ଭୁବନେଶ୍ୱର: ଚାଷୀମାନଙ୍କ ପାଇଁ ଏକ ବଡ଼ ଆଶ୍ୱସ୍ତି। ସରକାର ଧାନ କ୍ରୟ ପାଇଁ ପଞ୍ଜୀକରଣର ଶେଷ ତାରିଖକୁ ଆଉ ୭ ଦିନ ବୃଦ୍ଧି କରିଛନ୍ତି।
ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଘୋଷଣା କରିଛନ୍ତି ଯେ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଥିବା ଧାନ ପଞ୍ଜୀକରଣ ଅବଧିକୁ ଆଉ ସାତ ଦିନ ବୃଦ୍ଧି କରାଯାଇଛି।
ମନ୍ତ୍ରୀ କହିଛନ୍ତି ଯେ ଚଳିତ ବର୍ଷ ଅଗଷ୍ଟ ୬ ତାରିଖରୁ ଆରମ୍ଭ ହୋଇଥିବା ଧାନ ପଞ୍ଜୀକରଣ ପ୍ରକ୍ରିୟାରେ ୧୭ ଲକ୍ଷରୁ ଅଧିକ ଚାଷୀ ଧାନ ବିକ୍ରୟ ପାଇଁ ପଞ୍ଜୀକରଣ କରିଛନ୍ତି। ଗତ ବର୍ଷ ମୋଟ ୧୯.୬୭ ଲକ୍ଷ ଚାଷୀ ପଞ୍ଜୀକରଣ କରିଥିଲେ। ତେବେ ଚଳିତ ବର୍ଷ ମଧ୍ୟ ସମାନ ସଂଖ୍ୟାରେ ଚାଷୀ ପଞ୍ଜୀକରଣ କରିବେ ବୋଲି ଆଶା କରାଯାଉଛି। ପଞ୍ଜୀକରଣ ପ୍ରକ୍ରିୟା ସମୟରେ କିଛି ସ୍ଥାନରେ ଅନେକ ଚାଷୀ ନେଟୱାର୍କ ସମସ୍ୟାର ସମ୍ମୁଖୀନ ହୋଇଥିବାରୁ ସରକାର ସମୟ ସୀମାକୁ ସାତ ଦିନ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି।
ସମସ୍ୟାର ସମାଧାନ ପାଇଁ ବୈଷୟିକ ଦଳ ସହିତ ଆଲୋଚନା କରାଯାଇଛି। ସରକାର ଆଶ୍ୱାସନା ଦେଇଛନ୍ତି ଯେ ନେଟୱାର୍କ ଏବଂ ବୈଷୟିକ ତ୍ରୁଟିଗୁଡ଼ିକୁ ଶୀଘ୍ର ସମାଧାନ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।


Comments are closed.