Latest Odisha News

BREAKING NEWS

ଆରବିଆଇ@୯୦: ୯୦ ବର୍ଷରେ ପାଦ ରଖିଲା ଭାରତୀୟ ରିଜର୍ଭ ବ୍ୟାଙ୍କ

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ, ଭାରତ ସରକାରଙ୍କର ସର୍ବୋଚ୍ଚ ଅର୍ଥନୈତିକ ନିୟନ୍ତ୍ରଣକାରୀ ସଂସ୍ଥା । ଭାରତରେ ଅର୍ଥନୈତିକ ଉନ୍ନତି, ସୁଧାର ଓ ସୁରୁଖୁରୁରେ ଚାଲିବା ପାଇଁ ଏହା ବିଭିନ୍ନ ନିୟମ ପ୍ରଣୟନ କରେ । ଏହା ନିଜ ଅଧୀନରେ ଥିବା ବିଭିନ୍ନ ମୁଦ୍ରଣ ସଂସ୍ଥା ସାହାଯ୍ୟରେ ଆବଶ୍ୟକ ଅନୁଯାୟୀ ନୂଆ ମୁଦ୍ରା ଛପାଇ ବଜାରକୁ ଛାଡିଥାଏ । ଏହା ଦେଶରେ ଥିବା ସମସ୍ତ ସରକାରୀ, ବେସରକାରୀ ଓ ଆନ୍ତର୍ଜାତୀୟ ବ୍ୟାଙ୍କମାନଙ୍କ ପାଇଁ ନିୟମ ପ୍ରଣୟନ କରିଥାଏ । ତେବେ ଆଜି ହେଉଛି ଏପ୍ରିଲ ମାସ ୧ ତାରିଖ । ଆଜିଠାରୁ ଆରମ୍ଭ ହୁଏ ଦେଶର ନୂତନ ଆର୍ଥିକ ବର୍ଷ । ତେବେ ଭାରତୀୟ ରିଜର୍ଭ ବ୍ୟାଙ୍କ ପାଇଁ ବହୁତ ଗୁରୁତ୍ଵପୂର୍ଣ୍ଣ ଦିନ । କାରଣ  ଆଜି ଭାରତୀୟ ରୋଜର୍ଭ ବ୍ୟାଙ୍କର ଜନ୍ମଦିନ । ୯୦ ବର୍ଷରେ ପାଦ ରଖିଛି ଭାରତୀୟ ରିଜର୍ଭ ବ୍ୟାଙ୍କ ।

ଆଜି ଭାରତୀୟ ରିଜର୍ଭ ବ୍ୟାଙ୍କର ୯୦ ତମ ଜନ୍ମ ଦିବସ ଅବସରରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ସମ୍ବୋଧିତ କରିବେ ପ୍ରଧାନମନ୍ତ୍ରୀ ମୋଦୀ । ଏହି ସମାରୋହରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ମଧ୍ୟ ଉପସ୍ଥିତ ରହିବେ।

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଆଜିକୁ ୯୦ ବର୍ଷ ପୂର୍ବେ ଅର୍ଥାତ୍ ଏପ୍ରିଲ ୧, ୧୯୩୫ରେ ପ୍ରତିଷ୍ଠା ହୋଇଥିଲା। ହିଲ୍‌ଟନ୍ ୟଙ୍ଗ କମିସନଙ୍କ ସୁପାରିସ ଆଧାରରେ ରିଜର୍ଭ ବ୍ୟାଙ୍କ ଗଠନ କରାଯାଇଥିଲା। ତତ୍କାଳୀନ ଇମ୍ପେରିଆଲ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଓ ‌କଣ୍ଟ୍ରୋଲର ଅଫ୍ କରେନ୍ସି ସମ୍ପାଦନ କରୁଥିବା କାର୍ଯ୍ୟକୁ ଅଧିଗ୍ରହଣ କରି ରିଜର୍ଭ ବ୍ୟାଙ୍କ ଏହାର ଯାତ୍ରା ଆରମ୍ଭ କରିଥିଲା। ଏହାର କାର୍ଯ୍ୟାଳୟ ପାକିସ୍ତାନ ଓ ମ୍ୟାମାର (ପୂର୍ବର ବର୍ମା)ରେ ମଧ୍ୟ ଥିଲା।

ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ଆକ୍ଟ, ୧୯୩୪ ଅନୁଯାୟୀ ଏହା ପ୍ରତିଷ୍ଠିତ ହୋଇଥିବାବେଳେ ୧ ଜାନୁୟାରୀ ୧୯୪୯ ରେ ରିଜର୍ଭ ବ୍ୟାଙ୍କର ଜାତୀୟକରଣ କରାଯାଇଥିଲା। ଭାରତୀୟ ରିଜର୍ଭ ବ୍ୟାଙ୍କ କେନ୍ଦ୍ର ସରକାର, ରାଜ୍ୟ ସରକାର, ବାଣିଜ୍ୟିକ ବ୍ୟାଙ୍କ, ରାଜ୍ୟ ସମବାୟ ବ୍ୟାଙ୍କଗୁଡିକପାଇଁ ବ୍ୟାଙ୍କର ଭାବରେ କାର୍ଯ୍ୟ କରିଥାଏ । ଏହା ସହିତ ଟଙ୍କାର ବିନିମୟ ମୂଲ୍ୟର ସ୍ଥିରତା ବଜାୟ ରଖିବାରେ ଆରବିଆଇ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।

ଏଥି ସହିତ ଆରବିଆଇ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠିରେ ଭାରତର ସଦସ୍ୟତା ସମ୍ବନ୍ଧରେ ସରକାରଙ୍କ ଏଜେଣ୍ଟ ଭାବରେ ମଧ୍ୟ କାର୍ଯ୍ୟ କରିଥାଏ। ଏହା ବ୍ୟତୀତ ରିଜର୍ଭ ବ୍ୟାଙ୍କ ମଧ୍ୟ ବିଭିନ୍ନ ପ୍ରକାରର ବିକାଶ ଏବଂ ପ୍ରୋତ୍ସାହନମୂଳକ କାର୍ଯ୍ୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।

 

Leave A Reply

Your email address will not be published.