ନୂଆଦିଲ୍ଲୀ: ମୋଦିଙ୍କ ସହ ନଜର ଆସିଲେ ମହିଳା କମାଣ୍ଡୋ । ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଘୂରି ବୁଲୁଛି । ଯାହାକୁ ନେଇ ଚର୍ଚ୍ଚା, ଏବେ ମୋଦିଙ୍କ ସୁରକ୍ଷାରେ ମହିଳା ଏସପିଜି କମାଣ୍ଡୋ ନିୟୋଜିତ ହୋଇଛନ୍ତି । ତେବେ କୁହାଯାଉଛି, ଭାଇରାଲ ହେଉଥିବା ଏହି ଫଟୋ ସଂସଦର । ଯେଉଁଥିରେ ଜଣେ ମହିଳା କମାଣ୍ଡୋ ମୋଦିଙ୍କ ପଛରେ ଛିଡା ହୋଇଥିବାର ଦୃଶ୍ୟ ସାମ୍ନାକୁ ଆସିଛି । ଯାହାକୁ ନେଇ ଏହା ଅନୁମାନ କରାଯାଉଛି ଯେ ମୋଦିଙ୍କ ସୁରକ୍ଷା ବାହିନୀରେ ଏହି ମହିଳା କମାଣ୍ଡୋଙ୍କୁ ନିୟୋଜିତ କରାଯାଇଛି ।
ତେବେ ବାସ୍ତବରେ ମୋଦିଙ୍କ ସୁରକ୍ଷାରେ ମହିଳା କମାଣ୍ଡୋଙ୍କୁ ନିଯୁକ୍ତି କରାଯାଇଛି କି ନାହିଁ ସେନେଇ ସ୍ପଷ୍ଟତା ନଥିବା ବେଳେ ଉକ୍ତ ମହିଳା କମାଣ୍ଡୋଙ୍କ କାର୍ଯ୍ୟ କି ତାଙ୍କ ପରିଚୟ ବିଷୟରେ କୌଣସି ସୂଚନା ମିଳିନାହିଁ ।
ତେବେ କହିରଖୁଛୁ, ଏହା ପ୍ରଥମ ନୁହେଁ ଯେ କି ଏସପିଜିରେ କୌଣସି ମହିଳା କମାଣ୍ଡୋ ସାମିଲ ହୋଇଛନ୍ତି । ୨୦୧୫ ପରଠାରୁ ସ୍ପେଶାଲ ପ୍ରୋଟେକ୍ସନ ଗ୍ରୁପରେ ମହିଳା କମାଣ୍ଡୋ ମାନଙ୍କୁ ସାମିଲ କରାଯାଇଆସୁଅଛି । ଏହି କମାଣ୍ଡୋମାନେ ମୁଖ୍ୟତଃ ଯେଉଁ ମହିଳା ଅତିଥି କିମ୍ବା ଭିଜିଟର ଆସନ୍ତି, ସେମାନଙ୍କ ସୁରକ୍ଷାରେ ସଂସଦ ଗେଟରେ ନିୟୋଜିତ ହୋଇଥାନ୍ତି । ଏଥିସହିତ ପ୍ରଧାନମନ୍ତ୍ରୀଙ୍କ ସହିତ ଆସୁଥିବା ମହିଳା ଅତିଥିଙ୍କ ସହ ମଧ୍ୟ ଏମାନଙ୍କୁ ଦେଖିବାକୁ ମିଳିଥାଏ । ଏହା ବ୍ୟତିତ ଏମାନେ ଗେଟ ପାଖରେ ପ୍ରବେଶ ଏବଂ ପ୍ରସ୍ଥାନ ପାଇଁ ମଧ୍ୟ ନିୟୋଜିତ ହୋଇଥାନ୍ତି । ତେବେ ୨୦୧୫ ରୁ ମହିଳା କମାଣ୍ଡୋମାନେ ଏସପିଜିର ସିପିଟି(କ୍ଲୋସ୍ ପ୍ରୋଟେକ୍ସନ ଗ୍ରୁପ୍)ରେ ମଧ୍ୟ ସାମିଲ ହୋଇଆସୁଛନ୍ତି ।
ବର୍ତ୍ତମାନ ପାଖାପାଖି ୧୦୦ ମହିଳା କମାଣ୍ଡୋ ଏସପିଜିରେ ନିୟୋଜିତ ଅଛନ୍ତି । ଏମାନେ ଉଭୟ ସିପିଟି ଏବଂ ଆଡଭାନ୍ସ ସିକ୍ୟୁରିଟିରେ ସହଯୋଗ କରନ୍ତି । ପ୍ରଧାନମନ୍ତ୍ରୀଙ୍କ ବିଦେଶ ଗସ୍ତ ସମୟରେ ମଧ୍ୟ ଆଡଭାନ୍ସ ସିକ୍ୟୁରିଟି ଲାଇଜନ ପାଇଁ ଏହି ମହିଳା କମାଣ୍ଡୋକୁ ପଠାଯାଇଥାଏ । ବିଦେଶରେ ମହିଳା କମାଣ୍ଡୋ ସୁରକ୍ଷା ଦାୟିତ୍ବରେ ଥିବା ଅଧିକାରୀଙ୍କୁ ସହଯୋଗ କରିଥାନ୍ତି ।
ଅନ୍ୟପକ୍ଷରେ ମୋଦିଙ୍କ ସାଙ୍ଗରେ ମହିଳା କମାଣ୍ଡୋଙ୍କୁ ଦେଖି ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି । ମହିଳାମାନେ ଏବେ ସବୁ କ୍ଷେତ୍ରରେ ଅଗ୍ରାଧିକାର ଗ୍ରହଣ କଲେଣି ବୋଲି କୁହାଯାଇଛି ।
Comments are closed.