ନୂଆଦିଲ୍ଲୀ: ଭଜନର ତାଳରେ ତାଳି, ହାତରେ ଡଫଲି ଏବଂ ସାମ୍ନାରେ ଯୁବପିଢ଼ି। ଦିଲ୍ଲୀରେ ଆୟୋଜିତ ଏକ ‘ଭଜନ କ୍ଲବିଂ’ କାର୍ଯ୍ୟକ୍ରମରେ ଶୁକ୍ରବାର ସାମିଲ ହୋଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦୀନଦୟାଲ ଉପାଧ୍ୟାୟ ପାର୍କରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସେ ଦର୍ଶକଙ୍କ ମଧ୍ୟରେ ବସି ଭଜନ ଶୁଣିଥିଲେ, ତାଳି ବଜାଇଥିଲେ ଏବଂ ଭଗବାନ ରାମଙ୍କୁ ସମର୍ପିତ ଭଜନ ସମୟରେ ଡଫଲି ଭଳି ଏକ ବାଦ୍ୟଯନ୍ତ୍ର ମଧ୍ୟ ବଜାଇ ଭଜନର ତାଳେ ତାଳେ ଝୁମିଥିଲେ ।
ଏହି କାର୍ଯ୍ୟକ୍ରମ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୧୧୦ତମ ଜନ୍ମଜୟନ୍ତୀ ଅବସରରେ ହୋଇଥିଲା। କାର୍ଯ୍ୟକ୍ରମକୁ ଆସିବା ସମୟରେ ପ୍ରଧାନମନ୍ତ୍ରୀ ଉପସ୍ଥିତ ଲୋକଙ୍କୁ ହାତ ହଲାଇ ଅଭିବାଦନ ଜଣାଇଥିଲେ। ଏହା ପୂର୍ବରୁ ସେ ଦୀନଦୟାଲ ଉପାଧ୍ୟାୟଙ୍କୁ ଶ୍ରଦ୍ଧାଞ୍ଜଳି ଦେଇ ‘ଅନ୍ତ୍ୟୋଦୟ’ ଦର୍ଶନ ସମ୍ପର୍କରେ ମଧ୍ୟ କହିଥିଲେ। କାର୍ଯ୍ୟକ୍ରମର ସବୁଠାରୁ ଆକର୍ଷଣୀୟ ଦୃଶ୍ୟ ଥିଲା ଯୁବପିଢ଼ିଙ୍କ ଉତ୍ସାହ। ଅଧିକାଂଶ ଦର୍ଶକ ଓ କଳାକାର ଯୁବକ-ଯୁବତୀ ଥିଲେ। ଭଜନର ତାଳରେ ସେମାନେ ତାଳି ବଜାଇବା ସହ ଗୀତରେ ସ୍ୱର ମିଳାଇଥିଲେ।
ତେବେ ‘ଭଜନ କ୍ଲବିଂ’ କ’ଣ? ଏହା ଭକ୍ତି ସଙ୍ଗୀତର ଏକ ଆଧୁନିକ ଶୈଳୀ। ସାଧାରଣ ଭଜନ କାର୍ଯ୍ୟକ୍ରମ ବଦଳରେ ଏଠାରେ କନ୍ସର୍ଟ ଭଳି ପରିବେଶରେ ବଡ଼ ସଂଖ୍ୟାରେ ଲୋକ, ବିଶେଷକରି ଯୁବପିଢ଼ି, ଏକାଠି ହୋଇ ଭଜନ ଗାଆନ୍ତି, ତାଳି ବଜାନ୍ତି ଓ ନାଚନ୍ତି। ପାରମ୍ପରିକ ଭଜନକୁ ଆଧୁନିକ ମ୍ୟୁଜିକ୍, ଲାଇଭ୍ ବ୍ୟାଣ୍ଡ୍ ଓ ଆଲୋକ ସଜ୍ଜା ସହ ପ୍ରସ୍ତୁତ କରାଯାଏ। ମଦ୍ୟପାନ ଭଳି କ୍ଲବ୍ର ସାଧାରଣ ଅଂଶ ଏଠାରେ ନଥାଏ। ଏହି ଧାରା ଭାରତର ବିଭିନ୍ନ ସହର ସହ ବିଦେଶରେ ମଧ୍ୟ ଲୋକପ୍ରିୟ ହେଉଛି ।
ଚଳିତ ବର୍ଷ ଜାନୁଆରୀରେ ‘ମନ୍ କି ବାତ୍’ରେ ମଧ୍ୟ ପ୍ରଧାନମନ୍ତ୍ରୀ ଏହି ‘ଭଜନ କ୍ଲବିଂ’ ଧାରାର ଉଲ୍ଲେଖ କରିଥିଲେ। ଭକ୍ତି, ସଂସ୍କୃତି ଓ ଆଧୁନିକତାର ମିଶ୍ରଣ ଭାବେ ଏହି ଧାରା ବିଶେଷକରି Gen Z ଯୁବପିଢ଼ି ମଧ୍ୟରେ ଆଗ୍ରହ ସୃଷ୍ଟି କରୁଥିବା ସେ କହିଥିଲେ। ଏଭଳି ଆୟୋଜନକୁ ସେ ଗ୍ଲୋବାଲ୍ କନ୍ସର୍ଟ ସହ ତୁଳନା କରିଥିଲେ।

