ଅନୁବାଦ ଗଳ୍ପ : ମୃତ୍ୟୁ

କାଶ୍ମୀରର ସୁପ୍ରସିଦ୍ଧ ସାହିତ୍ୟକାର ବେଦ ରାହୀ ଉର୍ଦ୍ଦୁ, ହିନ୍ଦୀ ଓ ଡୋଗ୍ରୀ ଭାଷାରେ ପ୍ରାୟ ସାତ ଦଶନ୍ଧି ଧରି ଲେଖନୀ ଚାଳନା କର ଆସିଛନ୍ତି । ନିଜର ଗଳ୍ପ ଓ ଉପନ୍ୟାସ ପାଇଁ ସେ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ସମେତ କୁସୁମାଗ୍ରଜ ସମ୍ମାନରେ ସମ୍ମାନିତ । କେବଳ ସାହିତ୍ୟ ସାଧନା ନୁହେଁ, ବଲିଉଡ଼ ଜଗତରେ ଜଣେ ସୁପ୍ରସିଦ୍ଧ ସଂଳାପ ଲେଖକ ଓ ନିର୍ଦ୍ଦେଶକ ଭାବେ ତାଙ୍କର ସୁଖ୍ୟାତି ସର୍ବଜନବିଦିତ । ଦେଶ ସ୍ୱାଧୀନତା ଓ ବିକାଜନକୁ ସ୍ୱଚକ୍ଷୁରେ ଦେଖିଥିବା ରାହୀ ଏହି କଥାବସ୍ତୁ ଉପରେ ଅନେକ କାଳଜୟୀ ଗଳ୍ପ ଓ ଉପନ୍ୟାସର ରଚୟିତା । ତାଙ୍କ ଗଳ୍ପରେ ସାମ୍ପ୍ରଦାୟିକ ସଦ୍ଭାବ ଓ ମାନବିକତା ଅଧିକ ମାତ୍ରାରେ ଦେଖିବାକୁ ମିଳେ ।

ସ୍ୱାଧୀନତାର ସ୍ୱାଦ ଓ ବିଭାଜନର ସ୍ମୃତି : ଗଳ୍ପ ୬

ମୂଳ ଡୋଗ୍ରୀ: ବେଦ ରାହୀ

କୁହୁଡ଼ି ବେଳକୁ ବେଳ ଆହୁରି ଘନୀଭୂତ ହେଉଥିଲା ଓ ଅଳ୍ପ ସମୟ ଭିତରେ ସବୁକିଛି ବସ୍ତୁକୁ ସମ୍ପୂର୍ଣ୍ଣ ରୂପେ ଘୋଡ଼ାଇ ପକାଇଥିଲା । ମୁଁ ଏବେ ଆଉ କିଛି ଦେଖି ପାରୁନଥିଲି … କିଛି ବୋଲି କିଛି ଦୃଶ୍ୟ ହେଉନଥିଲା । ଟାଙ୍ଗାଟା ଟାଉନ ଆଡ଼କୁ ମୁହାଁଇଥିଲା । ଟାଙ୍ଗ ଆଗକୁ ଆଗକୁ ମାଡ଼ି ଚାଲିଥିଲାବେଳେ ମୁଁ ଲକ୍ଷ୍ୟ କରୁଥିଲି, କେଉଁଠି ଆସି ପହଞ୍ଚିଲିଣି ।

ଧୀରେ ଧୀରେ ମୁଁ ଠଉରାଇ ପାରିଲି । କିଛି ଦୃଶ୍ୟ ହେବାକୁ ଲାଗିଲା, ତଥାପି ଅସ୍ପଷ୍ଟ । ପ୍ରତିଟି ଘର ଓ ଗଛ ଗୋଟିଏ ଗୋଟିଏ ଛାୟାମୂର୍ତ୍ତି ପରି ଅସ୍ପଷ୍ଟ । ସବୁକିଛି ସୂକ୍ଷ୍ମ ଓ କାଚ ଖେଳଣା ପରି ଲାଗୁଥିଲା- ଶିଶୁଟିର ଖେଳଘର ପରି – କିନ୍ତୁ କେଡ଼େ ବାସ୍ତବ ! ଏସବୁ ଆଜି ଜୀବନର ଅଂଶବିଶେଷ ହୋଇ ନଥିଲା । ସବୁଦିନ ଲାଗି ତାହା ମୋ ହାତରୁ ଖସି ଯାଇଥିଲା । ସେସବୁ ଫେରି ପାଇବାର ଆଶା ବି ମୁଁ ମନରେ ବାନ୍ଧି ପାରୁନଥିଲି ।

+ + + +
ଢେର୍‍ ଦିନ ତଳର ଘଟଣା – ମୁଁ ଧୀରେ ଧୀରେ ସେସବୁକୁ ମନେ ପକାଇବାକୁ ଚେଷ୍ଟା କରୁଥିଲି । ମୁଁ ବସି ସୂତା କାଟୁଥିଲି । ସ୍କୁଲରେ ଆମକୁ ନେଇ କିଛି ଶିକ୍ଷା ଦିଆଯାଉଥିଲା – ସୂତାକଟା, ଅରଟଚଳା, ବିହନବୁଣା, ଛୋଟ ଛୋଟ ଚାରାଗଛ ଲଗା ଓ ଆହୁରି କେତେ କ’ଣ । ମୁଁ କିନ୍ତୁ ଚରଖାରେ ସୂତା କାଟିବାକୁ ସବୁଠୁ ବେଶୀ ଭଲ ପାଉଥିଲି । ସେତେବେଳେ ମୁଁ ତୃତୀୟ ଶ୍ରେଣୀରେ ପଢ଼ୁଥିଲି ।

ହଠାତ୍‍ ମୁଁ ଲକ୍ଷ୍ୟକଲି ମୋ ଶିକ୍ଷକ ଆସି ମୋ ପାଖରେ ଠିଆ ହୋଇଛନ୍ତି । ଆଉ ଜଣେ ନୂଆ ପିଲାର ହାତ ଧରି ମୋତେ ଚାହିଁଛନ୍ତି । ମାଷ୍ଟରଜୀ ମୋତେ କହିଲେ, ‘ଇଏ ହେଲା ସଲିମ୍‍ । ଆଜିଠାରୁ ସିଏ ତୋ ପାଖରେ ବସିବ । ଅରଟରେ କେମିତି ସୂତା କଟିବାକୁ ହୁଏ ସେକଥା ତୁ ତାକୁ ଶିଖେଇଦେବୁ ।’ ଏତିକି କହି ମାଷ୍ଟରଜୀ ଚାଲିଗଲେ । ମୁଁ ସଲିମକୁ ମୋ ପାଖରେ ବସିବା ଲାଗି କହିଲି । ସଲିମ୍‍ ମୋଠାରୁ ଡେଙ୍ଗା ଥିଲା । ତା’ ରଙ୍ଗ ବି ମୋ ଠାରୁ ଆହୁରି ତୋଫା । ମୁହଁଟା ସେମିତି ଚଉଡ଼ା । ମୁଣ୍ଡବାଳ ରଙ୍ଗ ସୁନାଭଳି କହରା । ଆମ ଉର୍ଦ୍ଦୁ ବହିରେ ଗୋଟିଏ କବିତାର ଆର ପୃଷ୍ଠାକୁ ଲାଗିଥିବା ଚିତ୍ରଟି ପରି ସଲିମ୍‍ ଦେଖାଯାଉଥିଲା । ସେ କବିତାର ଶୀର୍ଷକ ଥିଲା ‘ମୁଁ ଗୋଟିଏ ଶିଷ୍ଟ ପିଲା, ଶାନ୍ତ ଆଉ ଭଦ୍ର’ ।

ଅରଟରେ କେମିତି ସୂତା କାଟିବାକୁ ହୁଏ ମୁଁ ସେକଥା ସଲିମକୁ ଶିଖେଇଦେଲି । ହଠାତ୍‍ ମୁଁ ଲକ୍ଷ୍ୟକଲି ତା’ନାକରେ ସିଙ୍ଗାଣି । ମୋ ପାଟିରୁ ବାହାରି ପଡ଼ିଲା – ‘ଆରେ!’ ମୋର ଏମିତି ଭାବ ଲକ୍ଷ୍ୟକରି ସେ ତା’ ନାକର ସିଙ୍ଗାଣିକୁ ଭିତରକୁ ପୁଣି ଥରେ ଶୋଷାଡ଼ିନେଲା । ମୁଁ କିରିକିରି ବାଜି ହସି ଉଠିଲି । ସଲିମର ଏପରି ଆଚରଣ ମୋତେ ଭାରି ବିଚିତ୍ର ଲାଗୁଥିଲା ।
+ + + +
ସଲିମ୍‍ ମୋତେ ଡାକୁଥିବାର ମୁଁ ଶୁଣିପାରିଲି, ‘ମଦନ’ । ମୁଁ ଅଟକିଗଲି ଓ ବୁଲିପଡ଼ି ତା’ଆଡ଼କୁ ଚାହିଁଲି । ଲକ୍ଷ୍ୟକଲି, ସଲିମ ମୋ ଆଡ଼କୁ ଦୌଡ଼ି ଦୌଡ଼ି ଆସୁଛି । ପଛରୁ ତାକୁ ଚାରି ପାଞ୍ଚଜଣ ପିଲା ଗୋଡ଼ାଉଛନ୍ତି । ମୋ ପାଖରେ ପହଞ୍ଚିଲା ମାତ୍ରେ ସେ ମୋତେ କୁଣ୍ଢେଇ ଧରି କହିଲା, ‘ମଦନ, ସେମାନେ ମୋତେ ମାରିବେ ବୋଲି ଧମକଉଚନ୍ତି । ମୋତେ ରକ୍ଷାକର ।’

ମୁଁ ଥିଲି ଆମ ଶ୍ରେଣୀର ମନିଟର । ତେଣୁ ମୋତେ ଦେଖି ଅନ୍ୟ ପିଲାମାନେ ଅଟକିଗଲେ । ସେସବୁ ପିଲାଙ୍କ ନେତୃତ୍ୱ ମୋହନ ନେଉଥିଲା । ଯଦି ସେ ଇଚ୍ଛା କରିଥାନ୍ତା ତା’ହେଲେ ଆମ ଦି’ଜଣଙ୍କ ଚୁଟି ଧରି ମୁଣ୍ଡକୁ ମୁଣ୍ଡ ପିଟି ଦେଇ ପାରିଥାନ୍ତା । ମୁଁ ସେ ପିଲାମାନଙ୍କୁ ପଚାରିଲି, ‘ସଲିମ କ’ଣ ଏମିତି କରିଛି ଯେ ତୁମେମାନେ ତାକୁ ମାରିବାକୁ ଗୋଡ଼ାଇଛ ?’

ରାଜୁ କାନ୍ଦିକାନ୍ଦି କହିଲା, ‘ସିଏ ମୋତେ ବାଟରେ ଯାଉଥିବା ଜଣେ ଅଜଣା ଲୋକ ଉପରକୁ ଠେଲିଦେଲା । ମୁଁ ସେ ଅଜଣା ଲୋକଟି ଦେହରେ ପିଟି ହୋଇଗଲି ।’ ‘ହେଲେ ଏଇଟା କ’ଣ ଏତେ ବଡ଼ ଅପରାଧ?’ ମୁଁ ପଚାରିଲି । ରାଜୁ କହିଲା, ‘ସେ ଲୋକଟା ମୋତେ ଚାପୁଡ଼ାଟିଏ ପକାଇଲା ।’ ଏତିକି କରି ସେ ଭେଁ କରି କାନ୍ଦିଉଠିଲା ।

ସଲିମ୍‍ ଆଡ଼େ ଚାହିଁ ମୋହନ ଧମକ ଦେଲା, ‘ଏବେ ଲୁଚିଗଲୁ କାହିଁକି ? ବାହାରକୁ ଆସ୍‍, ତୋ କଥା ମୁଁ ବୁଝୁଚି ।’ ସଲିମ ଏକଥା ଶୁଣି ମୋ ପାଖକୁ ଆହୁରି ଲାଗିଆସିଲା ଓ ମୋତେ ଖୁବ୍‍ ଜୋରରେ ଜାବୁଡ଼ି ଧରିଲା । ଏସବୁ କଥା ଦେଖି ମୁଁ ମୋର ମନିଟର ପଣିଆ ଦେଖାଇ କହିଲି, ‘ଦେଖ, ତୁମେମାନେ ଯଦି ଏମିତି ମାରଧର ହେବ, ତା’ହେଲେ ମୁଁ ଯାଇ ତୁମ ସମସ୍ତଙ୍କ ନାଁରେ ମାଷ୍ଟରଜୀଙ୍କୁ କହିଦେବି ।’ ପୁଣି ବୁଝେଇଲା ପରି ସ୍ୱରରେ କହିଲି, ‘ଏବେ ତୁମେ ତାକୁ ମାରନା । ମୁଁ ତାକୁ ମାଷ୍ଟରଜୀଙ୍କ ପାଖକୁ ନେଇ ଯାଉଚି ।’ ସେ ପିଲାମାନେ ମୋ କଥାରେ ରାଜିହୋଇ ଫେରିଗଲେ । ମୁଁ ସଲିମକୁ ଧରି ମାଷ୍ଟରଜୀଙ୍କ ପାଖକୁ ଗଲି ଓ କହିଲି, ‘ମାଷ୍ଟରଜୀ, ସଲିମକୁ ଆମ କ୍ଲାସର ଆସିଷ୍ଟାଣ୍ଟ ମନିଟର କରିଦିଅନ୍ତୁ ।’

ସଲମିକୁ କ୍ଲାସର ଆସିଷ୍ଟାଣ୍ଟ ମନିଟର କରାଯିବା କଥା ଯେତେବେଳେ ମାଷ୍ଟରଜୀ ଶ୍ରେଣୀରେ ଘୋଷଣା କଲେ ଅନ୍ୟ ପିଲାମାନେ ମନେ ମନେ ଖୁବ୍‍ ଅସନ୍ତୋଷ ପ୍ରକାଶ କଲେ । ସେତେବେଳେ ଆମେ ଚତୁର୍ଥ ଶ୍ରେଣୀରେ ପଢ଼ୁଥିଲୁ । ଖରାଦିନେ ଖରାବେଳେ ଆମେ କୌଣସି ଉପାୟରେ ଘରୁ ଖସିଯାଇ ସେଇ ମୁଣ୍ଡଫଟା ଖରାରେ କେନାଲରେ ଗାଧୋଉଥିଲୁ । ସ୍କୁଲରେ ଖର୍ଚ୍ଚ କରିବା ଲାଗି ଆମକୁ ଯେଉଁ ଦୁଇପଇସା ଲେଖାଏଁ ମିଳେ ସେସବୁକୁ ଏଇ ଖରାବେଳେ ଫୁର୍ତ୍ତି କରିବାଲାଗି ସଞ୍ଚୟ କରି ରଖିଥାଉ । ଦି’ପଇସାରେ ମୁଁ ଗୋଟିଏ କାକୁଡ଼ି କିଣେ ଓ ତାକୁ ପାଣିରେ ଫୋପାଡ଼ି ଆମେ ଖେଳୁ । ଦି’ତିନି ଘଣ୍ଟା ଧରି ଖେଳି ସାରିଲା ପରେ ଆମକୁ ଖୁବ୍‍ ଭୋକ ଲାଗେ । ତା’ପରେ ସଲିମ ତା’ ପାଖରେ ଥିବା ଦି’ପଇସାର ଚଣା ଓ ରୁଟି କିଣିଆଣେ । କାକୁଡ଼ି ସାଙ୍ଗରେ ଆମେ ସେତକ ଚଟାପଟ ଖାଇନେଉ ଓ ସେତେବେଳେ ଆମକୁ ତାହା ଅମୃତ ଭଳି ଲାଗେ । ସଲିମକୁ ପାଣିରେ ଖେଳିବାକୁ ଭାରି ଡର ମାଡ଼େ । ତେଣୁ ଆଣ୍ଠୁଏ ପାଣିରେ ସେ ଗଧଟିଏ ଲଟପଟ ହେଲାଭଳି ବାଡ଼େଇ ହେଉଥାଏ । ଗଭୀର ପାଣିକୁ ସେ କେତେବେଳେ ହେଲେ ପାଦ ବଢ଼ାଏନି । ସେ ପହଁରା ବି ଶିଖି ନଥିଲା । ହେଲେ ମୁଁ ସଦାବେଳେ ଗଭୀର ପାଣିରେ ପହଁରିବାକୁ ଭଲପାଏ । ଦିନେ ରାସ୍ତା ଉପରୁ ଦୌଡ଼ି ଦୌଡ଼ି ଯାଇ ମୁଁ କେନାଲ ଭିତରକୁ ଡେଇଁବାକୁ ପ୍ରସ୍ତୁତ ହେଉଥାଏ । ସଲିମ କୂଳରେ ଠିଆହୋଇ ମୋତେ ଚାହିଁ ରହିଥିଲା । ମୁଁ ଜାଣେନି କ’ଣ ହେଲା । ମୁଁ

କେନାଲ ଭିତରକୁ ଡେଇଁ ପାଣି ତଳେ ବୁଡ଼ି କିଛି ସମୟ ପହଁରିଲି । ଯେତେବେଳେ ମୁଁ ପାଣି ଉପରକୁ ଉଠିଲି, ଦେଖିଲି ସଲିମ୍‍ ଗଭୀର ଜଳରେ ହାତପାଦ ବାଡ଼େଇ ଉବୁଟୁବୁ ହେଉଛି । ଏକଥା ଲକ୍ଷ୍ୟକରି ମୁଁ ତତକ୍ଷଣାତ୍‍ ତା’ପାଖକୁ ଯାଇ ତାକୁ ଖୁବ୍‍ କଷ୍ଟରେ ପାଣିରେ ଡୁବିଯିବାରୁ ବଞ୍ଚେଇ କୂଳକୁ ଆଣିଲି ।

ସେତେବେଳକୁ ସଲିମ୍‍ ଢେର୍‍ ପାଣି ପିଇ ସାରିଥିଲା । ତା’ର ଚେତା ଆସିବାକୁ ବେଶ୍‍ କିଛି ସମୟ ଲାଗିଲା । ଚେତା ଫେରିଲାପରେ ସେ ଆଖି ଖୋଲି ମୋତେ ଚାହିଁ କହିଲା, ‘ତୁ ପାଣିକୁ ଡେଇଁ ଆଉ ଉପରକୁ ଉଠିଲୁନି । ମୁଁ ଭାବିଲି ତୁ ବୁଡ଼ିଗଲୁ । ତେଣୁ ତୋତେ ବଞ୍ଚେଇବା ଲାଗି ମୁଁ ପାଣିକୁ ଡେଇଁପଡ଼ିଲି ।’ ସଲିମ୍‍ କଥା ଶୁଣି ମୁଁ ବହେ ହସିଲି । ମୋର ଏପରି ନିର୍ବୋଧପଣିଆକୁ ଦେଖି ସେ ଚିଡ଼ିଗଲା ଓ କେଇ ଦିନ ପର୍ଯ୍ୟନ୍ତ ମୋ ସାଙ୍ଗରେ କଥାବାର୍ତ୍ତା କଲାନି ।

ତା’ର କିଛି ଦିନ ପରେ ଆଉ ଗୋଟିଏ ଘଟଣା ଘଟିଲା । ତାପୀ ନଦୀ କୂଳରେ ଥିବା ବଣବୁଦାମାନଙ୍କରୁ ଆମେ ଢେର୍‍ କୋଳି ତୋଳି ଖାଉ । କୋଳିସବୁ ତୋଳି ଆମେ ଦି’ପକେଟରେ ଭରୁ । ଥରେ ସଲିମ ଓ ମୁଁ ଦୁହେଁ ଗୋଟିଏ ଗଛର ଖୁବ୍‍ ଉଚ୍ଚକୁ ଚଢ଼ିଥାଉ । କିଛି ସମୟ ପରେ ଗଛରୁ ଓହ୍ଲାଇବାକୁ ଯାଉଛୁ । ଠିକ୍‍ ସେତିକିବେଳେ ଜଣେ ପିଲା ଚିତ୍କାର ଛାଡ଼ିଲା, ‘ସାପ!’ ବାସ୍‍, ଆଖି ପିଛୁଡ଼ାକେ ସବୁ ପିଲା ସେ ସ୍ଥାନରୁ ଉଭାନ୍‍ ହୋଇଗଲେ । କିନ୍ତୁ ସଲିମ କି ମୁଁ ଗଛରୁ ଏତେ ଶୀଘ୍ର ଓହ୍ଲେଇ ପାରିନଥିଲୁ । ଭୟରେ ଆମେ ଗଛ ଉପରେ ଡାଳକୁ ଧରି ସେମିତି ବସିରହିଲୁ । ଆମ ଦେହହାତ ସେତେବେଳକୁ ବରଫ ଭଳି ଶୀତଳ ପାଲଟି ସାରିଥିଲା । ଆମକୁ ଲାଗୁଥିଲା, ଯଦି ଆମେ ଆଖି ପଲକ ପକାଇବୁ ତା’ହେଲେ ସାପ ଆମକୁ କାମୁଡ଼ିଦେବ । କିନ୍ତୁ ସାପଟା ନିର୍ଦ୍ଦିଷ୍ଟ କେଉଁଠି ଥିଲା ସେକଥା ଆମକୁ ଜଣାନଥିଲା । କିଛି ସମୟ ପରେ ମୁଁ ଲକ୍ଷ୍ୟକଲି ଯେ ଗଛଠାରୁ ମୋ ଡାହାଣପଟକୁ ପ୍ରାୟ ଛଅ ସାତଗଜ ଦୂରରେ କଳାରଙ୍ଗର ସାପଟିଏ ପଥର ଉପରେ ଗୁଡେଇ ହୋଇ ଶୋଇଚି । ମୁଁ ଆହୁରି ଡରିଗଲି । କିନ୍ତୁ ସାପଟା ଆମଠାରୁ ବେଶ୍‍ ଦୂରରେ ଅଛି ବୋଲି ଅନୁଭବ କରିବା ପରେ ମନେ ମନେ ସାହସ ସଞ୍ଚୟ କଲି । ତା’ପରେ ଖୁବ୍‍ ଧୀରେ ଡାକିଲି, ‘ସଲିମ୍‍’!

ଆତଙ୍କିତ ଆଖିରେ ସଲିମ ମୋ ଆଡ଼କୁ ଚାହିଁଲା । ସାପ ତା’ଠାରୁ ଦୂରରେ ଅଛି ବୋଲି ଦେଖିବା ପରେ ସେ ଧୀରେ ଧୀରେ ମୁଁ ବସିଥିବା ଡାଳ ପର୍ଯ୍ୟନ୍ତ ଚାଲିଆସିଲା । ତା’ପରେ ଆମେ ଗୋଟିଏ ହାତରେ ଗଛକୁ ଧରି ଅନ୍ୟ ହାତରେ ପରସ୍ପରକୁ ଭିଡ଼ି ଧରିଲୁ । ପରସ୍ପରକୁ ଏତେ ପାଖରେ ପାଇବା ପରେ ଆମ ମନରୁ ଅନେକାଂଶରେ ଭୟ ଦୂର ହୋଇଯାଇଥିଲା । ଏଥର ଆମେ ନିର୍ଭୟରେ ସାପ ଆଡ଼େ ଚାହିଁଲୁ । ଆମେ ଲକ୍ଷ୍ୟ କଲୁ, ସାପଟି ପାଟିରେ କିଛି ଗୋଟିଏ ପୂରାଇ ଗିଳିବାକୁ ଚେଷ୍ଟା କରୁଛି । ଛୋଟ ମୂଷା କିମ୍ବା ଏଣ୍ଡୁଅଟିଏ ହେବ କି କ’ଣ! ଆମେ ଆଗ୍ରହ ସହକାରେ ତା’ଆଡ଼କୁ ଚାହିଁରହିଲୁ । ସାପଟି କିନ୍ତୁ ଆମ ଆଡ଼କୁ ଚାହୁଁନଥିଲା । ଏହା ଆମ ଲାଗି ଥିଲା ଆଶ୍ୱସ୍ତିର ବିଷୟ । ସେତିକିବେଳେ ହଠାତ୍‍ ଆମ କାନରେ ଏକ ବିଚିତ୍ର ଶବ୍ଦ ପଡ଼ିଲା । ପୁଣି ଭୟ ଓ ଆତଙ୍କରେ ଦିହେଁ ଦିହିଙ୍କି କୁଣ୍ଢାଇ ଧରିଲୁ । କିନ୍ତୁ ତଳେ କ’ଣ ଘଟୁଛି ବୋଲି ଜାଣିବା ପୂର୍ବରୁ ଭାରସାମ୍ୟ ହରାଇ ଉଭୟେ ତଳକୁ ଖସିପଡ଼ିଲୁ । କାରଣ ଆମେ ବସିଥିବା ଡାଳଟି ଭାଙ୍ଗି ପଡ଼ିଥିଲା । ଏବେ ସାପ ଆମକୁ ଅତି ସହଜରେ କାମୁଡ଼ି ଦେଇପାରେ । କାରଣ ସାପ ଓ ଆମ ଭିତରେ ଦୂରତା ବେଶ୍‍ କମ୍‍ ଥିଲା । ତେଣୁ ତଳେ ପଡ଼ିବା ମାତ୍ରେ ନିଜ ଦେହର ଖଣ୍ଡିଆଖାବରା ପ୍ରତି ଖାତିର ନକରି ଆମେ ଏକମୁହାଁ ଦୌଡିବାକୁ ଲାଗିଲୁ । ବଣବୁଦା ଭିତରୁ ବାହାରିବା ପରେ ସୁଦ୍ଧା ଆମେ ଦୌଡ଼ା ଜାରି ରଖିଥିଲୁ । ଆମକୁ ଲାଗୁଥିଲା କାଳଛାୟା ଆମ ପଛେ ପଛେ ଦୌଡ଼ୁଛି । ଯେତେବେଳେ ଦୌଡ଼ି ଦୌଡ଼ି ହାଲିଆ ହୋଇପଡ଼ିଲୁ ଓ ଆଉ ଆଗକୁ ଦୌଡ଼ି ପାରିଲୁନି, ଆମେ ଅଣନିଃଶ୍ୱାସୀ ହୋଇ ଅଟକିଗଲୁ । ସେତେବେଳେକୁ ଆମେ ସାହାସି ଯାଉଥିଲୁ । ନଈକୂଳରୁ ଆମେ ଧୀରେ ଧୀରେ ବନ୍ଧ ଉପରକୁ ଉଠିଲୁ । ଆମ ମନରେ ତଥାପି ଭୟ ଥାଏ – ଯଦି ଆଜି ଆମକୁ ସାପଟି କାମୁଡ଼ିଥାନ୍ତା, ତା’ହେଲେ ଘରଲୋକ କ’ଣ କହିଥାନ୍ତେ!
+ + + +

ଦିନେ ସଲିମ୍‍ ମତେ କହିଲା, ‘ମଦନ, ତୁ ଆମ ଘରକୁ ବୁଲି ଆସୁନୁ କାହିଁକି?’

ସେତେବେଳେ ଆମେ ଦୁହେଁ ସପ୍ତମ ଶ୍ରେଣୀରେ ପଢ଼ୁଥିଲୁ । ସେଦିନ ମୁଁ ତା’ସାଙ୍ଗରେ ତାଙ୍କ ଘରକୁ ଗଲି । ପ୍ରଥମେ ତାଙ୍କ ଘରେ ପହଞ୍ଚିଲି ମୁଁ ସଲିମ୍‍ର ଅମ୍ମିକୁ ‘ଆଦାବ୍‍’ ବୋଲି ସମ୍ଭାଷଣ ଜଣାଇଲି । ସେ ମୋତେ ସ୍ନେହର କୋଳେଇ ଧରି ମୋ କପାଳରେ ଚୁମାଟିଏ ଦେଲେ । କେଡ଼େ ସ୍ନେହୀ! କେଡେ ସୁନ୍ଦର! ମୁଁ ତାଙ୍କଠାରୁ ଆଖି ଫେରାଇ ପାରୁନଥାଏ । ସେ କହିଲେ, ‘ସଲିମ୍‍ ସଦାବେଳେ ତୋ କଥା ଘରେ କହେ । ତୋତେ ଘରକୁ ଡାକିବା ଲାଗି ମୁଁ ତାକୁ ଅନେକ ଥର କହିଚି । ତୁ ବସ୍‍, ମୁଁ ତୋ ଲାଗି କ୍ଷୀରି ଆଣୁଚି ।’ ସଲିମ ମୋତେ ଗୋଟିଏ ବଡ଼ ଘର ଭିତରକୁ ଡାକି ନେଇଗଲା ।

‘ଇଏ କ’ଣ ତୋ ସାଙ୍ଗ?’ ‘ହଁ, ଅପା ।’ ସଲିମ୍‍ ଉତ୍ତର ଦେଲା । ସେଇ ଘର ମଝିରେ ବିଛା ହୋଇଥିବା କାର୍ପେଟ ଉପର ସଲିମ୍‍ର ଭଉଣୀ ବସିଥିଲା ଓ ତା’ ମୁଣ୍ଡରେ ଧୋବ ଫରଫର ଟୋପିଟିଏ ପିନ୍ଧିଥିଲା । ‘ମଦନ, ଇଏ ହେଲା ମୋ ବଡ଼ ଭଉଣୀ ।’ ମୁଁ ହାତଯୋଡ଼ି ତାଙ୍କୁ ବି ନମସ୍କାର କଲି । ମୁଁ ତାଙ୍କ ସାମ୍ନାରେ ବସି ପଡ଼ୁପଡ଼ୁ ସେ ତାଙ୍କ କୋଳରେ ଧରିଥିବା ବିଲେଇଟିକୁ ମୋ କୋଳରେ ଥୋଇଦେଲେ । ଚମକି ଉଠି ମୁଁ ଡେଇଁ ପଡ଼ିଲି । ସଲିମ୍‍ ଓ ସେ ଦୁହେଁ ହସିଉଠିଲେ । ମୁଁ ବି ସେମାନଙ୍କ ସାଥିରେ ଏଇ ହସକୌତୁକରେ ସାମିଲ ହୋଇଗଲି । ତା’ପରେ ମୁଁ ସଲିମର ସାନଭାଇ ଓ ବଡ଼ଭାଇଙ୍କୁ ଭେଟିଲି । ସେମାନଙ୍କ ଆଦର ସ୍ନେହ ବି ମୋତେ ଖୁବ୍‍ ଭଲ ଲାଗିଲା ।

ତା’ପରଠାରୁ ମୁଁ ପ୍ରାୟ ଫି’ଦିନ ସଲିମଙ୍କ ଘରକୁ ଯା’ଆସ କଲି । ହେଲେ ତାକୁ ମୁଁ କେବେ ଆମ ଘରକୁ ନିମନ୍ତ୍ରଣ କରିପାରି
ନଥିଲି । ସଲିମ ବି ମୋତେ ଏକଥା କେବେ ପଚାରି ନଥିଲ ଯେ ମୁଁ କାହିଁକି ତାକୁ ଆମ ଘରକୁ ନିମନ୍ତ୍ରଣ କରୁନାହିଁ । ମୋତେ କିନ୍ତୁ ମନେ ମନେ ଭାରି ଲାଜ ମାଡ଼ୁଥିଲା । ମୁଁ ଜାଣିଥିଲି ଯେ ମୋ ମା’ ମୁସଲମାନଙ୍କୁ ମ୍ଳେଛ ବୋଲି କୁହେ । ସେ ରାସ୍ତରେ ଚାଲିଲାବେଳେ ସୁଦ୍ଧା କୌଣସ ଜଣେ ମୁସଲମାନ କି ଅଚ୍ଛବ ଲୋକ ସହ କାଳେ ଛୁଇଁ ହୋଇଯିବ ସେଥିଲାଗି ସତର୍କ ଥାଏ । ଥରେ ମୋ ବଡ଼ଭାଇ ତା’ର ଜଣେ ଏମିତିକିଆ ସାଙ୍ଗକୁ ଡାକିଆଣି ବୈଠକଖାନାରେ ବସାଇଥିଲା ଓ ତାକୁ ଚା’ଜଳଖିଆ ଦେବାଲାଗି ମା’କୁ କହିଥିଲା । ମା’କିନ୍ତୁ ସେ ପିଲାକୁ ଚା’ ଜଳଖିଆ ଦେବନାହିଁ ବୋଲି ରୋକଠୋକ ମନା କରିଦେଇଥିଲା । ଯଦି କେବେ ସଲିମ ମୋ ସାଥିରେ ଆମ ଘର ପର୍ଯ୍ୟନ୍ତ ଆସେ, ତେବେ ସେ ପଦାରେ ହିଁ ଠିଆ ହୋଇରହେ; କେତେବେଳେ ଅବା ଥରେ କି ଦି’ଥର ଆମ ଡ୍ରଇଂରୁମ୍‍ ପର୍ଯ୍ୟନ୍ତ ଆସିଥିବ । ଏପରିକି ସେ ଆମ ଘରେ ପାଣି ଗ୍ଲାସଟିଏ ସୁଦ୍ଧା ପିଇନଥିଲା । ତା’ର କାରଣ, ହୁଏତ ମୁଁ ତାକୁ ପାଣି ଗ୍ଲାସଟିଏ ଯାଚି ପାରିନଥିଲି ।

ମୋର ଏପରି ଅସହାୟବୋଧ ଭିତରେ ଭିତରେ ମୋତେ ଭାରି ଯନ୍ତ୍ରଣା ଦେଉଥିଲା । ଦିନେ ସଲିମ ଆସି ମନ ଦୁଃଖରେ କହିଲା, ‘ମଦନ, ଜାଣିଚୁ, ମୋ ବାପା ମୋତେ ଗୋଟିଏ ମିଲିଟାରୀ ସ୍କୁଲରେ ନାଁ ଲେଖେଇ ଦେବାକୁ କହୁଚନ୍ତି ।’ ସେଇଦିନ ଆମ ସପ୍ତମ ଶ୍ରେଣୀ ପରୀକ୍ଷାଫଳ ବାହାରିଥିଲା । ସଲିମ ଓ ମୁଁ ପାସ୍‍ କରିଥିଲୁ । ମୁଁ କହିଲି, ‘ହେଲେ ମୁଁ ହାଇସ୍କୁଲରେ ନାଁ ଲେଖେଇବି ।’ ‘ମୋର ବି ସେଇଆ ଇଚ୍ଛା । ହେଲେ ଆବ୍ୱାଜାନ୍‍ କ୍ୟାଣ୍ଟନମେଣ୍ଟକୁ ଚାଲିଗଲେ । ଏବେ ସେ ସେଇଠି ରହିବେ । ତା’ର କିଛିଦିନ ପରେ ଯେତେ ବେଳେ ମୁଁ ତାଙ୍କ ଘରକୁ ଗଲି, ତା’ର ମା’ ମୋତେ କୁଣ୍ଢେଇ ଧରି କଇଁ କଇଁ ହୋଇ କାନ୍ଦିଉଠିଲେ ଓ କହିଲେ, ‘ପୁଅରେ, ସଲିମ ତ ଯାଇ କ୍ୟାଣ୍ଟନମେଣ୍ଟରେ ରହିଲା । ତା’ବୋଲି କ’ଣ ତୁ ଆମ ଘରକୁ ବୁଲି ଆସିବା ବନ୍ଦ୍‍ କରିଦେବୁ?’

ମୁଁ ବି ବାଷ୍ପାକୁଳ କଣ୍ଠରେ କହିଲି, ‘ମୁଁ ନିଶ୍ଚୟ ଆସିବି, ଅମ୍ମିଜାନ୍‍ । ସେଦିନ ମୁଁ ଲକ୍ଷ୍ୟ କଲି, ସଲିମଙ୍କ ଘରେ ସମସ୍ତଙ୍କ ମନ ଦୁଃଖରେ ଭରି ଯାଇଛି । ତା’ପରଠାରୁ ମୁଁ କେତେଥର ସଲିମଙ୍କ ଘରକୁ ବୁଲିଯାଇଛି । ଥରେ ମୁଁ ଯାଇ ତାଙ୍କ ଘରେ ପହଞ୍ଚୁ ପହଞ୍ଚୁ ସଲିମର ଅମ୍ମି ଆସି ମୋ ମୁଣ୍ଡ ଉପରେ ସ୍ନେହରେ ହାତ ଥାପିଲେ ଓ କହିଲେ, ‘ପୁଅ, ତୁ ଆଉ ଆମ ଘରକୁ ବୁଲି ଆସି ପାରିବୁନି ।’

ଆଶ୍ଚର୍ଯ୍ୟ ହୋଇ ମୁଁ ପଚାରିଲି, ‘କାହିଁକି ?’

ଅମ୍ମି ମୋତେ ଆହୁରି ଜୋରକରି କୁଣ୍ଢେଇ ଧରି କହିଲେ, ‘ବେଟା, ଏଇଟା ହେଲା ମୁସଲମାନ ଇଲାକା । ତେଣୁ ତୁ ଆମ ଘରକୁ ଆସିଲେ କାଳେ କିିଛି ବିପଦ ଆପଦ ଘଟିପାରେ ।’ ମୁଁ କିଛି ନକହି ନିରବ ରହିଲି । ଆଉ ଥରଟିଏ ହେଲେ ମୁଁ ସଲିମଙ୍କ ଘରଆଡ଼େ ଯାଇନଥିଲି । ସହରସାରା ସେତେବେଳକୁ ଦଙ୍ଗା ଆରମ୍ଭ ହୋଇ ସାରିଥିଲା । ପ୍ରତିଦିନ ଦି’ତିନିଜଣ ଲେଖାଏଁ ଲୋକ ସେଇ ଦଙ୍ଗାରେ ପ୍ରାଣ ହରାଉଥିଲେ । ବେଳକୁ ବେଳ ଦଙ୍ଗା ପରିସ୍ଥିତି ଆହୁରି ଜଟିଳ ଆକାର ଧାରଣ କରୁଥିଲା । ହିଂସା ଆହୁରି ବଢ଼ି ବଢ଼ି ଚାଲିଥିଲା । ଘରଦ୍ୱାର ପୋଡ଼ି ଘଟଣା ଅଧିକରୁ ଅଧିକ ଶୁଣିବାକୁ ମିଳୁଥିଲା ।

ଏତିକିବେଳେ ଭାରତ ସ୍ୱାଧୀନ ହେବା ଓ ପାକିସ୍ତାନ ଗଠନ କରାଯିବା କଥା ଘୋଷଣା ହେଲା । ଚାରିଆଡ଼େ ପୋଡାଜଳା, ଦଙ୍ଗା, ହାଣକାଟ ଆହୁରି ବଢ଼ିଗଲା । ହାତରେ ଖଣ୍ଡା, ଛୁରୀ, ବନ୍ଧୁକ ଓ ଅନ୍ୟ ମାରଣାସ୍ତ୍ରଧରି ଦଙ୍ଗାକାରୀମାନେ ଦିନ ଦି’ପହରରେ ବିଚ୍‍ ସଡ଼କ ଉପରେ ନିର୍ଭୟରେ ପଇଁତରା ମାରିଲେ । ସାଧାରଣ ଲୋକ ପଦାକୁ ବାହାରିବାକୁ ସୁଦ୍ଧା ଭରସି ପାରିଲେନି । ଦିନରାତି ଲୋକମାନଙ୍କ ଆର୍ତ୍ତ ଚିତ୍କାର, ବନ୍ଧୁକ ଓ ବୋମାଫୁଟା ଆବାଜ ସମଗ୍ର ପରିବେଶକୁ ଆତଙ୍କମୟ କରିପକାଇଥିଲା । ମୋ ମନ କିନ୍ତୁ ଆଶଙ୍କାରେ ଭରି ଉଠିଥିଲା ସଲିମ ଲାଗି । ସେ ଏବେ ନିଜ ପରିବାରଠାରୁ ଢେର୍‍ ଦୂରରେ ଥିଲା । ତା’ ବାପା କ’ଣ ତାକୁ ଘରକୁ ଫେରାଇ ଆଣି ସାରିଥିଲେ? ତା’ ବାପା କେତେ ନିରାପଦରେ ଅଛନ୍ତି, ସେ ପ୍ରଶ୍ନ ବି ମୋ ମନରେ ଉଙ୍କି ମାରୁଥିଲା । ଆଉ ତା’ର ଅମ୍ମିଜାନ୍‍? ସଲିମର ଭାଇଭଉଣୀମାନଙ୍କ କଥା ବି ମୋ ମନକୁ ଆସୁଥିଲା । ସେମାନେ ପାକିସ୍ତାନକୁ ପଳାଇ ଯାଇନାହାନ୍ତି ତ?

ଯେଉଁଦିନ ମୁଁ ଶୁଣିଲି ଯେ ସେମାନଙ୍କୁ ନିରାପଦରେ ପାକିସ୍ତାନରେ ପହଞ୍ଚାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇ କେତେଜଣ ମୁସଲମାନ ଲୋକଙ୍କୁ ଏକ ଅଜ୍ଞାତ ସ୍ଥାନକୁ ନିଆଯାଇ ସେଠାରେ ହତ୍ୟା କରାଯାଇଛି, ମୋ ମନ ଦୁଃଖ ଓ ଆଶଙ୍କାରେ ଭରିଗଲା । ମୁଁ ପାଗଳପ୍ରାୟ ହୋଇଗଲି । ମୋତେ ଭାରି ଡର ମାଡ଼ୁଥିଲା । ସଲିମ ଓ ତାଙ୍କ ପରିବାରର ଲୋକମାନଙ୍କ ବିଷୟରେ ମୁଁ କିଛି ନିଶ୍ଚିନ୍ତ ହୋଇ ପାରୁ ନଥିଲି । ମୋ ମନ ସଦାବେଳେ ଗୋଳେଇ ଘାଣ୍ଟି ହେଉଥିଲା । ଠିକ୍‍ ସେତିକିବେଳେ ପାହାଡ଼ୀ ଇଲାକାରୁ କବିଲା ଲୁଟେରାମାନେ ହଠାତ୍‍ ଜାମ୍ମୁ କାଶ୍ମୀର ଉପରେ ଆକ୍ରମଣ ଆରମ୍ଭ କରିଦେଲେ । ଲୋକମାନେ ପ୍ରାଣ ବଞ୍ଚାଇବାକୁ ଯିଏ ଯୁଆଡ଼େ ପାରିଲେ ପଳାଇବାକୁ ଲାଗିଲେ । କେଇଜଣ ଲୋକ ଅମୃତସର ଯାଉଥିଲେ । ସେମାନଙ୍କ ସାଙ୍ଗରେ ମୋ ବାପାମା’ ମୋତେ ଅମୃତସର ପଠେଇଦେଲେ । ଘରଦ୍ୱାର ସବୁ ଲୁଟ୍‍ ହୋଇଯିବା ପରେ ମୋର ଦାଦା ତାଙ୍କ ପରିବାରକୁ ଧରି ଅମୃତସର ଯାଇ ସାରିଥାନ୍ତି । ସେଠାରେ ପହଞ୍ଚିବା ପରେ ବି ମୁଁ ସଲିମ ଓ ତାଙ୍କ ପରିବାରଙ୍କ କଥା ଚିନ୍ତା କରୁଥାଏ ।

ଛଅମାସ ପରେ ଅବସ୍ଥା ସାମାନ୍ୟ ସୁଧୁରିଲା । ମୁଁ ଜାମ୍ମୁ ଫେରିଲି । ହେଲେ ସେତେବେଳକୁ ଜାମ୍ମୁ ସହର ସମ୍ପୂର୍ଣ୍ଣ ବଦଳି ସାରିଥିଲା । କଳାଟୋପି ବଦଳରେ ସମସ୍ତଙ୍କ ମୁଣ୍ଡରେ ଏବେ ଲାଲ ଟୋପି ଦେଖିବାକୁ ମିଳୁଥିଲା । ଗୋଟିଏ ଲାଲ ପତାକା ମଝିରେ ହଳ ଲଙ୍ଗଳର ଚିତ୍ର ଥିଲା ଓ ତାହା ଫରଫର ହୋଇ ଛକ ଉପରେ ଉଡ଼ୁଥିଲା । ପୁଣି ସେ ପତାକାଟା ସୂର୍ଯ୍ୟବଂଶୀ ପତାକା ପାଖକୁ ଲାଗି ଉଡ଼ୁଥିଲା । ସମସ୍ତଙ୍କ ମୁହଁରେ ଗୋଟିଏ ଚିତ୍କାର ତଥାପି ଶୁଭୁଥିଲା: ‘ଶେର୍‍- ଏ- କାଶ୍ମୀର- ଜିନ୍ଦାବାଦ!’

ଏଇ ସମୟ ଭିତରେ ମୋ ବାପା ଆଉ ଗୋଟିଏ ନୂଆ ଘରକୁ ଚାଲିଯାଇଥାନ୍ତି । ମୁଁ ଜାମ୍ମୁରେ ପହଞ୍ଚିବା ମାତେ ଜାଣି ପାରିଲି ଯେ ସଲିମ ଏବେ ସୁଦ୍ଧା କ୍ୟାଣ୍ଟନମେଣ୍ଟ ହଷ୍ଟେଲରେ ରହୁଛି । ମୋ ଖୁସି କହିଲେ ନସରେ । ଜଲଦି ଗୋଟିଏ ଟାଙ୍ଗା ଭଡ଼ାକରି ମୁଁ ଯାଇ ତା’ ପାଖରେ ପହଞ୍ଚିଗଲି । ସଲିମ୍‍ ମୋତେ ଦେଖି ବାରାକ ଭିତରୁ ବାହାରି ଆସିଲା । ଆମେ ପରସ୍ପରକୁ କୁଣ୍ଢେଇ ଧରିଲୁ । ଦୁହିଙ୍କ ଆଖିରେ ଅଶ୍ରୁର ବନ୍ୟା, ହୃଦୟରେ ଅବ୍ୟକ୍ତ ବେଦନା ଓ ଅସରନ୍ତ ଆନନ୍ଦର ଉଦ୍‍ବେଳନ । ମୁଁ ସଲିମକୁ ତାଙ୍କ ପରିବାର ବିଷୟରେ ପଚାରିଲି । ସେ କହିଲା- ତା’ବାପା ଦଙ୍ଗା ଲାଗିଥିବାବେଳେ କୌଣସିମତେ ଗୋଟିଏ ଭଡ଼ା ଜିପ୍‍ ଯୋଗାଡ଼କରି ସେଥିରେ ତାଙ୍କ ପରିବାରଙ୍କୁ ପାକିସ୍ତାନ ନେଇ ଯାଇଥିଲେ । ହେଲେ ସେମାନେ କ୍ୟାଣ୍ଟନମେଣ୍ଟ ଆସି ତାକୁ ନେଇ ପାରିନଥିଲେ । ଏବେ ତାଙ୍କ ବାପାଙ୍କ ଠାରୁ ସେ ଖଣ୍ଡିଏ ଚିଠି ପାଇଥିଲା । ସେଥିରେ ସେ ଲେଖିଥିଲେ ଯେ ସେମାନେ ନିରାପଦରେ ଯାଇ ସିଆଲକୋଟଠାରେ ପହଞ୍ଚିଛନ୍ତି ।

ମୋର ମନେ ପଡ଼ିଲା ସଲିମ ଯେଉଁଦିନ କ୍ୟାଣ୍ଟନମେଣ୍ଟ ହଷ୍ଟେଲକୁ ପ୍ରଥମକରି ଯାଇଥିଲା, ତା’ର ଅମ୍ମି କେମିତି କାନ୍ଦୁଥିଲେ । ତେଣୁ ଦଙ୍ଗାବେଳେ ସଲିମକୁ ଛାଡ଼ି ସେ ଏକୁଟିଆ ଜିପରେ ଗଲାବେଳେ ତାଙ୍କ ଅବସ୍ଥା କ’ଣ ହୋଇଥିବ! ଏକଥା ଭାବିଲାମାତ୍ରେ ମୋ ଦେହ ଥରି ଉଠିଲା । ମୁଁ ସଲିମକୁ ପ୍ରସ୍ତାବ ଦେଲି, ‘ତା’ହେଲେ ତୁ ହଷ୍ଟେଲ ଛାଡ଼ି ଆମ ଘରେ ରହିବାରେ କ୍ଷତି କ’ଣ?’

‘ନା, ମୋର ଏଠି କିଛି ଅସୁବିଧା ହେଉନି । ତା’ଛଡ଼ା ୟା’ଭିତରେ ମୁଁ ପାକିସ୍ତାନ ଯିବା ଲାଗି ଏଠାରେ ସବୁପ୍ରକାର ବନ୍ଦୋବସ୍ତ ହୋଇ ସାରିଲାଣି । ଯେକୌଣସି ମୁହୂର୍ତ୍ତରେ ସେମାନେ ମୋତେ ପାକିସ୍ତାନ ପଠେଇ ଦେଇପାରନ୍ତି ।’ ସଲିମ ସତ କହୁଥିଲା । ତେଣୁ ମୁଁ ତାକୁ ବାଧ୍ୟ କଲିନି । କିଛି ସମୟ ପରେ ସେ କହିଲା, ‘ମଦନ, ମୁଁ ପାକିସ୍ତାନ ଯିବା ଆଗରୁ ଥରେ ତୁମ ଘରଆଡ଼େ ଯାଇ ନିଶ୍ଚେ ବୁଲି ଆସିବି ।’ ମୁଁ କହିଲି, ‘ତା’ହେଲେ ତୁ ଆଜି ଆସୁନୁ କାହିଁକି?’ ‘ନା, ମୁଁ ଆଜି ଯାଇ ପାରିବିନି । ହଷ୍ଟେଲ ଛାଡ଼ି ବାହାରକୁ ଯିବାକୁ ହେଲେ ଆଗୁଆ ଅନୁମତି ନେବାକୁ ପଡ଼େ । ତୁ ଯଦି ପଅରିଦିନ ପ୍ରାୟ ଏଇ ସମୟ ବେଳକୁ ଆସୁ, ମୁଁ ତୋ ସାଙ୍ଗରେ ଯାଇପାରିବି ।’
+ + + +
ସେଦିନ ଶନିବାର ଥିଲା । ଆମେ ଦୁହେଁ ଟାଙ୍ଗାଟିଏ ନେଇ ସେଥିରେ ବସି ସହର ଅଭିମୁଖେ ଚାଲିଲୁ । ମୋ ମନ ଭାରି ଖୁସିଥାଏ । ସେ ଖୁସି ମୁଁ ବଖାଣି ସୁଦ୍ଧା ପାରୁନଥାଏ । କାରଣ, ମୁଁ ସଲିମକୁ ପ୍ରଥମ ଥର ଲାଗି ଆମ ଘରକୁ ନେଇ ଯାଉଥାଏ । ସଲିମ ବି ନିଶ୍ଚିନ୍ତ ମନରେ ଟାଙ୍ଗାରେ ବସିଥାଏ । ଦୁହେଁ ପାଖକୁ ପାଖ ଲାଗି ବସି ହସଖୁସିରେ କଥାବାର୍ତ୍ତା ହେଉଥାଉ । ଉଭୟଙ୍କ ମନରେ ଅସରନ୍ତି ଆନନ୍ଦ ।

କିଛି ସମୟ ପରେ ନିରବତାକୁ ଭାଙ୍ଗି ସଲିମ କହିଲା, ‘ମଦନ, ମୁଁ ପାକିସ୍ତାନ ଯିବାପରେ ତୋ ପାଖକୁ ରିତିମତ ଚିଠି ଲେଖିବି । ତୁ ବି ମୋ ପାଖକୁ ଉତ୍ତର ଦେବୁ ତ?’ ମୁଁ କହିଉଠିଲି, ‘ନିଶ୍ଚୟ ଦେବି । ତୁମ ଘରର ସମସ୍ତଙ୍କ କଥା ଲେଖି ମୋତେ ଜଣେଇବୁ । ଅମ୍ମିଙ୍କୁ କହିବୁ ଯେ ମୁଁ ତାଙ୍କ କଥା ସବୁବେଳେ ମନେ ପକଉଛି । ତୋ ଆବ୍ୱାଜାନଙ୍କୁ ବି ମୋର ନମସ୍କାର ଜଣେଇବୁ । ଆଉ ତୋ ଭଉଣୀ ଆଉ କେତେଟା ବିଲେଇ ପାଳିଥିବେ ଓ ତୋର ଭାଇ ଏବେସୁଦ୍ଧା ପାଇଲଟ ହେବାର ସ୍ୱପ୍ନ ଦେଖୁଛନ୍ତି କି ନାହିଁ ସେକଥା ବି ଲେଖିବୁ ।’

ଏତିକି କହି ମୁଁ ସଲିମ ମୁହଁକୁ ଚାହିଁଲାବେଳକୁ ତା’ ଆଖି ଲୁହ ଛଳଛଳ ହୋଇ ସାରିଥିଲା । ମୋତେ ଚାହିଁବା ମାତ୍ରେ ତା’ ଆଖିରୁ ସେ ଲୁହ ଝରିବାକୁ ଆରମ୍ଭ କଲା । ମୁଁ କିଛି ନ କହି ତା’ କାନ୍ଧରେ ହାତ ଥାପିଲି । ଏଥର ସେ ନିଜକୁ ସମ୍ଭାଳି ନପାରି ଭୋ କରି କାନ୍ଦି ଉଠିଲା । ଟାଙ୍ଗାବାଲା କ’ଣ ହେଲା ବୋଲି ଭାବି ପଛକୁ ବୁଲିପଡ଼ି ଆମ ଦୁହିଙ୍କୁ ଚାହିଁଲା । କିଛି ସମୟ ପରେ ସଲିମ ପ୍ରକୃତିସ୍ଥ ହୋଇ ପୁଣି ନିଜକୁ ସମ୍ଭାଳି ନେଲା । ନିଜର ଏପରି ଭାବାବେଗ ଯୋଗୁ ଲଜ୍ଜିତ ହୋଇ ସେ ମୋ ମୁହଁକୁ ଚାହିଁ ମୁରୁକି ହସିଲା ।

ଏଥର ସେ ପଚାରିଲା, ‘ମଦନ, ତୁମ ଘରେ ଏଇ ଦିଗରେ ନା ?’ ସେତେବେଳକୁ ଟାଙ୍ଗାଟା ଆମ ଘର ଆଡ଼େ ମୁହାଁଉଥିଲା । ମୁଁ କହିଲି, ‘ଆରେ, ମୁଁ ତୋତେ କହିବାକୁ ଭୁଲିଯାଇଚି । ଆମେ ଗୋଟିଏ ନୂଆ ଘରକୁ ଉଠିଯାଇଚୁ । ପୁରୁଣା ଘରଟିରେ ଆମେ ଭଡ଼ାରେ ଥିଲୁ । ଏ ଘରଟିକୁ ଆମେ କିଣିଛୁ । ସେ ଘରେ ପୂର୍ବରୁ ଗୋଟିଏ ମୁସଲମାନ ପରିବାର ରହୁଥିଲେ । ଦଙ୍ଗା ବେଳେ ବିଚରା ସାରା ପରିବାର ପ୍ରାଣ ହରାଇଲେ । କେବଳ ପୁଅ, ଯିଏ ଶ୍ରୀନଗରରେ ରହୁଥିଲା, ସେ ହିଁ ବର୍ତ୍ତି ଯାଇଥିଲା । ପାକିସ୍ତାନ ଯିବା ପୂର୍ବରୁ ସେ ଆମକୁ ଖୁବ୍‍ ଶସ୍ତାରେ ଘରଟିକୁ ବିକିଦେଇ ଚାଲିଗଲା ।’

ସେତେବେଳକୁ ଆମେ ଆସି ଆମ ଘର ସାମ୍ନାରେ ପହଞ୍ଚି ସାରିଥିଲୁ । ଏବେ ମୁଁ ସଲିମ ମୁହଁକୁ ଚାହିଁ ଆଶ୍ଚର୍ଯ୍ୟ ହୋଇଗଲି । ତା’ ମୁହଁକୁ ସତେକି ଦୁଃଖର କଳାବାଦଲ ଢାଙ୍କି ପକାଇଥିଲା । ଘର ଦୁଆର ମୁହଁରେ ହିଁ ସେ ଅଟକିଗଲା । ମୁଁ ମୋର ଭୁଲ୍‍ ବୁଝିପାରିଥିଲି । ଏବେ କ’ଣ କରିବି ତାହା ବୁଝି ପାରୁନଥିଲି । ଆଉ କିଛି ଚିନ୍ତା ନକରି ମୁଁ ତା’ ହାତ ଧରି କହିଲି, ‘ଭିତରକୁ ଆସ ସଲିମ ।’

କିଛି ନକହି ସେ ମୋ ପଛେ ପଛେ ଧୀରେ ଘର ଭିତରକୁ ଗଲା । ମୋର କିନ୍ତୁ ତା’ ମୁହଁକୁ ଚାହିଁବାକୁ ସାହସ କୁଳାଉ ନଥିଲା । ତା’ ମନ ଭିତରେ ଏବେ କିପ୍ରକାର ଝଡ଼ ଚାଲିଥିଲା ସେକଥା ମୁଁ ସେକଥା ଠିକ୍‍ ଠଉରାଇ ପାରୁନଥିଲି । ତା’ ପାହୁଣ୍ଡ ଥରି ଉଠୁଥିଲା । ମୋ ମନ କିନ୍ତୁ ଭୟରେ ଭରିଯାଇଥିଲା । ମୋତେ ଲାଗୁଥିଲା, ମୋ ହୃଦୟ ଯେପରି ଅଜଣା ଦୁଃଖର ଦରିଆ ପାଲଟି ଯାଇଛି! ମୋତେ ବେଳକୁ ବେଳ ଅଣନିଃଶ୍ୱାସୀ ଲାଗୁଥିଲା । ଏକ ବିଚିତ୍ର ଅପରାଧବୋଧ ମୋତେ ଗ୍ରାସ କରି ଚାଲିଥିଲା । ତା’ର କାରଣ ମୁଁ ଖୋଜି ପାଉନଥିଲି । ମୁଁ ସଲିମକୁ ଧରି ଉପର ମହଲାକୁ ଉଠିଗଲି ।

ସେଦିନ ମୋ ମାଆ ମାମୁଁ ଘରକୁ ବୁଲି ଯାଇଥିଲେ । ତେଣୁ ମୁଁ ତା’ଲାଗି ବ୍ୟସ୍ତ ନଥିଲି । ମୋ ଭଉଣୀକୁ ମୁଁ ବୁଝେଇ ଦେଇଥିଲି ଓ ସେ ମୋତେ ନିର୍ଭର ପ୍ରତିଶ୍ରୁତି ଦେଇଥିଲ ଯେ ସଲିମ ଆସି ଆମ ଘରେ ଚା’ପିଇ ଯାଇଛି ବୋଲି ସେ ମାଆକୁ କହିବନାହିଁ । ସେ ନିଜେ ଚା’ କରି ଆମ ଦୁହିଙ୍କୁ ଦେଇଥିଲା । ମୁଁ ବଜାରକୁ ଦୌଡ଼ିଯାଇ କିଛି ଜଳଖିଆ ଧରି ଆସିଲି । ମୋର ବିଶ୍ୱାସ ଥିଲା ଯେ ସଲିମ ଆମ ଘରେ ବସି ଚା’ ଜଳଖିଆ ଖାଇଚି ବୋଲି ଶୁଣିଲେ ମାଆ ନିଶ୍ଚେ ଖୁସି ହେବ । କିନ୍ତୁ ମୋ ମନରୁ ଏବେ ସବୁ ଆଗ୍ରହ ମରି ସାରିଥିଲା । ମୋତେ ଲାଗୁଥିଲା ଯେମିତି ମୁଁ ନିଜେ ନିଜକୁ ଠକିଚାଲିଛି । ମୁଁ ଚା’ଜଳଖିଆ ଧରି ଉପର ମହଲାକୁ ଉଠିଗଲି । ବୋଧହୁଏ ପବନ କବାଟଟିକୁ ଆଉଜାଇ ଆଣିଥିଲା । ମୁଁ ଦୁଇ ହାତରେ ଟ୍ରେ’ଟି ଧରିଥିବାରୁ ପାଦରେ କବାଟଟିକୁ ପାଦରେ ଜୋର୍‍କରି ଠେଲି ଖୋଲିଦେଲି । ସଲିମ୍‍ ହଠାତ୍‍ ଚମକି ଉଠିଲା । ସତେ ଯେମିତି ଭୂମିକମ୍ପ ଭଳି କିଛି ଗୋଟିଏ ଅଘଟଣ ଘଟିଲା ବୋଲି ସେ ଭାବିଲା । ତା’ଦେହରୁ ଗୋଟାଏ ଝାଳ ବୋହିଗଲା ।

ଆମେ ଦୁହେଁ ଖୁବ୍‍ କଷ୍ଟରେ ଅଧକପେ ଲେଖାଏଁ ଚା’ ପିଇପାରିଲୁ । ସଲିମ ସେତିକି ଚା’ ପିଇବାକୁ ମୋ ଠାରୁ ଅଧିକ କଷ୍ଟ ଅନୁଭବ କଲା । ସାମ୍ନାରେ ଥୁଆ ହୋଇଥିବା ଜଳଖିଆ କିନ୍ତୁ କେହି ଖାଇପାରିଲୁନି । ହଠାତ୍‍ ସଲିମ କହିଲା, ‘ ମଦନ, ଏଥର ଯିବା ।’ ମୁଁ ବି ସମ୍ମତି ଜଣାଇ କହିଲି, ‘ହଁ ।’ ଏତିକି କହି ମୁଁ ଉଠି ଠିଆ ହୋଇପଡ଼ିଲି । ଆମେ ଘରୁ ପଦାକୁ ବାହାରିଚୁ କି ନାହିଁ, ସଲିମ ଜୋର ଜୋର ପାହୁଣ୍ଡ ପକାଇ ଚାଲିବାକୁ ଆରମ୍ଭ କଲା । ମେନରୋଡକୁ ଉଠିବା ପରେ ଆମେ ଟାଙ୍ଗାଟିଏ ଧରିଲୁ । କ୍ୟାଣ୍ଟନମେଣ୍ଟରେ ପହଞ୍ଚିବାକୁ ଆମକୁ ଘଣ୍ଟାଏ ଲାଗିଗଲା । କିନ୍ତୁ ସେଇ ଘଣ୍ଟାକ ଭିତରେ ଆମେ କେହି କାହା ସହିତ ପଦଟିଏ ହେଲେ କଥାବାର୍ତ୍ତା ହୋଇନଥିଲୁ । ଏପରିକି ସେ ନୀରବତା ଆମ ଲାଗି ଅସହ୍ୟ ଥିଲା । ସତେ ଯେମିତି ଆମ ଚାରିକଡ଼େ ଘନ କୁହୁଡ଼ି ଘେରି ରହିଥିଲା ଓ ତା’ଭିତରେ ଆମକୁ କିଛି ହେଲେ ଦୃଶ୍ୟ ହେଉନଥିଲା ! ଆମ ହୃଦୟ ଭିତରେ ବି ସେତିକି ଯନ୍ତ୍ରଣା ଦୁହେଁ ଅନୁଭବ କରି ଚାଲିଥିଲୁ । ଟାଙ୍ଗାରୁ ଓହ୍ଲାଇପଡ଼ି ସଲିମ କହିଲା, ‘ମୁଁ ଯାଉଛି ।’

ମୁଁ ତଥାପି ଟାଙ୍ଗାରେ ସେମିତି ବସି ରହିଥିଲି । ସଲିମକୁ ମୁଁ କି ଉତ୍ତର ଦେବି ଭାବି ପାରୁନଥିଲି । ସଲିମ କିନ୍ତୁ ମୋ ମୁହଁରୁ କିିଛି ଉତ୍ତର ଆଶା ନକରି ମୋତେ ଚାହିଁ ରହିଥିଲା । ତା’ ଆଖିରେ ଥିବା ଭୟକୁ ମୁଁ ସ୍ପଷ୍ଟ ପଢ଼ିପାରୁଥିଲି । ଆମେ ଦୁହେଁ ଏମିତି କିଛି ସମୟ ପରସ୍ପରକୁ ଚାହିଁ ରହିଲୁ । ଯେମିତି କାହିଁ କେତେ ଦୂରରୁ ସେ ମୋତେ ଡାକୁଥିଲା- ‘ମଦନ!’ ମୋତେ ଏମିତି ଲାଗୁଥିଲା । ମୁଁ ଟାଙ୍ଗାରୁ ଓହ୍ଲେଇ ପଡ଼ିଲି । ସଲିମ ମୋ ଦି’ ବାହୁକୁ ହଠାତ୍‍ ଜାବୁଡ଼ିଧରି କେମିତି ଏକ ଭୟମିଶା ସ୍ୱରରେ ପଚାରିଲା, ‘ମଦନ, ତୁ କ’ଣ ମୋତେ କେବେ ଜୀବନରେ ମାରି ପାରିବୁ?’

ତା’ପରେ ସେ ପୁଣି ବଡ଼ ପାଟିରେ ଚିତ୍କାର କରି କହିଚାଲିଲା, ‘ନା, ନା, ତୁ କଦାପି ମୋତେ ମାରି ପାରିବୁନି… ମଦନ !’ ସଲିମର ଶରୀର ଏବେ ଗୋଟାପଣେ କମ୍ପି ଉଠୁଥିଲା । ଏତିକି କହି ସେ ହଠାତ୍‍ ହଷ୍ଟେଲ ଆଡ଼କୁ ଦୌଡ଼ିଲା ଓ ଭିତରେ ପଶିଗଲା । ମୁଁ ସେଇଠି ସେମିତି ନିଶ୍ଚଳ ମୂର୍ତ୍ତିଟିଏ ଭଳି ଠିଆ ହୋଇ ରହିଥିଲି । କେତେ ସମୟ ସେଠାରେ ମୁଁ ଠିଆ ହୋଇ ରହିଥିଲି ସେକଥା ମୁଁ ନିଜେ ସୁଦ୍ଧା ଜାଣି ନଥିଲି । ମୁଁ ନିଜେ ବୁଝି ପାରୁନଥିଲି ମୋ ସାମ୍ନାରେ ଏସବୁ କ’ଣ ସବୁ ଘଟିଯାଉଛି ।

ରୂପାନ୍ତରଣ: ସୁଭାଷ ଶତପଥୀ