Latest Odisha News

BREAKING NEWS

ମୋଦିଙ୍କ ମିଶନ ଭ୍ୟାକସିନ୍: ଦେଶର ୩ଟି ଲ୍ୟାବରେ ଟିକା ଉତ୍ପାଦନର କଲେ ସମୀକ୍ଷା

ନୂଆଦିଲ୍ଲୀ: କରୋନା ମହାମାରୀରୁ ମୁକୁଳିବା ପାଇଁ ସାରା ବିଶ୍ବ ଟିକା ପ୍ରସ୍ତୁତିରେ ଲାଗିଛି । ଅନେକ ଟିକା ଉତ୍ପାଦନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଭାରତରେ ବି ଟିକା ଉତ୍ପାଦନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏହାରି ଭିତରେ ପ୍ରଧାନମନ୍ତ୍ରୀ ଦେଶର ତିନିଟି ଲ୍ୟାବରେ ଟିକା ଉତ୍ପାଦନର ସମୀକ୍ଷା କରିଛନ୍ତି । ଅହମ୍ମଦାବାଦ, ହାଇଦ୍ରାବାଦ ଓ ପୁଣେ ଗସ୍ତ କରି ଉତ୍ପାଦନ ପ୍ରକ୍ରିୟାର ସମୀକ୍ଷା କରିଛନ୍ତି ମୋଦି ।

ପ୍ରଧାନମନ୍ତ୍ରୀ ତାଙ୍କ ଗସ୍ତର ଶେଷରେ ପୁଣେ ସ୍ଥିତ ସିରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଯାଇଥିଲେ । କୋଭିସିଲଡ୍ ଟିକା ଉତ୍ପାଦନ ପଦ୍ଧତିର ସମୀକ୍ଷା କରିଥିଲେ । ବୈଜ୍ଞାନିକ ଓ ଅନୁଷ୍ଠାନର ଅଧିକାରୀଙ୍କ ସହ ଆଲୋଚନା କରିଥିଲେ । ଟିକା ଯୋଗାଣ ବଣ୍ଟନ ନେଇ କଥା ହୋଇଥିଲେ ମୋଦି । ସିରମ୍ ଇନଷ୍ଟିଚ୍ୟୁଟ ସହ କଥାବାର୍ତ୍ତା ନେଇ ମୋଦି ଟ୍ବିଟ୍ କରି ସୂଚନା ଦେଇଛନ୍ତି । ମୋଦି କହିଛନ୍ତି, ଭଲ କଥାବାର୍ତ୍ତା ହୋଇଛି । ବର୍ତ୍ତମାନ ସୁଦ୍ଧା ଟିକା ଉତ୍ପାଦନ କେତେ ଆଗକୁ ବଢିଛି, ସେ ସଂପର୍କରେ ସୂଚନା ନେଇଥିବା କହିଛନ୍ତି ।

ପ୍ରଥମେ ମୋଦି ଅହମ୍ମଦାବାଦ ସ୍ଥିତ ଜାଇଡସ୍ ବାୟୋଟେକ୍ ପାର୍କଠାରେ ଜାଇଡସ୍ କାଡିଲା ଟିକା ବିକାଶ ପ୍ରକ୍ରିୟାର ସମୀକ୍ଷା କରିଥିଲେ । ସେଠାରେ ମୋଦିଙ୍କୁ ଟିକା ସମ୍ବନ୍ଧୀୟ ସମସ୍ତ ତଥ୍ୟ ଦିଆଯାଇଥିଲା । ଟିକା ଉତ୍ପାଦନ ଓ ବିକାଶ ଲ୍ୟାବ୍ ବୁଲି ଦେଖିଥିଲେ ପ୍ରଧାନମନ୍ତ୍ରୀ । ଏହି ସମୟରେ ତାଙ୍କ ସହ ବୈଜ୍ଞାନିକମାନେ ମଧ୍ୟ ଉପସ୍ଥିତ ଥିଲେ । ଏଠାରୁ ମୋଦି ହାଇଦ୍ରାବାଦ ଭାରତ ବାୟୋଟେକ୍ ଗସ୍ତ କରିଥିଲେ । ବୈଜ୍ଞାନିକଙ୍କ ସହ ଟିକା ଉତ୍ପାଦନ ଓ ଯୋଗାଣ ବିଷୟରେ ଆଲୋଚନା କରିଥିଲେ । ଟିକା ବିକାଶ ପାଇଁ ବୈଜ୍ଞାନିକଙ୍କ ଉଦ୍ୟମକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ଭାରତ ବାୟୋଟେକ ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷା ଚାଲିଛି । ୨୬ ହଜାର ଲୋକଙ୍କଠାରେ ଭ୍ୟାକସିନ୍ ଟ୍ରାଏଲ କରାଯାଇଛି ।

Leave A Reply

Your email address will not be published.