Latest Odisha News

ତାଳଚେର ସାର କାରଖାନାର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର : ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ତାଳଚେର ସାର କାରଖାନାର ଶିଳାନ୍ୟାସ କରିଛନ୍ତି । ଏଥିସହିତ ତାଳଚେରରେ ଏହି ସାର କାରଖାନା ପ୍ରକଳ୍ପ ନିର୍ମାଣ ହେବାରେ ଆନନ୍ଦ ପ୍ରକାଶ କରି ମୋଦି କହିଛନ୍ତି ଯେ “ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଅଧାପନ୍ତରିଆ ଭାବେ ଝୁଲିରହିଥିବା ଅନେକ ପ୍ରକଳ୍ପର ପୁନଃନିର୍ମାଣ ନେଇ ଜନସାଧାରଣ ସମସ୍ତ ଆଶା ହରାଇ ସାରିଥିଲେ । ମୁଁ ଆଜି ଅତ୍ୟନ୍ତ ଆନନ୍ଦିତ ଯେ ୧୩ ହଜାର କୋଟି ଟଙ୍କାର ଏହି ପ୍ରକଳ୍ପ ଆଜି ଆରମ୍ଭ ହେବାକୁ ଯାଉଛି” ।

ମୋଦି ଆହୁରି ମଧ୍ୟ କହିଛନ୍ତି ଅତ୍ୟାଧୁନିକ କୌଶଳରେ ନିର୍ମିତ ଏହି ସାରକାରଖାନାଟି ସମଗ୍ର ରାଷ୍ଟ୍ରକୁ ଏକ ନୂଆ ଦିଗଦର୍ଶନ ଦେବ ।

“ଆମେ ବିଦେଶରୁ ୟୁରିଆ ସାର ଆମଦାନୀ କରିଆସୁଛୁ କିନ୍ତୁ ଏହି ପ୍ରକଳ୍ପ ଦ୍ୱାରା ଓଡ଼ିଶା ଏବଂ ଦେଶର ଚାଷୀମାନଙ୍କ ଆଶା ଓ ଚାହିଦା ପୂରଣ ହେବ । ଏହି ପ୍ରକଳ୍ପରେ ପ୍ରାୟ ୪ହଜାର ୫ଶହ ନିଯୁକ୍ତି ସୁବିଧା ମିଳିବ । ଅନ୍ୟପକ୍ଷରେ ସାଧାରଣ ଜନତା ମଧ୍ୟ ଏହାଦ୍ୱାରା ଉପକୃତ ହେବେ” ।

ସେ ଆହୁରି ମଧ୍ୟ କହିଛନ୍ତି ତାଳଚେରରେ ଏହି ସାର କାରଖାନା ପ୍ରତିଷ୍ଠା ହେବାଦ୍ୱାରା ଏଠାକାର ଚାଷୀମାନେ ଖୁବ୍ ଉପକୃତ ହେବେ ।

ତେବେ “ ସୂଚନା ଅନୁସାରେ ଏହି ପ୍ରକଳ୍ପଟିର ନିର୍ମାଣ କାର୍ଯ୍ୟ ସମାପ୍ତ ହେବାକୁ ପାଖାପାଖି ୩୬ ମାସ ଲାଗିବ ଏବଂ ନିର୍ମାଣ କାର୍ଯ୍ୟ ସମାପ୍ତ ହେବା ପରେ ପୁଣିଥରେ ଏଠାକୁ ଆସି ଏହାକୁ ଜାତି ଉଦ୍ଦେଶ୍ୟରେ ସମର୍ପିତ କରିବେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ସେ ତାଙ୍କ ଉଦବୋଧନର ଅନ୍ତିମ ପର୍ଯ୍ୟାୟରେ ତାଙ୍କ ସରକାର ରାଷ୍ଟ୍ର ଲାଗି ପ୍ରତିଜ୍ଞାବଦ୍ଧ ତଥା ଦେଶକୁ ଏକ ନୂଆ ଦିଗନ୍ତରେ ପହଞ୍ଚାଇବା ଲାଗି ସମସ୍ତ ପ୍ରକାର ପ୍ରଚେଷ୍ଟା କରୁଥିବା ନେଇ କହିଥିଲେ ।

Leave A Reply

Your email address will not be published.