Latest Odisha News

BREAKING NEWS

ଆଜିଠୁ ପିତୃପକ୍ଷ: ପୁରୀର ବିଭିନ୍ନ ତୀର୍ଥ ପୁଷ୍କରଣୀ ସମେତ ମହୋଦଧିରେ ଭିଡ଼

ପୁରୀ: ଆଜିଠୁ ଆରମ୍ଭ ହୋଇଛି ପିତୃପକ୍ଷ । ଆଶ୍ୱିନ ମାସର ପ୍ରଥମ ପକ୍ଷ “ପିତୃ ପକ୍ଷ” ନାମରେ ଜଣା । ପିତୃଗଣଙ୍କ ଉଦ୍ଦେଶ୍ୟରେ ଦାନ ଓ ଉତ୍ସର୍ଗ ଆଦି ପାଳନ କରାଯାଉଥିବାରୁ ଏହାକୁ “ପିତୃପର୍ବ” ମଧ୍ୟ କୁହାଯାଏ । ଆଶ୍ୱିନ ମାସ କୃଷ୍ଣ ପକ୍ଷ ପ୍ରତିପଦାଠାରୁ ଅମାବସ୍ୟା ପର୍ଯ୍ୟନ୍ତ ପନ୍ଦର ଦିନକୁ ପିତୃପକ୍ଷ କୁହାଯାଏ । ଚତୁର୍ଦ୍ଦଶୀ ଯାଏଁ ତର୍ପଣ କଲାପରେ ଅମାବସ୍ୟା ଦିନ ପିଣ୍ଡ ଦାନ କରାଯାଏ । ହିନ୍ଦୁ ଧାର୍ମିକ ପରମ୍ପରାରେ ପିତୃପୁରୁଷଙ୍କ ପାଇଁ ପାଳନ କରାଯାଉଥିବା ବିଭିନ୍ନ ଶ୍ରାଦ୍ଧ କର୍ମ ମଧ୍ୟରେ ମହାଳୟା ଶ୍ରେଷ୍ଠତମ । ଏହି ଅବସରରେ ପିତୃ ପକ୍ଷରେ ଯେକୌଣସି ଦିନ ନିଜର ସାଧ୍ୟ ମତେ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଓ ବ୍ରାହ୍ମଣ ଭୋଜନ ଦିଆଯାଏ । ଏହାଦ୍ୱାରା ପୁଣ୍ୟ ଲାଭ ଏବଂ ବଂଶର ଉତ୍ତର ପିଢ଼ିର ସକଳ ଉନ୍ନତି ହେଉଥିବା ବିଶ୍ୱାସ କରାଯାଏ ।

ମହାଦାନୀ କର୍ଣ୍ଣଙ୍କର ଦାତାପଣିଆର ପୁରସ୍କାର ସ୍ୱରୂପ ଯମପୁରରେ ତାଙ୍କୁ ସୁନା, ରୁପା ମିଳିଥିଲା । ହେଲେ, ଖାଦ୍ୟ ଦିଆଯାଇ ନ ଥିଲା । କାରଣ, ଜୀବିତାବସ୍ଥାରେ ସେ କେବେ ଅନ୍ନଦାନ କରି ନ ଥିଲେ । ଯମରାଜଙ୍କୁ ପ୍ରାର୍ଥନା କରି ସେ ଚଉଦ ଦିନ ପାଇଁ ମର୍ତ୍ତ୍ୟକୁ ଆସି ବ୍ରାହ୍ମଣ ତଥା ଗରିବମାନଙ୍କୁ ଅନ୍ନଦାନ ଦେଇଥିଲେ । ଯମପୁର ଫେରିବା ପରେ ତାଙ୍କୁ ଆଉ ଅନ୍ନରୁ ବଞ୍ଚିତ କରାଯାଇ ନ ଥିଲା । ମର୍ତ୍ତ୍ୟଲୋକରେ କର୍ଣ୍ଣ କଟାଇଥିବା ସେହି ଚଉଦ ଦିନ ଥିଲା ପିତୃ ପକ୍ଷ ।

ସେପଟେ ପିତୃପକ୍ଷ ଲାଗି ଚଳଚଞ୍ଚଳ ହୋଇଉଠିଛି ଶ୍ରୀକ୍ଷେତ୍ର । ଶ୍ରୀକ୍ଷେତ୍ରରେ ତିଳ ତର୍ପଣ ଏବଂ ପିଣ୍ଡଦାନ କରିଛନ୍ତି ଶ୍ରଦ୍ଧାଳୁ। ପିତୃପକ୍ଷ ପ୍ରଥମ ଦିନରେ ତୀର୍ଥରାଜ ମହୋଦଧି, ଶ୍ୱେତଗଙ୍ଗା, ମାର୍କଣ୍ଡ, ଇନ୍ଦ୍ରନ୍ଦ୍ୟୁମ୍ନ ଓ ନରେନ୍ଦ୍ର ପୁଷ୍କରିଣୀରେ ଶ୍ରଦ୍ଧାଳୁମାନେ ସ୍ନାନ କରି ତିଳତର୍ପଣ କରଛନ୍ତି। ଧାର୍ମିକ ଗ୍ରନ୍ଥ ଅନୁସାରେ ପାରିବାରିକ କଲ୍ୟାଣ ଓ ପିତୃ ପୁରୁଷଙ୍କ ଆତ୍ମ ଶାନ୍ତି ପାଇଁ ପିତୃ ପକ୍ଷରେ ଶ୍ରାଦ୍ଧ କର୍ମ କରିବା ଉଚିତ। ବିଧି ପୂର୍ବକ ଶ୍ରାଦ୍ଧ କଲେ ପିତୃ ଆଶୀର୍ବାଦ କରିଥାନ୍ତି । ବିଶ୍ୱାସ ରହିଛି ଏହି ପକ୍ଷରେ ପିତୃଗଣ କୌଣସି ନା କୌଣସି ରୂପରେ ଆମ୍ଭମାନଙ୍କ ପାଖକୁ ଆସନ୍ତି ଓ ଆଶୀର୍ବାଦ କରିଥାନ୍ତି ।

 

Leave A Reply

Your email address will not be published.