Latest Odisha News

BREAKING NEWS

ଗଦଗଦା ଶୈବପୀଠକୁ କେବେ ମିଳିବ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା

ରାୟଗଡା: ବଣ ପାହାଡ଼ ଘେରା ଅପରୂପ ସୌନ୍ଦର୍ଯ୍ୟ, ଆକର୍ଷଣୀୟ ଜଳପ୍ରପାତ, ନିୟମଗିରିର ସବୁଜିମା, ଡଙ୍ଗରିଆ ଓ ଲାଞ୍ଜିଆ ସଉରାଙ୍କ ବୈଭବପୂର୍ଣ୍ଣ ସଂସ୍କୃତିକୁ ନେଇ ପର୍ଯ୍ୟଟନ ମାନଚିତ୍ରରେ ରାୟଗଡ଼ାର ସ୍ଥାନ ନିଆରା । ରାୟଗଡା ଜିଲ୍ଲା ନିୟମଗିରି ପାହାଡ଼ ଅଞ୍ଚଳ ପାକୃତିକ ସୌନ୍ଧର୍ଯ୍ୟର ଗନ୍ତାଘର । ଜିଲ୍ଲାରେ ପର୍ଯ୍ୟଟନର ଅପୁର୍ବ ସମ୍ଭାର ରହିଛି । ବଣ ପାହାଡ ଘେରା ଝରଣା, ନଦୀ କୂଳ ଓ ଜଳପ୍ରପାତ ସହିତ ଏଠାକାର ବିଭିନ୍ନ ଜନଜାତିଙ୍କ ଜୀବନଶୈଳୀ ତା ସହିତ ଉପଯୁକ୍ତ ଜଳବାୟୁ ପର୍ଯ୍ୟଟକ ମାନଙ୍କୁ ବର୍ଷ ବର୍ଷ ଧରି ଆକୃଷ୍ଟ କରି ଆସିଛି । କିନ୍ତୁ ବିଭାଗୀୟ ଅବହେଳା, ପର୍ଯ୍ୟଟନସ୍ଥଳୀରେ ଭିତ୍ତିଭୂମିର ଅଭାବ ଯୋଗୁ ଏକଦା ରାଜ୍ୟ ବାହାର ଏବଂ ବିଦେଶୀ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଥିବା ଏହି ପର୍ଯ୍ୟଟନ କ୍ଷେତ୍ର ଏବେ ଖାଁ ଖାଁ ହୋଇ ପଡିଛି।

ଏ ହେଉଛି ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ୍ ପେଣେକମ୍ ପଞ୍ଚାୟତର ଗଦଗଦା ଶୈବପୀଠ । ପ୍ରାକୃତିକ ସୌନ୍ଦର୍ଯ୍ୟରେ ଘେରା ନିୟମଗିରି ପାହାଡ ଉପରେ ରହିଥିବା ଏହି ଶୈବ ପୀଠକୁ ଲାଗି କଳ କଳ ନାଦରେ ବୋହି ଯାଉଛି ଝରଣା । ଗଦଗଦ ଶବ୍ଦରେ ଓ ପ୍ରକୃତିର ସୌନ୍ଦର୍ଯ୍ୟ ଭରା ପାହାଡ଼ର ଝରଣା  ମଧ୍ୟରେ ଆବିର୍ଭାବ ହୋଇଛନ୍ତି ପ୍ରଭୁ ନୀଳକଣ୍ଠେଶ୍ଵର । ପବିତ୍ର ମାଘପୂର୍ଣ୍ଣୀମା ଦିନ ଏହି ପୀଠକୁ ଉଭୟ ଆନ୍ଧ୍ର ଏବଂ ଓଡ଼ିଶାରୁ ହଜାର ହଜାର ଲୋକଙ୍କ ସୁଅ ଛୁଟିଥାଏ  । ବିବାହ,ସନ୍ତାନ,ଚାକିରୀ ପରି ଅନେକ ମାନସିକ ରଖି ଏହି ଶୈବପୀଠକୁ ଆସିଥାନ୍ତି ଶ୍ରଦ୍ଧାଳୁ । କୁହାଯାଏ ସେହି ଜାଗାରେ ଗାଧେଇ ନଡ଼ିଆ,କଦଳୀ କିମ୍ବା ଟଙ୍କା ମିଳିବା ଦ୍ଵାରା ମନସ୍କାମନା ପୂର୍ଣ୍ଣ ହେବା ସହ କାର୍ଯ୍ୟଟି ଅତି ଶୀଘ୍ର ସିଦ୍ଧି ହୋଇଥାଏ ।

କିନ୍ତୁ ଏହି ପୀଠଟି ଦୀର୍ଘ ବର୍ଷ ହେଲା ପର୍ଯ୍ୟଟନ ସ୍ଥଳି ମାନ୍ୟତାରୁ ବଞ୍ଚିତ ରହିଛି । ସରକାରଙ୍କ ପକ୍ଷରୁ ଏଠାରେ କୌଣସି ବି ସୁବିଧା କରାଯାଇ ନାହିଁ। ଏଠାରେ ନା ଅଛି ପିଇବା ପାଣି ନା ଅଛି ଆଶ୍ରୟ ସ୍ଥଳି । ଏପରିକି ନୀଳକଣ୍ଠେଶ୍ଵର ମନ୍ଦିରକୁ ଦର୍ଶନ ନିମନ୍ତେ ଯିବା ଆସିବା ପାଇଁ ରାସ୍ତା କି ପାହାଚ ମଧ୍ୟ ନାହିଁ । ଏହି ଶୈବ ପୀଠ ଉପରେ ଜିଲ୍ଲା ପ୍ରଶାସନ,ସ୍ଥାନୀୟ ବିଧାୟକ,ଏବଂ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗଙ୍କ ଦୃଷ୍ଟି ଆକର୍ଷଣ ହୋଇପାରିନାହିଁ । ସେପଟେ ପ୍ରଶାସନ ନିକଟର ଅଭିଯୋଗ କରିବା ପରେ ମଧ୍ୟ କିଛି ଫଳପ୍ରଦ ହେଉନଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ ।

ରାଜ୍ୟ ସରକାର ଓଡିଶା ବିଭିନ୍ନ ମନ୍ଦିରରେ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ କରୁଛନ୍ତି । କିନ୍ତୁ ଯେଉଁ ସ୍ଥାନରେ ମନ୍ଦିରର ବିକାଶ ଆବଶ୍ୟକତା ରହିଛି ସେହି ସ୍ଥାନକୁ ଅଣଦେଖା କରାଯାଉଛି । ଜଙ୍ଗଲ ଭିତରେ ରହିଥିବା ଏହି ଶୈବ ପୀଠକୁ ରୁପନ୍ତୀକରଣ କରିବା ପାଇଁ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ । ଏହି ଶୈବପୀଠ ଅନ୍ୟ ଶୈବପୀଠ ପରି କେବେ ରୂପାନ୍ତରିତ ହେବ ତାହା ଦେଖିବାକୁ ବାକି ରହିଲା।

Leave A Reply

Your email address will not be published.