Latest Odisha News

BREAKING NEWS

ବାଉଁଶରେ ବିଷ ଦେଇ ହାତୀ ମାରୁଥିଲେ; ଖସିଗଲେ ୩, ଜଣଙ୍କୁ ଗିରଫ କଲା ବନ ବିଭାଗ

ବାରିପଦା: ରାଜ୍ୟରେ ହାତୀ ମୃତ୍ୟୁ ଥମୁନି । କେବେ ବିଦ୍ୟୁତ୍ ଲାଗି ତ ଆଉ କେବେ ହାତୀ ମଣିଷ ଲଢ଼େଇରେ ଜୀବନ-ଜୀବିକା ବାଜି ଲାଗୁଛି । ହାତୀ ବଂଶ ବୃଦ୍ଧି ସହ ଗଜରାଜଙ୍କ ସୁରକ୍ଷା ଲାଗି ସରକାର ଯୋଜନା କରୁଥିବା ବେଳେ ଶିକାରୀ ଶିକାର ଲାଗି ନୂଆ ପନ୍ଥା ଆପଣାଉଛନ୍ତି ।

ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟ ଅସ୍ତକୁଆଁର ଗାଁରୁ ବନ ବିଭାଗ ୪ଟି ହାତୀ ଦାନ୍ତ ଜବତ କରିଥିବା ବେଳେ ଜଣଙ୍କୁ ଗିରଫ କରିଛି । ହାତୀ ଶିକାରରେ ସମ୍ପୃକ୍ତ ଆଉ ୩ ଜଣ ଖସି ପଳାଇଛନ୍ତି । ଗିରଫ ଜଣଙ୍କ ଯଶୀପୁର ଥାନା ଗଡ଼ଶିମିଳିପାଳର ରଘୁନାଥ ପିଙ୍ଗୁଆ । ରଘୁନାଥ ଅନ୍ୟ ସହଯୋଗୀଙ୍କ ସହ ମିଶି ୨୦୨୨ ଡିସେମ୍ବର ଓ ୨୦୨୩ ଫେବ୍ରୁଆରୀରେ ଯଥାକ୍ରମେ ଜେନାବିଲ ରେଞ୍ଜର ଗୁରୁଣ୍ଡିଆ ଓ ପିଠାବଟା ରେଞ୍ଜର ବାଲିଖାଳ ନିକଟରେ ହାତୀ ଶିକାର କରିଥିଲେ ।

ଶିମିଳିପାଳ ଉପନିର୍ଦ୍ଦେଶକ ଡ. ସମ୍ରାଟ ଗୌଡ଼ାଙ୍କ ଅନୁସାରେ, ହାତୀ ଶିକାର ପାଇଁ ଏମାନେ ବାଉଁଶ ଗଛରେ ଏକ ପ୍ରକାର ବିଷ ବୋଳି ଦିଅନ୍ତି । ଆଉ ସେହି ବିଷାକ୍ତ ବାଉଁଶ ପତ୍ର ଖାଇବା ବେଳେ ଅଚେତ ହୋଇ ପଡ଼େ ଦନ୍ତା । ଏହା ପରେ ଏମାନେ ଦେଶୀ ବନ୍ଧୁକରୁ ହାତୀକୁ ଗୁଳି କରିବା ସହ ଦାନ୍ତକୁ କାଢ଼ି ନେଇଥାନ୍ତି ।

ବନ ବିଭାଗର ୨ଟି ଟିମ୍ ୪ଟି ହାତୀ ଦାନ୍ତ ଜବତ କରିଥିବା ବେଳେ ଜଣଙ୍କୁ ଗିରଫ କରିଛି । ଅନ୍ୟମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଡ. ପ୍ରକାଶ ଚାନ୍ଦ ଗୋଗିନେନି । ଜବତ ହାତୀ ଦାନ୍ତ ମଧ୍ୟରୁ ୨ଟିର ଓଜନ ୯ଶହ ଗ୍ରାମ ଥିବା ବେଳେ ଆଉ ୨ଟି ୨୨ଶହ ଗ୍ରାମର ।

Leave A Reply

Your email address will not be published.