Latest Odisha News

BREAKING NEWS

୫୬ତମ ପୋଲିସ ମହାନିର୍ଦ୍ଦେଶକ ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଆସନ୍ତା ୨୦ ଓ ୨୧ ତାରିଖରେ ଲକ୍ଷ୍ନୌରେ ଅନୁଷ୍ଠିତ ହେଉଛି ପୋଲିସ ମହାନିର୍ଦ୍ଦେଶକଙ୍କ ୫୬ତମ ସମ୍ମିଳନୀ । ଲକ୍ଷ୍ନୌର ପୋଲିସ ସଦର କାର୍ଯ୍ୟାଳୟରେ ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିରେ ବିଭିନ୍ନ ପୋଲିସ ବାହିନୀର ଡିଜିପିଙ୍କ ସହିତ ଆଇଜିପି ସାମିଲ ହେବେ ।

ଦୁଇ ଦିନିଆ ସମ୍ମିଳନୀ ମିଶ୍ରିତ ଆକାରରେ ଅନୁଷ୍ଠିତ ହେବ । ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପୋଲିସ ମହାନିର୍ଦ୍ଦେଶକ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ ଓ କେନ୍ଦ୍ରୀୟ ପୋଲିସ ପ୍ରତିଷ୍ଠାନର ମହାନିର୍ଦ୍ଦେଶକ ସମ୍ମିଳନୀରେ ଅଂଶଗ୍ରହଣ କରିବେ । ଅବଶିଷ୍ଟ ଆମନ୍ତ୍ରିତ ପୋଲିସ ଅଧିକାରୀ ଭର୍ଚୁଆଲ ବ୍ୟବସ୍ଥାରେ ଦେଶର ୩୭ଟି ବିଭିନ୍ନ ଗୁଇନ୍ଦା ବ୍ୟୁରୋ, ପ୍ରାଦେଶିକ ଗୁଇନ୍ଦା ବ୍ୟୁରୋ ସଦର କାର୍ଯ୍ୟାଳୟରୁ ଏହି ସମ୍ମିଳନୀରେ ଭାଗ ନେବେ ।

ସମ୍ମିଳନୀରେ ସାଇବର ଅପରାଧ, ଡାଟା ଗଭର୍ଣ୍ଣାନ୍ସ, ଆତଙ୍କବାଦୀ କାର୍ଯ୍ୟକଳାପର ମୁକାବିଲା, ବାମ ଉଗ୍ରପନ୍ଥୀ କାର୍ଯ୍ୟକଳାପର ଦମନ, ମାଦବଦ୍ରବ୍ୟ ଚୋରା କାରବାରର ନୂଆ ଧାରା ଏବଂ କାରାଗାର ସଂସ୍କାର ଆଦି ବିଭିନ୍ନ ବିଷୟରେ ଆଲୋଚନା ହେବ । ୨୦୧୪ରୁ ପ୍ରଧାନମନ୍ତ୍ରୀ ପୋଲିସ ମହାନିର୍ଦ୍ଦେଶକ ସମ୍ମିଳନୀ ପ୍ରତି ବିଶେଷ ଆଗ୍ରହ ପ୍ରକାଶ କରି ଆସୁଛନ୍ତି । ପୂର୍ବରୁ ଏଭଳି ସମ୍ମିଳନୀରେ ପ୍ରତୀକାତ୍ମକ ଉପସ୍ଥିତି ବଦଳରେ ପ୍ରତ୍ୟକ ଅଧିବେଶନରେ ଭାଗ ନେଇ ମୁକ୍ତ ଓ ଅଣଆନୁଷ୍ଠାନିକ ଆଲୋଚନାକୁ ପ୍ରଧାନମନ୍ତ୍ରୀ ପ୍ରୋତ୍ସାହିତ କରିଆସୁଛନ୍ତି । ଆଲୋଚନା ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କୁ ଦେଶର ଗୁରୁତ୍ବପୂର୍ଣ୍ଣ ପୋଲିସ ଓ ଆଭ୍ୟନ୍ତରୀଣ ନିରାପତ୍ତା ପ୍ରସଙ୍ଗରେ ସିଧାସଳଖ ଅବଗତ କରାଯାଉଛି ।

ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ଓ ଲକ୍ଷ୍ୟ ଅନୁସାରେ ୨୦୧୪ରୁ ପୋଲିସ ମହାନିର୍ଦ୍ଦେଶକ ସମ୍ମିଳନୀ ପାରମ୍ପରିକ ଭାବେ ରାଜଧାନୀ ଦିଲ୍ଲୀରେ ନ ହୋଇ ବିଭିନ୍ନ ରାଜ୍ୟରେ ଅନୁଷ୍ଠିତ ହେଉଛି । ପୂର୍ବରୁ ଏହା କେବଳ ଦିଲ୍ଲୀରେ ଆୟୋଜିତ ହେଉଥିଲା । କରୋନା ମହାମାରୀ ଯୋଗୁଁ ୨୦୨୦ ଡିଜିପି ସମ୍ମିଳନୀ ଭର୍ଚୁଆଲ ମୋଡରେ କରାଯାଇଥିଲା । ୨୦୧୪ରେ ଏହି ସମ୍ମିଳନୀ ଗୁଆହାଟୀରେ, ୨୦୧୫ରେ କଚ୍ଛର ଧୋରଡୋ, ୨୦୧୬ରେ ହାଇଦ୍ରାବାଦର ଜାତୀୟ ପୋଲିସ ଏକାଡେମୀ, ୨୦୧୭ରେ ଟେକ୍ନପୁରର ବିଏସ୍ଏଫ୍ ଏକାଡେମୀ, ୨୦୧୮ରେ କେୱାଡିୟା ଏବଂ ୨୦୧୯ରେ ପୁଣେର ଆଇଆଇଏସ୍ଆରରେ ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.