Latest Odisha News

BREAKING NEWS

ବରମୁଣ୍ଡା ଆମ୍ବେଦକର ବସ୍‌ ଟର୍ମିନାଲରେ ହେବ ପୋଲିସ୍‌ ଆଉଟପୋଷ୍ଟ, ନିଯୁକ୍ତି ପାଇବେ ୮୯ ପୋଲିସ୍‌ କର୍ମଚାରୀ

ଭୁବନେଶ୍ବର: ବରମୁଣ୍ଡା ଡ. ବାବା ସାହେବ ଭୀମରାଓ ଆମ୍ବେଦକର ବସ୍‌ ଟର୍ମିନାଲରେ ହେବ ପୋଲିସ୍‌ ଆଉଟପୋଷ୍ଟ । ଏଥିରେ ୮୯ ଜଣ ପୋଲିସ୍‌ କର୍ମଚାରୀ ନିଯୁକ୍ତି ପାଇବେ । ଏନେଇ ନିଷ୍ପତ୍ତି ନେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସୂଚନାଯୋଗ୍ୟ ଯେ, 5-T ଉପକ୍ରମରେ ଏହି ଆନ୍ତଃରାଜ୍ୟ ବସ୍‌ ଟର୍ମିନାଲର ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଖୁବ୍‌ ଶୀଘ୍ର ଏହା ଲୋକାର୍ପିତ ହେବ । ଏଠାକୁ ଦୈନିକ ୭୦୦ ରୁ ୮୦୦ ବସ୍‌ ଯାତାୟତ କରିବ । ଭବିଷ୍ୟତରେ ବସ୍‌ ସଂଖ୍ୟା ୧୭୦୦ ରୁ ୧୮୦୦କୁ ବୃଦ୍ଧି ପାଇପାରେ । ତା ସହିତ ଦୈନିକ ୩୫ ରୁ ୪୫ ହଜାର ଯାତ୍ରୀ ମଧ୍ୟ ଯିବା ଆସିବା କରିବେ ବୋଲି ଆକଳନ କରାଯାଇଛି ।

5-T ଅଧ୍ୟକ୍ଷ ଭିକେ ପାଣ୍ଡିଆନ ବିଭିନ୍ନ ସମୟରେ ନିର୍ମାଣାଧୀନ ଟର୍ମିନାଲକୁ ଯାଇ ଏହାର ଅଗ୍ରଗତି ସମୀକ୍ଷା କରିବା ସମୟରେ ଅଧିକାରୀ ଓ ସ୍ଥାନୀୟ ଲୋକମାନଙ୍କ ସହିତ ଯାତ୍ରୀଙ୍କ ସୁରକ୍ଷା ଓ ସୁବିଧା ପାଇଁ ଏଠାରେ ଏକ ପୋଲିସ୍‌ ଆଉଟପୋଷ୍ଟ ପାଇଁ ପ୍ରସ୍ତାବ ଆସିଥିଲା । ଏ ବିଷୟରେ ଶ୍ରୀ ପାଣ୍ଡିଆନ ମୁଖ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରିବା ପରେ ଏଠାରେ ପୋଲିସ୍‌ ଆଉଟପୋଷ୍ଟ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

ଏହି ଟର୍ମିନାଲରେ ଯାତ୍ରୀଙ୍କ ପାଇଁ ରେସ୍ତୋରାଁ, ବହୁତଳ କାର ପାର୍କିଂ, ଆହାର କେନ୍ଦ୍ର, ଯାତ୍ରୀଙ୍କ ପାଇଁ ପିକଅପ ଓ ଡ୍ରପ୍ ସୁବିଧା, ୧୪୪ଟି ବସ୍‌ ରହିବା ସ୍ଥାନ, ସିଟି ବସ୍‌ ପାଇଁ ବସ୍‌ ବେ ଓ ଦୋକାନ ବଜାର ଅନେକ ସୁବିଧା ରହିବ । ଏଥିପାଇଁ ଏଠାରେ ସୁରକ୍ଷା ବ୍ୟବସ୍ଥାର ଗୁରୁତ୍ୱ ଯଥେଷ୍ଟ ଅଧିକ ରହୁଛି ।

ଏହି ଆଉଟପୋଷ୍ଟରେ ୮୯ ଜଣ ପୋଲିସ୍‌ କର୍ମଚାରୀ ନିଯୁକ୍ତି ପାଇବେ । ଏଥି ମଧ୍ୟରୁ ୨ ଜଣ ସବ୍‌-ଇନ୍‌ସ୍ପେକ୍ଟର, ୯ ଜଣ ଆସିଷ୍ଟାଣ୍ଟ ସବ୍‌-ଇନ୍‌ସ୍ପେକ୍ଟର, ୪ ଜଣ ହାବିଲଦାର, ୭୨ ଜଣ କନଷ୍ଟେବଳ ଓ ୨ ଜଣ ଡ୍ରାଇଭର ରହିବେ ।

Leave A Reply

Your email address will not be published.