତ୍ରରେ ଫଟୋ

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ‘ସମୟର ସ୍ୱର’…

କରୋନାର ଦ୍ୱିତୀୟ ତରଙ୍ଗ ଆମ ଦେଶକୁ ଦୋହଲେଇ ଦେଇଥିବା ବେଳେ ତୃତୀୟ ତରଙ୍ଗର ବିପଦ ଏବେ ମୁଣ୍ଡ ଉପରେ । କରୋନାର
ହାହାକାରରୁ ରକ୍ଷା ପାଇବା ପାଇଁ ଜନସଂଖ୍ୟାର ସଂପୂର୍ଣ୍ଣ ଟୀକାକରଣ ହିଁ ଏକମାତ୍ର ଉପାୟ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି । ବିଶ୍ୱର ଅନେକ ଦେଶ ସଂପୂର୍ଣ୍ଣ ଟୀକାକରଣ ପ୍ରକ୍ରିୟାରେ ଗୁରୁତ୍ୱର ସହିତ ଲାଗିପଡ଼ିଛନ୍ତି । କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ ଆମ ଦେଶ ଟୀକାକରଣ ହାରରେ ଅନ୍ୟ ଦେଶ ଗୁଡ଼ିକ ତୁଳନାରେ ବହୁତ ପଛରେ ପଡ଼ିଛି । ଅବଶ୍ୟ ଏକାଧିକ ରାଜ୍ୟ ସରକାରଙ୍କ ଦାବି ଓ ସୁପ୍ରିମ୍ କୋର୍ଟଙ୍କ ତାଗିଦ୍ ପରେ କେନ୍ଦ୍ର ସରକାରଙ୍କ ତରଫରୁ ଲୋକମାନଙ୍କ ପାଇଁ ଟୀକାକରଣ ପ୍ରକ୍ରିୟାକୁ ମାଗେଣା ଓ ଦ୍ରୁତ କରାଯାଇଛି ।

ସମ୍ପ୍ରତି  କରୋନାର ହାହାକାର ସହିତ ଟୀକାକରଣ ପରେ ଲୋକମାନଙ୍କୁ ମିଳୁଥିବା ଡିଜିଟାଲ ପ୍ରମାଣ ପତ୍ରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ
ଫଟୋକୁ ନେଇ ଆମ ଦେଶରେ ରାଜନୀତି ଜୋର୍ ଧରଛି । ଜନ୍ମ ହେଉ କି ମୃତ୍ୟୁ, ଉତ୍ସବ ହେଉ କି ମହାମାରୀ, ପ୍ରତ୍ୟେକ ଜିନିଷ ସହିତ ରାଜନୀତିକୁ ଯୋଡ଼ିବାରେ ଆମ ନେତାମାନେ ସିଦ୍ଧହସ୍ତ ବୋଲି ପୁଣି ଥରେ ପ୍ରମାଣିତ ହୋଇଛି । କରୋନା ମହାମାରୀ ସମୟରେ ରାଜନୀତି ରୁଟି ସେକିବାକୁ ନେତାମାନଙ୍କୁ ଟିକେ ବି ଲାଜ ଲାଗୁନାହିଁ ।

ପଣ୍ଡିଚେରୀର ଜଣେ ବ୍ୟକ୍ତି ନିଜ ଟୁଇଟରରେ ଟୀକାକରଣ ପ୍ରମାଣପତ୍ରର ଫଟୋ ପୋଷ୍ଟ କରି ଲେଖିଛନ୍ତି ଯେ, ‘ମୋଦି ସାର୍ ଜାଣନ୍ତି,
କଣ କରିବାକୁ ହେବ, କେତେବେଳେ କରିବାକୁ ହେବ ଓ କିପରି କରିବାକୁ ହେବ’ । ଏହି ଛଦ୍ମ ପ୍ରଶଂସା ଭିତରେ ପ୍ରଧାନମନ୍ତ୍ରୀଙ୍କ ବିଜ୍ଞାପନ
ପ୍ରବଣତାକୁ ନେଇ ଏକ କଟୁ ସମାଲୋଚନା ଲୁଚିରହିଛି ବୋଲି ବୁଝିବାରେ ବାକି ନାହିଁ । ନିଜକୁ ପ୍ରଚାର ଓ ବିଜ୍ଞପିତ କରେଇବାରେ ପ୍ରଧାନମନ୍ତ୍ରୀ ମୋଦି ଯେ ଆଦୌ ପଛଘୁଂଚା ଦିଅନ୍ତି ନାହିଁ ତାହା ସେ ପୁଣି ଥରେ ପ୍ରମାଣ କରିଛନ୍ତି । କୋ-ୱିନ୍ ଆପ୍‌ରୁ ବାହାରୁଥିବା ଏ-ଫୋର ସାଇଜ୍‌ର ଏହି ଡିଜିଟାଲ ପ୍ରମାଣ ପତ୍ରରେ ହତାଧିକାରୀଙ୍କ ବିବରଣୀ ସହିତ କରୋନା ସଚେତନତା ବାର୍ତା ଯଥା ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ଆଦି ସହିତ ତଳଭାଗକୁ ମୋଦିଙ୍କର ଫଟୋ ରହିଛି । ଟୀକାକରଣ ପ୍ରମାଣପତ୍ରରେ ମୋଦିଙ୍କ ଫଟୋ ରହିବାକୁ ନେଇ ପଞ୍ଜାବ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ରାଜସ୍ଥାନ, ଛତିଶଗଡ଼୍‌, କେରଳ, ତାମିଲନାଡ଼ୁ ଆଦି ରାଜ୍ୟର ମନ୍ତ୍ରୀମାନେ ଦୃଢ଼ ନିନ୍ଦା କରିଛନ୍ତି । ପଞ୍ଜାବର ଜଣେ ମନ୍ତ୍ରୀ କହିଛନ୍ତି, ଏହା ଆତ୍ମପ୍ରଚାରର ସର୍ବୋଚ୍ଚ ସୀମା ଟପିଗଲା । ଦେଶରେ ପ୍ରତିଦିନ ହଜାର ହଜାର ଲୋକ ମରୁଥିବା ବେଳେ ଟୀକାକରଣ ପ୍ରମାଣପତ୍ରରେ ପ୍ରଧାନମନ୍ତ୍ରୀ ତାଙ୍କ ଫଟୋ ଛାପି ଲୋକଙ୍କ ଅସହାୟତାରୁ ଭୋଟ୍ ଯୋଗାଡ଼ିବାରେ ଅଛନ୍ତି ।

ସମ୍ପ୍ରତି ଓଡ଼ିଶାରେ ମଧ୍ୟ ଟୀକାକରଣ ପ୍ରମାଣ ପତ୍ରରେ ମୋଦିଙ୍କ ଫଟୋ ଓ ଟୀକାକରଣ କେନ୍ଦ୍ରରେ ମୋଦି କିମ୍ବା ନବୀନଙ୍କ ଫଟୋ ରହିବ ଏହାକୁ ନେଇ ରାଜନୀତି ଗରମ ଧରିଛି । କରୋନା ନିୟନ୍ତ୍ରଣ ଠାରୁ ଟୀକାକଣ ପ୍ରମାଣପତ୍ରର ଫଟୋ ଏବେ ଗଣମାଧ୍ୟମରେ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହୋଇଯାଇଛି ।

ପ୍ରଧାନମନ୍ତ୍ରୀଙ୍କ ଫଟୋ ସାଧାରଣତଃ କେନ୍ଦ୍ର ସରକାରଙ୍କ ଯୋଜନାର ବିଜ୍ଞାପନରେ ବ୍ୟବହାର ହୋଇଥାଏ । କିନ୍ତୁ ସରକାରଙ୍କ ତରଫରୁ ବ୍ୟକ୍ତିଗତ ହିତାଧିକାରୀଙ୍କୁ ଦିଆଯାଉଥିବା ପ୍ରମାଣପତ୍ରରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ଛାପିବା ଏବେ ନୂଆ ଭାରତର ନୂଆ ଘଟଣା ହୋଇଛି। ଅବଶ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କର ଆତ୍ମପ୍ରଚାର ମାନିଆ ଗୁଜୁରାଟର ଏକ ଷ୍ଟାଡ଼ିୟମ୍‌କୁ ନିଜ ନାମରେ ନାମିତ କରିବାରୁ ପ୍ରମାଣ ମିଳିଥିଲା । ସେ ବୋଧେ ଏପରି କରିବାରେ ପ୍ରଥମ ପ୍ରଧାନମନ୍ତ୍ରୀ ହେବେ । ଟୀକାକରଣ ପ୍ରମାଣପତ୍ରରେ ମୋଦିଙ୍କ ଫଟୋ ରହିବାକୁ ନେଇ ବିଭିନ୍ନ ସ୍ତରରୁ ବାରମ୍ବାର ବିରୋଧ ହେବା ସତ୍ୱେ ମଧ୍ୟ ସେ ତାଙ୍କ ଆତ୍ମପ୍ରଚାରରୁ ଓହରିବାକୁ ଚାହୁଁନାହାନ୍ତି । କରୋନା ଟୀକା ସାଧାରଣ ଲୋକଙ୍କ କର ଟଙ୍କାରେ କିଣା ହେଉଛି । ଏହା ସାଧାରଣ ଲୋକଙ୍କ ଅଧିକାର । ଟୀକାକରଣ ପ୍ରମାଣ ପତ୍ରରେ କାହାରି ଫଟୋ ରହିବା କଥା ନୁହେଁ, କେବଳ କରୋନାକୁ ନେଇ ସଚେତନତା ବାର୍ତା ରହିବା ଉଚିତ । ଯଦି କାହାର ଫଟୋ ରହିବା କଥା ହୁଏ, ତେବେ ଜାତୀୟ ପ୍ରତୀକ ଅଶୋକ ଚକ୍ରର ଛବି ରହିବା ଅଧିକ ଉଚିତ୍ ହୋଇଥାନ୍ତା । ପ୍ରଧାନମନ୍ତ୍ରୀ ନିଜର ଫଟୋ ରଖି ନିଜର ଭୋଟ୍ ଲୋଭ ଓ ଆତ୍ମସର୍ବସ୍ୱ ମାନସିକତାର ପରିଚୟ ଦେଉଛନ୍ତି । ବିହାରର ପୂର୍ବତନ ମୂଖ୍ୟମନ୍ତ୍ରୀ ତଥା ହିନ୍ଦୁସ୍ଥାନୀ ଆୱାମୀ ମୋର୍ଚ୍ଚା ଦଳର ସଭାପତି ଜିତନ୍‌ରାମ ମାନ୍‌ଝି ଆଉ ପାଦେ ଆଗେଇ ଯାଇ କହିଛନ୍ତି ଯେ, ଯଦି ମୋଦିଙ୍କ ଫଟୋ କରୋନା ଟୀକାକରଣ ପ୍ରମାଣପ୍ରତରେ ରହୁଛି, ତେବେ କରୋନାରେ ମୃତ୍ୟୁବରଣ କରୁଥିବା ବ୍ୟକ୍ତିଙ୍କ ମୃତ୍ୟୁ ପ୍ରମାଣପତ୍ରରେ ମଧ୍ୟ ତାଙ୍କ ଫଟୋ ରହୁ ।

ନରେନ୍ଦ୍ର ମୋଦି ହିଁ ସାରା ବିଶ୍ୱରେ ଏକମାତ୍ର ପ୍ରଧାନମନ୍ତ୍ରୀ ଯିଏ ଟୀକାକରଣ ପ୍ରମାଣପତ୍ରକୁ ନିଜର ପ୍ରଚାରପତ୍ର ଭାବେ
ବ୍ୟବହାର କରି ସେଥିରେ ନିଜ ଫଟୋ ରଖିଛନ୍ତି । ମହାମାରୀ ସମୟରେ ଲୋକଙ୍କ ଅସହାୟତାକୁ ରାଜନୀତିକରଣ କରିବାର ଏହା ନିକୃଷ୍ଟ ପ୍ରଦର୍ଶନ ।

ଅନ୍ୟ ଅର୍ଥରେ କହିଲେ ଲୋକଙ୍କ କର ଟଙ୍କାରେ ହେଉଥିବା ଟୀକାକରଣକୁ ନିଜ ନାମରେ କରି ତଥା ଟୀକାକରଣ ପ୍ରମାଣପତ୍ରରେ ନିଜ ଫଟୋ ରଖି, ନିଜ ଦଳ ଆଡ଼କୁ ଭୋଟ୍ ଟାଣିବାର ପ୍ରୟାସରେ ପ୍ରଧାନମନ୍ତ୍ରୀ ମୋଦି ଟିକେ ବି ହେଳା କରିବାକୁ ଚାହୁଁନାହାନ୍ତି । ଆମେରିକାର ଟୀକାକରଣ ପ୍ରମାଣପତ୍ରରେ କୌଣସି ବ୍ୟକ୍ତିବିଶେଷଙ୍କ ଫଟୋ ନଥାଇ ଯୁକ୍ତରାଷ୍ଟ୍ର ଆମେରିକା ରୋଗ ନିରାକରଣ କେନ୍ଦ୍ରର ଲୋଗୋ ସହିତ ଟୀକାକରଣର ତାରିଖ, ଟୀକାର ଡୋଜ୍ ଓ ସ୍ଥାନ ଆଦିର ସୂଚନା ରହିଛି । ଇସ୍ରାଏଲ୍‌ରେ ଡିସେମ୍ବର ୨୦୨୦ରେ ଦିଆଯାଇଥିବା ଟୀକାକରଣ ପ୍ରମାଣପତ୍ରରେ ବି କୌଣସି ନେତାଙ୍କର ଫଟୋ ନାହିିଁ । ଇଂଲଣ୍ଡର ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ସେବା ଟୀକାକରଣ କାର୍ଡ଼ କେବଳ ଗୋଟିଏ ଭିଜିଟିଙ୍ଗ୍ କାର୍ଡ଼ ସାଇଜ୍‌ର ହୋଇଥିବା ବେଳେ ସେଥିରେ କେବଳ ଗୋଟିଏ ମୁକୁଟର ଚିତ୍ର ଅଛି । ଜର୍ମାନୀର ଟୀକାକରଣ ପ୍ରମାଣ ପତ୍ରରେ କେବଳ କରୋନା ସଚେତନତା ବାର୍ତ୍ତା ରହିଛି । ଏଥିରୁ ପ୍ରମାଣ ମିଳୁଛି, ପ୍ରଧାନମନ୍ତ୍ରୀ ପ୍ରଚାର କରୁଥିବା ନୂଆ ଭାରତ ଓ ଶ୍ରେଷ୍ଠ ଭାରତରେ ଲୋକଙ୍କ ସମସ୍ୟା ଅପେକ୍ଷା ମୋଦିଙ୍କ ଆତ୍ମବନ୍ଦନାକୁ ଅଧିକ ଗୁରୁତ୍ୱ ଦିଆଯାଉଛି ।

ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର-୭୫୪୧୩୮
ମୋ- ୯୪୩୮୪୬୮୪୭୪

Leave A Reply

Your email address will not be published.