Latest Odisha News

BREAKING NEWS

ବ୍ରହ୍ମପୁରରେ ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାସ, ସୁନା ଓ ନଗଦ ଟଙ୍କା ଜବତ

ବ୍ରହ୍ମପୁର: ମଙ୍ଗଳବାର ଦିନ ଏକାଧିକ ଲୁଟ୍ ଘଟଣାରେ ସମ୍ପୃକ୍ତ ଥିବା ଏକ ସଙ୍ଗଠିତ ଲୁଟେରା ଗ୍ୟାଙ୍ଗକୁ ପୁଲିସ ଠାବ କରିଛି। ସୁନା ଋଣ ଫାଇନାନ୍ସ କମ୍ପାନୀର ଶାଖା ପରିଚାଳକ ଓ ଦୁଇ ସୁନା ବ୍ୟବସାୟୀଙ୍କ ସମେତ ୪ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ବିପୁଳ ପରିମାଣର ଚୋରି ସୁନା ଓ ଟଙ୍କା ଜବତ କରାଯାଇଛି।

ଏହି ଗ୍ୟାଙ୍ଗ ଘରୁ ଚୋରି କରିବା ସହ ଚୋରି ହୋଇଥିବା ସୁନା ଗହଣାକୁ ବ୍ରାଞ୍ଚ ମ୍ୟାନେଜର ଓ ସୁନା କାରିଗରଙ୍କ ସହାୟତାରେ ନଷ୍ଟ କରି ଦେଉଥିବା ଅଭିଯୋଗ ହୋଇଛି।

ଗତ ସେପ୍ଟେମ୍ବର ୨୧ ତାରିଖରେ ଏକ ଘରେ ହୋଇଥିବା ଚୋରି ଘଟଣାର ତଦନ୍ତ କରୁଥିବା ବେଳେ ପୁଲିସ ଏହି ଗିରଫ କରିଛି। ଏହି ଗ୍ୟାଙ୍ଗର ସଦସ୍ୟମାନେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଛନ୍ତି।

ସନିଆ ଗୌଡ଼ ନାମକ ଜଣେ ବ୍ୟକ୍ତି ଏହି ଅପରାଧରେ ସମ୍ପୃକ୍ତ ଥିବା ନେଇ ପୁଲିସକୁ କିଛି ସୁରାକ୍ ମିଳିବା ପରେ ତାଙ୍କୁ ଅଟକ ରଖାଯାଇଥିଲା। ଗୌଡଙ୍କୁ ପଚରାଉଚରା ବେଳେ ସେ ଚୋରି ହୋଇଥିବା ସୁନାକୁ ଗହଣା ଫାଇନାନ୍ସ ସଂସ୍ଥାର ଶାଖା ପରିଚାଳକ ମୋହନ ପାଢୀଙ୍କ ନିକଟରେ ଜମା କରିଥିବା ପ୍ରକାଶ କରିଥିଲେ।

ଏହାପରେ ମୋହନ ପାଢ଼ୀଙ୍କୁ ଅଟକ ରଖି ପଚରାଉଚରା କରିବା ସହ ପୁରୁଣା ଓ ଚୋରି ସୁନାକୁ ତରଳା ଯାଉଥିବା ଏକ ଦୋକାନ ସମ୍ପର୍କରେ ସୂଚନା ଦେଇଥିଲେ। ଏହି ସୂଚନା ଆଧାରରେ ପୁଲିସ ଉକ୍ତ ଦୋକାନରେ ଚଢ଼ଉ କରି ସନ୍ତୋଷ ଗାଏକଓ୍ୱାଡ୍ ନାମକ ସୁନା ବ୍ୟବସାୟୀଙ୍କ ଠାରୁ ୨.୭ କେଜି ସୁନା ଜବତ କରିଥିଲା। ଅଧିକ ତଦନ୍ତ ପରେ ଆଉ ଜଣେ ସୁନା ବ୍ୟବସାୟୀ ସୁରେନ୍ଦ୍ର ମହାପାତ୍ରଙ୍କୁ ମଧ୍ୟ ଗିରଫ କରାଯାଇଛି।

ଏହି ଗ୍ୟାଙ୍ଗର ସଦସ୍ୟମାନଙ୍କ ନିକଟରୁ ୪୦୦ ଗ୍ରାମ୍ ରୂପା ଓ ୨୬ ଲକ୍ଷ ଟଙ୍କା ଜବତ କରାଯାଇଛି। ଜବତ ହୋଇଥିବା ଟଙ୍କା ସମ୍ପର୍କରେ ଆୟକର ବିଭାଗକୁ ସୂଚନା ଦିଆଯିବା ସହ ଆଗକୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି। ଏହି ରାକେଟରେ ଆଉ କିଛି ଲୋକ ସାମିଲ ଥିବା ବେଳେ ସେମାନଙ୍କୁ ଧରିବା ପାଇଁ ପୁଲିସ ଉଦ୍ୟମ ଜାରି ରଖିଥିବା ସୂଚନା ମିଳିଛି।

Leave A Reply

Your email address will not be published.