Latest Odisha News

BREAKING NEWS

ଲେଖକ ଓ ଅର୍ଥନୀତିଜ୍ଞ ବାସୁଦେବ ସାହୁଙ୍କ ପରଲୋକ

ଭୁବନେଶ୍ୱର: ବିଶିଷ୍ଟ ଅର୍ଥନୀତିଜ୍ଞ ଭାବେ ଜଣାଶୁଣା ସୁଲେଖକ ଡ. ବାସୁଦେବ ସାହୁଙ୍କର ଗତ ୧୯ ତାରିଖ ରାତି ୧୦ଟା ୩୦ରେ ପୁରୁଣା ଭୁବନେଶ୍ୱରସ୍ଥିତ ବାସଭବନରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ହୋଇଥିଲା । ରାସ୍ତା ଦୁର୍ଘଟଣା କାରଣରୁ ସେ କିଛିଦିନ ହେବ କୋମାରେ ଥିଲେ ।

ବାସୁଦେବ ସାହୁଙ୍କର ଜନ୍ମ ୧୯୩୪ରେ, ଭଦ୍ରକ ଜିଲ୍ଲା ଧୁଷୁରି ପଞ୍ଚାୟତର ସାହସପୁର ଗ୍ରାମରେ । ଭଦ୍ରକ କଲେଜରୁ ନିଜ ବୃତ୍ତିଗତ ଜୀବନ ଆରମ୍ଭ କରି ସେ ପରବର୍ତ୍ତୀ ସମୟରେ ଜି.ଏମ. କଲେଜ୍‍ ସମ୍ବଲପୁର, ରେଭେନ୍‍ସା କଲେଜ୍‍ କଟକରେ ଅର୍ଥନୀତିର ପ୍ରଫେସର ଭାବେ ଶିକ୍ଷାଦାନ କରିଥିଲେ । କିଛି ଦିନ ପାଇଁ ଉତ୍କଳ ବିଶ୍ୱବିଦ୍ୟାଳୟରେ ମଧ୍ୟ ସେ ଅଧ୍ୟାପନା କରିଥିଲେ।

ଅର୍ଥନୀତି ଓ ସାମାଜିକ ସମସ୍ୟାକୁ ନେଇ ସେ ରଚନା କରିଥିଲେ ଅନେକ ପୁସ୍ତକ । ସମାଜ ଜିଜ୍ଞାସା, ସମାଜ ଓ ସଂହତି, ଶାସନ ପ୍ରଶାସନ ଓ ପ୍ରଗତି, ସାହିତ୍ୟ ଓ ସମାଜବାଦ, ସାହିତ୍ୟ ସମାଜ ଓ ଅର୍ଥନୀତି, ନାନା ରୂପେ ନାରୀ ଆଦି ପ୍ରବନ୍ଧ ସଂକଳନ ପାଇଁ ସେ ପାଠକ ମହଲରେ ସୁପରିଚିତ ।

ସାହିତ୍ୟ ଜଗତକୁ ମଧ୍ୟ ତାଙ୍କର ଅବଦାନ କିଛି କମ୍‍ ନଥିଲା । ଦୃଶ୍ୟାନ୍ତର, ପୂର୍ବାପର, ପ୍ରଣୟ ପାରିଧି, ଦୂରଗାଁ ନଈ, ଅନନ୍ୟ, ଶେଷ ବସନ୍ତର ଗୀତ, ବର୍ଣ୍ଣିଳ ପୃଥିବୀ, ସୂର୍ଯ୍ୟାବର୍ତ୍ତ, ପ୍ରତିମୂର୍ତ୍ତି, ଅସ୍ତସୂର୍ଯ୍ୟ, କେତୋଟି ପ୍ରେମକଥା, ଛିନ୍ନ ରାଗ ଆଦି ଅନେକ ସାହିତ୍ୟ ପୁସ୍ତକର ସେ ରଚୟିତା ।

ତାଙ୍କ ରଚିତ ‘ଆମେରିକାରେ କିଛିଦିନ’ ଭ୍ରମଣକାହାଣୀ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲା । ଗବେଷଣାମୂଳକ ପତ୍ରିକା ‘ଭିଜନ୍‍’ ଓ ‘କ୍ରାନ୍ତିପଥ’ ଆଦିର ସେ ଥିଲେ ସମ୍ପାଦକ । ଦୀର୍ଘଦିନ ଧରି ସେ ଥିଲେ ଓଡ଼ିଶା ଲେଖକ ସାମ୍ମୁଖ୍ୟର ଉପସଭାପତି ।

Leave A Reply

Your email address will not be published.