Latest Odisha News

BREAKING NEWS

ବିଜେପି କାର୍ଯ୍ୟକାରିଣୀରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ସ୍ମୃତି ଇରାନୀ

ଭୁବନେଶ୍ୱର: ଭୁବନେଶ୍ୱରରେ ରାଜ୍ୟ ବିିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେବା ଅବସରରେ ସ୍ମୃତି ଇରାନୀ କହିଛନ୍ତି, ରାଜ୍ୟ ସରକାର ନିଜେ ବିଧାନସଭାରେ ମାନିଛନ୍ତି କି ୬୦ ପ୍ରତିଶତ ମହିଳା ରକ୍ତହୀନତାର ଶିକାର ହେଉଛନ୍ତି । ଏଥିରୁ ଜଣାପଡୁଛି ରାଜ୍ୟରେ ମହିଳାଙ୍କ ବିକାଶର ସ୍ଥିତି କିପରି ଅଛି ବୋଲି ଶ୍ରୀମତୀ ଇରାନୀ କହିଛନ୍ତି । ସେହିପରି ପୁରା ଦେଶରେ ଷ୍ଟଂଟିଙ୍ଗ (ବୟସ ଅନୁସାରେ ଶାରିରିକ ଓ ମାନସିକ ବିକାଶ ନହେବା) ମାମଲାରେ ବି ଓଡିଶା ଦେଶରେ ଏକ ନମ୍ବର, ସବୁଠାରୁ ଖରାପ ସ୍ଥିତିରେ ବୋଲି ସେ କହିଛନ୍ତି ।

ଶ୍ରୀମତୀ ଇରାନୀ କହିଛନ୍ତି ଓଡିଶାରେ ପ୍ରତିଦିନ କେଉଁଠି ନା କେଉଁଠି ଚିକିସ୍ତ୍ରା ଅଭାବରେ ମୃତ୍ୟୁ ହେଉଥିବାର ଖବର ମିଳୁଥିବାବେଳେ ଓଡ଼ିଶା ସରକାର କାହିଁକି ଆୟୁଷ୍ମାନ ଭାରତ ଯୋଜନାକୁ ଓଡିଶାରେ ଲାଗୁ କଲେନାହିଁ ତାହା ଚିନ୍ତାର ବିଷୟ । ନବୀନ ବାବୁ ଜାଣିଶୁଣି ଗରିବ ପରିବାରଙ୍କୁ ଏହି ଯୋଜନାର ଲାଭରୁ ବଞ୍ଚିତ କଲେ କାରଣ ମୁଖ୍ୟମନ୍ତ୍ରୀ ନବୀନ ବାବୁ ଏହାକୁ ଏକ ଗରୀବ କଲ୍ୟାଣ ଯୋଜନା ଭାବେ ନଦେଖି ଭୋଟ ହରାଇବାର ଭୟ ନଜରରେ ଦେଖୁଛନ୍ତି ।


ଓଟିଏମ କାରଖାନା ବନ୍ଦ ପଡିଥିବା କଥା ଉଠାଇ ମନ୍ତ୍ରୀ ଶ୍ରୀମତି ଇରାନୀ ରାଜ୍ୟ ସରକାରଙ୍କୁ କଠୋର ସମାଲୋଚନା କରି କହିଛନ୍ତିି ଏହି କାରଖାନା ପୁନଃ ଚାଲୁହେବା ପାଇଁ ନବୀନ ବାବୁ ଉଦ୍ୟମ କରୁନାହାନ୍ତି । ରାଜ୍ୟ ସରକାର ଉଦ୍ୟମ କଲେ କେନ୍ଦ୍ର ସରକାର ସହଯୋଗର ହାତ ବଢାଇବେ । ହେଲେ ମୁଖ୍ୟମନ୍ତ୍ରୀ ନବୀନ ବାବୁ ଏ ପ୍ରସଙ୍ଗରେ ନୀରବ କାହିଁକି ବୋଲି ଶ୍ରୀମତୀ ଇରାନୀ ପ୍ରଶ୍ନ ଉଠାଇଛନ୍ତି ।

ପେଟ୍ରୋଲ ଡିଜେଲ ଉପରେ କେନ୍ଦ୍ର ସରକାର ଲିଟର ପିଛା ୨ ଟଙ୍କା ୫୦ ପଇସା କମ କରିଛନ୍ତି । ବିଜେପି ଶାସିତ ରାଜ୍ୟ ମାନେ ମଧ୍ୟ ଲିଟର ପିଛା ଆଉ ୨ ଟଙ୍କା ୫୦ ପଇସା କମ୍ କରି ମୋଟ ୫ ଟଙ୍କାର ରିହାତି ଲୋକମାନଙ୍କୁ ଦେଉଛନ୍ତି । ହେଲେ ଓଡିଶା ସରକାର ଦାମ କମାଇବା ପାଇଁ ରାଜି ହେଉନାହାନ୍ତି ବୋଲି ଶ୍ରୀମତୀ ଇରାନୀ କହିଛନ୍ତି ।

ଶ୍ରୀମତୀ ଇରାନି କହିଛନ୍ତି କି ନବୀନ ବାବୁ ନା ଓଡିଶାର ଲୋକଙ୍କୁ ଆୟୁଷ୍ମାନ ଭାରତର ଲାଭ ପହଂଚାଇଲେ ନା ପେଟ୍ରୋଲ ଡିଜେଲରେ ଲିଟର ପିଛା ମିଳିବାକୁ ଥିବା ୫ଟଙ୍କା କମ୍ର ଲାଭ ପହଂଚାଇଲେ ।

ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଥିବା ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ପ୍ରଭାରୀ ଅରୁଣ ସିଂହ, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ବିଜେପି ସଭାପତିି ବସନ୍ତ ପଣ୍ଡାଙ୍କ ସମେତ ବିଜେପିର ବରିଷ୍ଠ ନେତାମାନେ ଉପସ୍ଥିତ ରହିଥିଲେ ।

ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ପରେ ଅନୁଷ୍ଠିତ ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସାଧାରଣ ସଂପାଦକ ଭୃଗୁ ବକ୍ସିପାତ୍ର ଏବଂ ରାଜ୍ୟ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.