Latest Odisha News

ଆଜି ମୋଦିଙ୍କ କ୍ୟାବିନେଟ୍ ସମ୍ପ୍ରସାରଣ, ଏହି ନେତାଙ୍କୁ ମନ୍ତ୍ରିମଣ୍ଡଳରେ ମିଳିପାରେ ସୁଯୋଗ

ନୂଆଦିଲ୍ଲୀ: ଆଜି ହେବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ପାଳି ସରକାରରେ ପ୍ରଥମ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ । ସନ୍ଧ୍ୟା ୬ଟାରେ ନୂଆ ମନ୍ତ୍ରୀମାନେ ଶପଥ ନେଇପାରନ୍ତି । ମିଳିଥିବା ସୂଚନା ଅନୁସାରେ ପାଖାପାଖି ୨୦ ନୂଆ ଚେହେରାଙ୍କୁ ନିଜ ଟିମରେ ସାମିଲ କରି ପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କିଥଛି ନେତା ଡକରା ପାଇ ଦିଲ୍ଲୀରେ ପହଞ୍ଚି ସାରିଲେଣି । ହାତକୁ ବାଏ ବାଏ କହି ପଦ୍ମ ଧରିଥିବା ରାଜ୍ୟସଭା ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆ, ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ୱାଲ, ନାରାୟଣ ରାଣେଙ୍କ ଭଳି ହେଭିଓ୍ୱେଟ ନେତା କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସାମିଲ ହୋଇପାରନ୍ତି ।

ଏଥର ମନ୍ତ୍ରିମଣ୍ଡଳରେ ପଛୁଆ ବର୍ଗ, ଯୁବ ଓ ଦଳିତ ବର୍ଗରୁ ଅଧିକ ନେତାଙ୍କୁ ମିଳିପାରେ ମନ୍ତ୍ରୀ ପଦ । ସମ୍ଭାବ୍ୟ ମନ୍ତ୍ରୀ ତାଲିକାରେ ବିହାର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି, ମନୋଜ ତିଓ୍ୱାରୀ, ହୀନା ଗୋବିତ, ରାହୁଲ କାସଓ୍ୱାନଙ୍କ ଭଳି ଯୁବ ନେତାଙ୍କ ନାଁ ଆସୁଛି । ମନ୍ତ୍ରିମଣ୍ଡଳରେ କର୍ଣ୍ଣାଟକରେ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେଙ୍କୁ ନିର୍ବାଚନରେ ହରାଇଥିବା ଉମେଶ ଯାଘବଙ୍କୁ ସୁଯୋଗ ମିଳିପାରେ । ସେହିପରି ଲିଙ୍ଗାୟତ ସମୁଦାୟର ନେତା ଶିବ କୁମାର ଉଦାସୀ କିମ୍ବା ବି. ଓ୍ୱାଇ. ରାଘବେନ୍ଦ୍ରଙ୍କ ମଧ୍ୟରୁ ଜଣେ ମନ୍ତ୍ରୀ ହୋଇପାରନ୍ତି ।

ଓଡ଼ିଶାରୁ ଚର୍ଚ୍ଚାରେ ଅଛନ୍ତି ରାଜ୍ୟସଭା ସାଂସଦ ଅଶ୍ୱିନ ବୈଷ୍ଣବ, ପଶ୍ଚିମବଙ୍ଗରୁ ଶାନ୍ତନୁ ଠାକୁର ଓ ଦିଲ୍ଲୀପ ଘୋଷ, ବିହାରରୁ ଜେଡିୟୁ ନେତା ଆରସିପି ସିଂହ, ଲଲନ ସିଂହ ଓ ସନ୍ତୋଷ କୁଶଓ୍ୱାହଙ୍କ ନା ଶୁଣିବାକୁ ମିଳୁଛି । ହରିଆଣାରୁ ସୁନୀତା ଦୁଗଲ, ଲଦାଖରୁ ଜାମୟାଙ୍ଗ ନାମଙ୍ଗ୍ୟଲ ପ୍ରମୁଖ ଚର୍ଚ୍ଚାରେ ଅଛନ୍ତି । ତେବେ କେତେ ନିର୍ଦ୍ଦିଷ୍ଟ ଭାବରେ ମୋଦି ନିଜ ଟିମରେ କେତେ ଜଣଙ୍କୁ ସାମିଲ କରିବେ ଶପଥ ନେବା ପରେ ସ୍ପଷ୍ଟ ହେବ ।

ମୋଦି ସରକାରରେ ସାଂସଦଙ୍କ ସଂଖ୍ୟାକୁ ଦେଖିଲେ ଅତିକମରେ ୮୧ ଜଣ ମନ୍ତ୍ରୀ ହୋଇପାରିବେ । ଏବେ ୫୧ ଜଣ ନେତା ମନ୍ତ୍ରୀ ଅଛନ୍ତି । ଆଉ ୨୮ ଜଣ ନେତା ମନ୍ତ୍ରୀ ହୋଇପାରିବେ । କିନ୍ତୁ ଏଥର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣରେ ୨୦ରୁ ଅଧିକ ନେତାଙ୍କୁ ମିଳିପାରେ ମନ୍ତ୍ରୀ ପଦ । କିଛି ମନ୍ତ୍ରୀଙ୍କ ବିଭାଗ ବଦଳିପାରେ ।

Leave A Reply

Your email address will not be published.