Latest Odisha News

BREAKING NEWS

ସ୍ଥଗିତ ରହିଲା ପିପିଲି ଉପନିର୍ବାଚନ

ପୁରୀ : କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ବିୟୋଗ ପରେ ସ୍ଥଗିତ ରହିଲା ପିପିଲି ଉପନିର୍ବାଚନ । ଏନେଇ ସୂଚନା ଦେଇଛନ୍ତି ପୁରୀ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ । ଉପନିର୍ବାଚନ ସ୍ଥଗିତ ସମ୍ପର୍କିତ କପି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଓ ନିର୍ବାଚନ କମିଶନଙ୍କୁ ପଠାଯାଇଛି । ଏଥିସହ ଆସନ୍ତାକାଲି ଆସିବାକୁ ଥିବା ପୋଲିଂ କର୍ମଚାରୀଙ୍କୁ ନଆସିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ ପରବର୍ତ୍ତି ସୂଚନା ଆସିବା ପରେ ଯାହା କିଛି ନିଷ୍ପତ୍ତି ନିଆଯିବ ବୋଲି ପୁରୀ ଅତିରିକ୍ତ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ଆସନ୍ତା ୧୭ ତାରିଖରେ ପିପିଲିରେ ଉପନିର୍ବାଚନ ହେବାକୁ ଥିବା ବେଳେ, ଆଜି କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଅକାଳ ବିୟୋଗ ହୋଇଛି । କରୋନାରେ ଆକ୍ରାନ୍ତ ହେବା ପରେ ଆପୋଲୋ ହସପିଟାଲରେ ଭର୍ତ୍ତି ହୋଇଥିଲେ । ହେଲେ ଆଜି ତାଙ୍କର ପରଲୋକ ହୋଇଛି । ତାଙ୍କ ପରଲୋକରେ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି ।

କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍‌ କରି ଶୋକ ପ୍ରକାଶ କରିଛନ୍ତି । ନିର୍ବାଚନ ପ୍ରକ୍ରିୟା ଚାଲିଥିବା ବେଳେ, ଅଜିତ ମଙ୍ଗରାଜଙ୍କ ଦେହାନ୍ତ ଅତ୍ୟନ୍ତ ଦୁଃଖଦାୟକ ବୋଲି ବିଶିଷ୍ଟ ବ୍ୟକ୍ତି ମତ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।

Leave A Reply

Your email address will not be published.