Latest Odisha News

କୋରାପୁଟରେ ପୋଲିସ-ମାଓବାଦୀ ଗୁଳି ବିନିମୟ

କୋରାପୁଟ: କୋରାପୁଟ ଜିଲ୍ଲାର ଓଡ଼ିଶା-ଆନ୍ଧ୍ର ସୀମାନ୍ତ ପଟ୍ଟାଙ୍ଗୀ ବ୍ଲକର ଘଞ୍ଚ ଜଙ୍ଗଲରେ ପୋଲିସ ଓ ମାଓବାଦୀ ମୁହାଁମୁହିଁ ହୋଇଛନ୍ତି । ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ପ୍ରବଳ ଗୁଳି ବିନିମୟ ହୋଇଥିବାର ସୂଚନା ମିଳିଛି ।

ଗଣମାଧ୍ୟମକୁ ସୂଚନା ଦେଇ କୋରାପୁଟ ଏସପି କେ ଭି ସିଂହ କହିଛନ୍ତି, ଆନ୍ଧ୍ର-ଓଡ଼ିଶା ସୀମାନ୍ତ ସୁଂକି ଘଞ୍ଚ ଜଙ୍ଗଲ ମଧ୍ୟରେ ବଡ଼ କ୍ୟାଡ଼ରଙ୍କ ସମେତ ଏକ ମାଓବାଦୀ ଦଳ ଲୁଚି ରହିଥିବାର ସୂଚନା ମିଳିବା ପରେ ଦିନ ୧୦ଟା ୧୫ରେ ଚଢଉ ଜାରି ରହିଛି । ଏହି ସର୍ଚ୍ଚ ଅପରେସନରେ ସ୍ପେଶାଲ ଅପରେସନ ଗ୍ରୁପ (ଏସଓଜି) ଏବଂ ଡ଼ିଷ୍ଟ୍ରିକ୍ଟ ଭଲ୍ୟୁଣ୍ଟାରୀ ଗ୍ରୁପର ମିଳିତ ଚଢଉ ହୋଇଥିଲା ।

“ଏବେ ସୁଦ୍ଧା ଏହି କମ୍ବିଂ ଅପରେସନ ଚାଲିଛି, ପୋଲିସକୁ ଦେଖି ମାଓବାଦୀମାନେ ଆଖିବୁଜା ଗୁଳି ଚାଳନା କରିଥିଲେ । ତେବେ ଦିନ ୧:୧୫ ସୁଦ୍ଧା ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଚାଲିଥିଲା । ନିରାପତ୍ତା ବାହିନୀ ପକ୍ଷରୁ ଗୋଟିଏ ମାଓ କ୍ୟାମ୍ପ ସନ୍ଧାନ କରି ବିଭିନ୍ନ ମାରଣାସ୍ତ୍ର ସମେତ ପ୍ରଚୁର ପରିମାଣର ମାଓବାଦୀ ଲେଖା ଓ ସାମଗ୍ରୀ ଜବତ କରିଛନ୍ତି,”ବୋଲି କହିଛନ୍ତି କୋରାପୁଟ ଏସ ପି କେ ଭି ସିଂହ ।

ନିକଟତମ ଏକ ଗାଁ ମଧ୍ୟରେ ପ୍ରାୟ ୧୫ରୁ ଅଧିକ ମାଓବାଦୀମାନେ ଲୁଚି ରହିଥିବାର ସୂଚନା ପୋଲିସକୁ ମିଳିଥିବା କଥା ଏସପି କହିଥିଲେ ମଧ୍ୟ ଗାଁ’ର ନାମ କହିନାହାନ୍ତି ।

ଏହି ସର୍ଚ୍ଚ ଅପରେସନ ଏବଂ ଏନକାଉଣ୍ଟର ଚାଲୁ ରହିବ କି ବୋଲି ଏକ ପ୍ରଶ୍ନର ଉତ୍ତରରେ ଏସପି କହିଛନ୍ତି, ରାତିରେ ଘଞ୍ଚ ଜଙ୍ଗଲ ମଧ୍ୟରେ ମାଓବାଦୀଙ୍କୁ ଠାବ କରିବା କଷ୍ଟକର । ତେଣୁ ନିରାପତ୍ତା ବାହିନୀକୁ ପୋଲିସ ମୁଖ୍ୟ କାର୍ଯ୍ୟାଳୟକୁ ଫେରିଆସିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.