Latest Odisha News

କିଟରେ ଛାତ୍ରୀଙ୍କ ଆତ୍ମହତ୍ଯା ଘଟଣାରେ ଏଭଳି ଅପିଲ୍ କଲେ କର୍ତ୍ତୁପକ୍ଷ

ଭୁବନେଶ୍ୱର: କିଟ୍ ବିଶ୍ୱବିଦ୍ୟାଳୟର ଛାତ୍ରୀନିବାସରେ ଜଣେ ନେପାଳୀ ଝିଅଙ୍କ ଆତ୍ମହତ୍ଯା ଏକ ଦୁର୍ଭାଗ୍ୟଜନକ ଘଟଣା। ସଂପୂର୍ଣ୍ଣ ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ ପାଇଁ ମାମଲା ପୋଲିସକୁ ହସ୍ତାନ୍ତର କରାଯାଇଥିବା ନେଇ କର୍ତ୍ତୁପକ୍ଷ ପ୍ରକାଶ କରିଛନ୍ତି।

ଛାତ୍ରୀଙ୍କ ସହପାଠୀ ମାନଙ୍କ କହିବାନୁସାରେ ସେ ଜଣେ ଛାତ୍ରଙ୍କ ସହିତ ସଂପର୍କରେ ଥିଲେ। ଯାହାର ଫଳାଫଳ ଶେଷରେ ଏହି ହୃଦୟ ବିଦାରକ ଘଟଣାର ରୂପ ନେଇଥିଲା। ଏହି ମାମଲାରେ ପୋଲିସ ତୁରନ୍ତ ସଂପୃକ୍ତ ଛାତ୍ରଙ୍କୁ ଗିରଫ କରିଥିଲା।

କ୍ୟାମ୍ପସ ପରିସରରେ ସ୍ଥିତିକୁ ଶାନ୍ତ କରିବା ପାଇଁ କିଟ୍ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା ଜାରି ରଖିଥିଲେ। କିଟ୍ କର୍ତ୍ତୃପକ୍ଷଙ୍କ ସମସ୍ତ ପ୍ରୟାସ ସତ୍ତ୍ୱେ, ଛାତ୍ରଛାତ୍ରୀମାନେ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ କଥା ଶୁଣିନଥିଲେ। ଫଳରେ ସେମାନେ ଘଣ୍ଟା ଘଣ୍ଟା ଧରି ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ। ଯେଉଁଥିପାଇଁ ଜନସାଧାରଣଙ୍କ ଯାତାୟାତରେ ଅସୁବିଧା ହୋଇଥିଲା।

ଅପରପକ୍ଷରେ ଏଭଳି ଅପ୍ରୀତିକର ଘଟଣାକୁ ରୋକିବା ପାଇଁ ନେପାଳୀ ଛାତ୍ରମାନଙ୍କୁ ପୋଲିସ୍‍ ତଦନ୍ତ ସମାପ୍ତ ନହେବା ପର୍ଯ୍ୟନ୍ତ ସ୍ଥାନୀୟ ଅଭିଭାବକଙ୍କ ସହାୟତାରେ ସ୍ୱେଚ୍ଛାକୃତ ଭାବରେ ସେମାନଙ୍କ ନିଜ ନିଜ ସ୍ଥାନକୁ ଫେରିବାକୁ ପରାମର୍ଶ ଦିଆଯାଇଥିଲା। ତେବେ ଆଜି ଛାତ୍ରାବାସର ଅସ୍ଥାୟୀ ନିଲମ୍ବନକୁ କିଟ୍‍ ପକ୍ଷରୁ ପ୍ରତ୍ୟାହାର କରି ନିଆଯିବା ସହ ଛାତ୍ରମାନଙ୍କୁ କ୍ୟାମ୍ପସକୁ ଫେରି ପାଠପଢ଼ାରେ ଯୋଗଦେବା ପାଇଁ ଅନୁରୋଧ କରାଯାଇଛି।

ସେହିପରି ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଏକ ବିବୃତ୍ତିରେ କହିଛନ୍ତି ଯେ ନେପାଳ ସରକାର କୂଟନୈତିକ ସ୍ତରରେ ଏହି ପ୍ରସଙ୍ଗରେ ଆଲୋଚନା କରୁଛନ୍ତି। ଆହୁରି ମଧ୍ଯ ନୂଆଦିଲ୍ଲୀ ସ୍ଥିତ ନେପାଳ ଦୂତାବାସ ଏଠାରେ ନେପାଳୀ ଛାତ୍ରଛାତ୍ରୀଙ୍କୁ ସୁରକ୍ଷା ଦେବା ପାଇଁ ଦୁଇ ଜଣ ଅଧିକାରୀଙ୍କୁ ଓଡି଼ଶା ପଠାଇଥିବା ଜଣାପଡିଛି।

Comments are closed.