କବିତା; ରାସ୍ତାରେ କଣ୍ଟା ପୋତୁଥିବା ମାଲିକ, ଶୁଣ!!

0
7

କେଦାର ମିଶ୍ର

ରାସ୍ତା ସାରା କଣ୍ଟା, ରାସ୍ତା ସାରା ନିଆଁ

ସାରା ରାସ୍ତା ଅହଙ୍କାରର ଏକ ଉତ୍ତପ୍ତ ନଦୀ

 

ଏ ରାସ୍ତା କିନ୍ତୁ ତିଆରି ହୋଇଥିଲା ମୋର ହାଡରେ

ଏ ରାସ୍ତାରେ ପଥର ଓ ପିଚୁ ହୋଇ

କଂକ୍ରିଟ ଓ ପାଣି ହୋଇ

ଢଳା ହୋଇଥିଲା ମୋର ଭାଗ୍ୟ

 ଏ ରାସ୍ତାରେ ରୋଲର ହୋଇ ଗଡି ଥିଲା ମୋର ପିଠି

ଧୁର୍ମୁସ ତଳେ ଛେଚା ଖାଇଥିଲା ମୋର ପୁରୁଷ ପୁରୁଷର ଜୀବନ

ତରଳ ପିଚୁରେ ପୋଡିଥିଲା ମୋର ନିଃଶ୍ଵାସ ପ୍ରଶ୍ଵାସ

 

ଏ ରାସ୍ତାରେ ମୋ ବାପା ଦିନେ ମୂଲ ଖଟିଥିଲା

 ଏ ରାସ୍ତା ଲାଗି ପଥର ବୋହି

ଭାଙ୍ଗି ଯାଇଥିଲା ମୋ ମା ର କାନ୍ଧ

 ଏ ରାସ୍ତାରେ ମୋ ଝିଅ ଓ ଭଉଣୀ

ମାଡ ଖାଇଥିଲେ ମଦୁଆ ଠିକାଦାର ପାଖରୁ

ଏ ରାସ୍ତା ହେବ ବୋଲି

ମୋର ପ୍ରେମିକା ଝୁଲି ପଡିଥିଲା ଅଧକଟା ଗୋଟେ ଗଛ ଡାଳରେ

କୌଣସି ଏକ ବିଷାକ୍ତ ରାତିରେ

 

 ଏ ରାସ୍ତା ଲାଗି ପଥର ହୋଇଗଲା ମୋର କ୍ଷେତ

 ଏ ରାସ୍ତା ଲାଗି ସାପ ହୋଇଗଲା ମୋର ଗାଁ

 ଏ ରାସ୍ତାରେ ମୁଁ ତମକୁ ପଠେଇଲି ସଂସଦ ଓ ବିଧାନସଭାକୁ

 ଏ ରାସ୍ତାରେ ମୋର ସ୍ଵପ୍ନ ବିକା ହେଲା

ଦୁଇ ଟଙ୍କାର ବାଦାମ ପୁଡିଆ ପରି

 

ଏ ରାସ୍ତା ମୋର ସରୁନଥିବା ମେରୁଦଣ୍ଡର ଟାଣପଣ

ଏ ରାସ୍ତା ମୋର ମଣିଷ ଭାବେ ଚାଲି ପାରିବାର

ଏକମାତ୍ର ନିର୍ଜୀବ ପ୍ରମାଣ

 

ଆଜି ତମେ ମୋତେ ବେଦଖଲ କରୁଛ ମୋର ରାସ୍ତାରୁ

ମୋର ରାସ୍ତାରେ ପୋତୁଚ୍ଛ ମୁନିଆଁ ଲୁହାକଣ୍ଟା

ମୋର ରାସ୍ତାରେ ତିଆରି କରୁଛ ଷଡଯନ୍ତ୍ର

ମୋରରାସ୍ତା ସାରା ବିଛେଇ ଚାଲିଛ ମୃତ୍ୟୁ ଓ ଧ୍ଵଂସ

 

ମୋର ରାସ୍ତା ଦେଇ ସିଂହାସନରେ ବସିଲା ପରେ

ଆଜି ତମେ ମୋତେ ବୁଝେଇ ଦେଇଛ

ରାସ୍ତା ତିଆରିଥିବା ଲୋକ କେବେହେଲେ ରାସ୍ତାର ମାଲିକ ନୁହେଁ

 

ତମେ ଆଜି ମୋ ରାସ୍ତାର ମାଲିକ

ତମେ ଆଜି କଣ୍ଟା ଓ ନିଆଁ ର ମାଲିକ

ତମେ ଆଜି ମୋର ଭାଗ୍ୟ ଓ ଜୀବନର ମାଲିକ

ହେଲେ ଗୋଟେ କଥା ମନେରଖ ହୋ ମାଲିକ

କେବେ ଦିନେ ଏ ରାସ୍ତାରେ ମୋ ଲାଗି ବିଛା ହୋଇଥିବା କଣ୍ଟା

ତମ ସିଂହାସନରେ କଣ୍ଟକ ହେବ ହୋ ମାଲିକ!! 

………..

ବିନୋଦିନୀ ନିବାସ

265/1736 ଏ, ଶାସ୍ତ୍ରୀ ନଗର

ୟୁନିଟ-4, ଭୁବନେଶ୍ୱର-1