Latest Odisha News

BREAKING NEWS

ରାଜନୀତି ନୁହେଁ ଖେଳଘର

ମାୟାଧର ନାୟକଙ୍କ ନିୟମିତ ସ୍ତମ୍ଭ: ଶବ୍ଦ ତୂଣୀର…

ନିର୍ବାଚନ ପରେ ନିର୍ବାଚନ । ରାଜୀନତିର ମଇଦାନ ଯେପରି ପାଲଟିଯାଇଛି ରଣାଙ୍ଗନ । ଏ ଭୂମି ଭୋଗିଛି କେତେକେତେ କର୍ମର କଷଣ, ଧର୍ମର ଧର୍ଷଣ, ମର୍ମବିଦାରକ ଆତ୍ମବିଭାଜନ – ଶୁଣିଛି ଭାଗ୍ୟ ବଦଳାଇଦେବାର ଭୂରିଭୂରି ଭାଙ୍ଗଖିଆ ଭାଷ୍ୟ ଓ ଭାଷଣ – ଭବ୍ୟ ଭବିତବ୍ୟଟିଏ ଭେଟାଇଦେବାର ଅପର୍ଯ୍ୟାପ୍ତ ଆସ୍ଫାଳନ । ଏ ବୃହତମ ଗଣତନ୍ତ୍ର ଦେଖିଆସିଛି କେତେକେତେ କ୍ଷୁଦ୍ରତାର କ୍ଷୁରଚିହ୍ନ – ପିଢି ପରେ ପିଢି ପୀଡିତ ପୌରୁଷର କ୍ଷତଚିହ୍ନ । ବସ୍ତ୍ରହରଣଠୁ ଭୂମିହରଣ ପର୍ଯ୍ୟନ୍ତ ବହୁ ଅଘଟଣ ଅଙ୍ଗେ ନିଭାଇଆସିଛି ଏ ଜନଜୀବନ ।

ରାଜନୀତିର ଋତୁ ବସନ୍ତ ନୁହେଁ, ହନ୍ତସନ୍ତ ! ଏ ହନ୍ତସନ୍ତ ଋତୁରେ ଆମ ରାଜନୈତିକ ମଣିମାଏ ମଣିଥାନ୍ତି; ଜନ ଜରଦ୍‌ଗବ – ଗଣ ଗର୍ଦ୍ଦଭ – ମନ ମାଦଳ । ଏ ମଣିଷକୁ ପଥର କଲା କିଏ – ପାଠ୍ୟପୁସ୍ତକର ପୁଷ୍ଠାରୁ ପୃଥିବୀସାରା ପ୍ରଶ୍ନଟି ପରି ପ୍ରସରିଯାଉଛି ଯେମିତି ଗତସମୟର ଏହି ଗଳ୍ପଶୀର୍ଷକ । ରାଜ୍ୟଟିଏ ଅଛି, ରାଷ୍ଟ୍ରଟିଏ ଅଛି, ରାଜନୀତି ଚାଲିଛି – ହେଲେ ଗୁରୁଣ୍ଡିପାରୁନି ଗଣତନ୍ତ୍ର – ଯଦିଚ ଏବେ ମଧ୍ୟ ବଂଚିଛି ! ବଂଚିଛି ଯେ – ମାତ୍ର ସଂଚିଛି କି ସେଇ ସ୍ୱାଧୀନତାର ସ୍ୱପ୍ନ, ସ୍ୱାଧିକାରର ସ୍ୱାକ୍ଷର, ସ୍ୱାଭିମାନର ସଂକଳ୍ପ?

ଏ ମଣିଷ ଗଢିଛି ଈଶ୍ୱରଠୁ ଇତିହାସ – ସଭ୍ୟତା ସଂସ୍କୃତି । ତାକୁ କିନ୍ତୁ ଭାଙ୍ଗିଛି, ଭାଙ୍ଗୁଚି ରାଜନୀତି । କେବେ ସେ ସିପାହି ତ ଆଉକେବେ ସହିଦ୍ – କେବେ କରୁଣାପ୍ରାର୍ଥୀ ତ ଆଉକେବେ ଶରଣାର୍ଥୀ – କେବେ ସତୀର୍ଥ ତ ଆଉକେବେ ଅତୀର୍ଥ ! କୌଣସି ଗୋଟିଏ ସ୍ଥିରବିନ୍ଦୁରେ ରହିପାରିନି ସେ । ନିଜକୁ ବିଶେଷ ଭାବରେ ସ୍ଥାପିତ କରିବାର ଅଭିଯାନରେ ସ୍ଥବିରତନ୍ତ୍ରୀ ରାଜନୀତି ଯେପରି ମଣିଷକୁ କେବଠୁ କରିସାରିଛି ବିସ୍ଥାପିତ !

ସଂସ୍ଥାପିତ ରାଜନୀତି ଓ ବିସ୍ଥାପିତ ମଣିଷ ମଝିରେ ଅବସ୍ଥାପିତ ଏ ଗଣତନ୍ତ୍ର ଗୋବର ଗଣେଶ ! ନୀତି ବଦଳୁଛି, ସ୍ଥିତି ବଦଳୁନି । ଯୋଜନା ସୁରୁ ହେଲା ପରେ ବି ଶେଳଚନା ସରୁନି । ମାଟିକୁ ମାନଚିତ୍ର ମନେକରୁଥିବା ରାଜୀନତିର ମୁଣ୍ଡିଆଳ ମହାମହିମବର୍ଗ ମଣିଷକୁ ମୂଲ୍ୟସୂଚୀର ଖୁଚୁରାଦରରେ ହିଁ ଖର୍ଦି କରିବାର ମତଲବୀ ଧାରା ବଜାୟ ରଖିଛନ୍ତି । ଏପଟେ ଜେଟ୍ ପାଇଁ ବଜେଟ୍ ଅଛି, ସେପଟେ ସ୍ଲେଟ୍ ପାଇଁ ଆଦିବାସୀ ପିଲାଟି ପକେଟ୍‌ରେ ଫଟା ପାହୁଲାଟେ ନାହିଁ । ତାରତମ୍ୟ ଭିତରେ ଭୁଶୁଡିପଡିଛି ଭାରସାମ୍ୟ । ଅର୍ଦ୍ଧବିକଶିତ ଅର୍ଥନୀତିର ପ୍ରକ୍ରିୟାକୁ ଅକ୍ତିୟାର କରିଚାଲିଛି ଅପଚୟ ଓ ଅପବ୍ୟୟର ଅବକ୍ଷୟୀ ରାଜନୀତି । ହୁକୁମ୍ ଆଗରେ ହକ୍‌ର ହାଲ୍ଲା ଶୁଣାଗଲେ ହାଉଳି ଖାଉଛି ହାକିମହୁକୁମାଙ୍କ ହାୱାମହଲ ।

ଦଳବହୁଳ ରାଜନୀତି ।ଏକଦଳୀୟ, ଦ୍ୱିଦଳୀୟ, ବହୁଦଳୀୟ ଶାସନବ୍ୟବସ୍ଥାରେ ବ୍ୟୂହବଦ୍ଧ ନିର୍ଦଳୀୟ ଜନସମୁଦାୟ । ସେମାନେ ରାଜନୀତି କରନ୍ତି ନାହିଁ, ଦଳ ଗଢନ୍ତି ନାହିଁ – କିନ୍ତୁ ସେମାନଙ୍କ ନାଆଁରେ ରାଜନୀତି କରାଯାଏ, ଦଳ ଗଢାଯାଏ । ଶାସନର ଶିଳରେ ଦେଶର ବେସର ବଟାଯାଏ । ମାଲ୍‌ମସାଲା ମାଗିଅଣାଯାଏ ମୁନାଫାଖୋର୍ ମହଜୁଦକାରୀମାନଙ୍କଠୁ । ନିର୍ଦଳୀୟ ଜନସମୁଦାୟ ପ୍ରତି ଅନୁରାଗ ନୁହେଁ, ଅନୁଗ୍ରହ ପ୍ରଦର୍ଶନ କଲା ପରି ମଂଚାସୀନ ହୁଏ ଦଳୀୟ ରାଜନୀତି । ଦେଶର ବିପତିତାଲିକା ପରସ୍ତପରସ୍ତ ହୋଇ ଯେତେ ବଢୁଥାଏ, ଦଳର ସଂପତିତାଲିକା ଲମ୍ବରରେ ଚୌଡାରେ ସେତେ ମାଡୁଥାଏ – ବିଧବାଭତାଠୁ ଆରମ୍ଭ କରି ବାର୍ଦ୍ଧକ୍ୟଭତା ଯାଏଁ, ଗାଆଁଗଣ୍ଡାରେ ଗରିବ ମଜୁରିଆଙ୍କୁ ମହାତ୍ମା ଗାନ୍ଧୀ ଗ୍ରାମୀଣ କର୍ମନିଯୁକ୍ତି ଯୋଜନାର ରୂପାୟନଠାରୁ ବିଦ୍ୟାଳୟୀ ବାଳୁତବର୍ଗଙ୍କୁ ମାହାଳିଆ ମଧ୍ୟାହ୍ନ ଭୋଜନରେ ଆପ୍ୟାୟନ ଯାଏ କେତେକେତେ କରାମତି ମରାମତି ଭିତରେ ବି ଚାଷୀମୂଲିଆର ଫଟାମାଟି ମୁଣ୍ଡ କୋଡୁଥାଏ – ଏଣେ କିନ୍ତୁ ଜଳଜମିଜଙ୍ଗଲର ଜବରଦଖଲକାରୀ ଜଲ୍ଲାଦତନ୍ତ୍ର ବିରୋଧରେ ଗରିବଗୁରୁବାର ଗୌଣଗଣତନ୍ତ୍ର ଲହର ଉଠାଇ ଲଢୁଥାଏ ।

ଅକଳିତ ଅବ୍ୟବସ୍ଥା ସତ୍ୱେ ବ୍ୟବସ୍ଥା ବଦଳୁ ନଥାଏ । ରେଡ୍ ‌କାର୍ପେଟ୍‌ରେ ରାଜନୀତି ଚାଲୁଥିଲାବେଳେ ରେସ୍‌କୋର୍ସ ପଡିଆରେ ଦଳ ଦଉଡୁଥାଏ । ଜନତା ପଲ୍ଲୀରେ ପଡିଥିବା ବେଳେ ନେତା ଦରବାର କରୁଥାଏ ଦିଲ୍ଲୀରେ । କାହିଁକିନା ଇଏ ରାଜନୀତିକ କାରବାର । ପତାକା ରାଜଧାନୀରେ ଉଡୁଥିବାବେଳେ ପଟୁଆର ରାଜରାସ୍ତାରେ । କାହିଁକିନା ଇଏ ଦଳୀୟ ବ୍ୟାପାର । ଦଳ ଆଉ ରାଜୀନତି – ରାଜନୀତି ଆଉ ଦଳ – ଏଯାଏଁ ଆମେ ଦୁଇଟାକୁ ଗୋଟାଏ ନଜରରେ ନିରେଖିଆସିଛୁ କେବଳ । ଏବଠୁ ନିଆରା ଆଖିରେ ନଜରଅନ୍ଦାଜ କରିବାକୁ ପଡିବ ଦଳ ଓ ରାଜନୀତି କାହା ପାଇଁ, କାହାକୁ ନେଇ । ନିର୍ଦଳୀୟ ଜନସମୁଦାୟ ଗୋଟିଏ ରାଜନୀତିର ମଇଦାନରେ ଦେଖିଆସିଛନ୍ତି ହରେକ୍ ରକମର ଦଳ । ଏ ଦଳ – ସେ ଦଳ – ଅନେକ ଦଳର ରାଜନୀତି ପ୍ରକୃତରେ ଦେଶର ମଣିଷ ପାଇଁ କେତେ ଅଟକଳ, କେତେ ଆକଳନ କରିଥାଏ, ସେ ବାବଦରେ ବାବଦୂକବର୍ଗ ଯେତେ ବାଗାଡମ୍ବର କରୁଥିଲେ ହେଁ ଖୋଦ୍ ଦେଶର ମଣିଷ ମୂକ । ତା’ ଭାଷା ରାଜନୀତିର ପରିଭାଷାରେ ପରିଣତ ହୋଇପାରିନି ଏଯାଏଁ । ତା’ ଭାବ ଦଳର ବହୁମତସମର୍ଥିତ ବୋଧଗମ୍ୟତାଠାରୁ ଏବେ ବି ଦୂରରେ ।

ଏବେ ସମୟ ଆସିଛି, ଦଳ ଓ ରାଜନୀତିର ଦରବାରକୁ ମଣିଷ ନ ଯାଇ ମଣିଷ ପାଖକୁ ଯିବ ଦଳ ଓ ରାଜନୀତି । ମଣିଷ – ସେ ମଣିଷକୁ କିନ୍ତୁ ଲୋଡାଯିବ କେବେ? ଖୋଜାଯିବ କେଉଁଠି? ସେ କ’ଣ ପାଉଁଶ ପାଟବିଲର ପାଳଭୂତ? ଫାଙ୍କା ଚାଷଜମି ସେପଟେ ତା’ ବାସ ଉଜାଡିଦେଇ ସେ ତ କେବଠୁ ଫେରାର୍ ! ସେ କ’ଣ ପୋଡାପାହାଡର ପହରାଦାର୍‌? ଆମେ ତ ତା’ ପାହାଡରୁ ପଥର ତାଡିନେଇ ତିଆରି କରିଚାଲିଛେ ଆମ ରାଜପଥ ! ସେ କ’ଣ ତା’ହେଲେ ଜଙ୍ଗଲର ଜଙ୍ଗୀ ଯାଯାବର? ଆମେ ତ ଜଙ୍ଗଲର ଫଳ ଖାଇ ମୂଳକୁ ବ ଚଳୁ କରିଚାଲିଛେ ବରାବର !କେଉଁଠି ଖୋଜିବା ତାକୁ? ତା’ର ଦେଖା କ’ଣ ମିଳିବ ଆମ ନିର୍ବାଚନୀ ପ୍ରଚାରସଭାରେ, ଆମ ଭୋଟ୍‌କେନ୍ଦ୍ରର ସେଇ ସବାଶେଷ ଧାଡିରେ ନା ରେସନ୍‌କାର୍ଡ୍ ଧରିଥିବା ଭୋକିଲା ଭିଡରେ? ଜନମଂଚରେ ମିଳେ କି ଖୋଜୁଥିବା ମଣିଷକୁ? ସେ ତ ମନରେ ନାହିଁ, ମିଳିବ କେଉଁଠି?

ନିର୍ଦଳୀୟ ଜନସମୁଦାୟ ପ୍ରତି ନିର୍ଦୟତା ଅନ୍ତ ହେଉ ଏବେ । ସ୍ୱାଧୀନତା ଯଦି ସେଦିନ ଥିଲା ଜନ୍ମଗତ ଅଧିକାର, ସମାନତା ଆଜି ହେଉ ପ୍ରତ୍ୟେକ ମଣିଷ ପାଇଁ ବଂଚିବାର ଅଧିକାର । ନୋହିଲେ ରାଜନୀତି କ’ଣ ପାଇଁ? ଲୋକେ ବେଜିତ୍ ହେଉଥିବେ ବାଟରେ ଘାଟରେ ଆଉ ଥୋକେ ମାତିଥିବେ ବାଘଘରେ ମିରିଗନାଟରେ – କ’ଣ ଏଇଥି ପାଇଁ? ଦଳ କ’ଣ ପାଇଁ? କୁହାଳିଆମାନେ ଦୁହାଁଳିଆ ଆଉ ବାକୀମାନେ ସାକ୍ଷୀମାନେ – କ’ଣ ଏଯାଏଁ ଚାଲିଥିବ ଏମିତି ଏ ପାଲା ? ରଥ ଗଢୁଥିବ ରାଜନୀତି ଅଥଚ ପଥ ହୁଡୁଥିବ ପ୍ରଜାପୁଞ୍ଜ – ଏ ଦେଶର ଦଳବଳ କେତେକାଳ ମାନିନେଉଥିବ ଏଇଭଳି ବିରୋଧାଭାସର ବିଡମ୍ବନା ?

ଆମର ଏ ଦେଶ ଯେତେବେଳେ ବିଦେଶୀ ଶାସନ ବିରୋଧରେ ଅହୋରାତ୍ର ଥିଲା ଆନ୍ଦୋଳନପ୍ରବଣ, ସେତେବେଳେ ବିଭିନ୍ନ ଶିବିର ସତ୍ୱେ ତଥା ନାନା ନେତୃତ୍ୱାଧୀନ ଧାରା ମଧ୍ୟରେ ଜନସାଧାରଣ ଥିଲେ ଗୋଟିଏ ଲକ୍ଷ୍ୟକୁ ନେଇ ଐକ୍ୟବଦ୍ଧ । ତାହା – ସ୍ୱାଧୀନତା । ଅନେକ ଆଶା ଥିଲା ଜନସମୁଦାୟର – ପ୍ରତ୍ୟେକ ଭାରତୀୟ ହେବ ଏକ ନୂତନ ଭାରତବର୍ଷର ଉତରାଧିକାର । ମାତ୍ର ପ୍ରାପ୍ୟ ସ୍ୱରୂପ ପ୍ରଥମରୁ ମିଳିଲା ପ୍ରତାରଣା – ଏକ ଦ୍ୱିଖଣ୍ଡିତ ଦେଶ । ଦଙ୍ଗାଦୁର୍ଗତ ବିଭାଜିତ ଭାରତବର୍ଷ କ’ଣ ଥିଲା ସ୍ୱାଧୀନ ଭାରତବର୍ଷ ? ଭାରତୀୟ ଜନମାନସର ସମୂହ – ଅବଚେତନାରେ ସେତେବେଳଠୁ ଯେଉଁ ଶୂନ୍ୟତା ସୃଷ୍ଟି ହେଲା, ତାହା ଆଜି ବି ଅପୂର୍ଣ୍ଣ ।

ସ୍ୱାଧୀନତା ପରେ ଶାସନର ଆସନ ଅଳଙ୍କୃତ କଲେ ତଥାକଥିତ ଦେଶୀମାନେ, କିନ୍ତୁ ଆତ୍ମାରେ ବିଦେଶୀ ଛଡା ସେମାନେ ଆଉ କ’ଣ ଥିଲେ? ଦେଶର ମଣିଷକୁ ଏମାନେ ଭଲପାଇପାରିଲେ କି?ଶାସନର ଢାଂଚା ବି ପ୍ରସ୍ତୁତ ହେଲା ସେଇ ବିଦେଶୀ କାଇଦାରେ । ଶାସକପକ୍ଷ ଓ ଜନପକ୍ଷ ମଧ୍ୟରେ ଗୋଟିଏ ମଲାଙ୍ଗ ଗୋଷ୍ଠୀ ପରି ବର୍ତିରହିଲେ ପ୍ରଶାସନ ପକ୍ଷ – ମଧ୍ୟସ୍ଥ ଭୂମିକାରେ । ଅର୍ଥାତ୍ ନେତୃତ୍ୱ ଓ ଜନଶକ୍ତି ମଧ୍ୟରେ ସଂପର୍କ ପ୍ରତ୍ୟକ୍ଷ ନୁହେଁ, ପରୋକ୍ଷ ହେବାକୁ ହିଁ ବାଧ୍ୟ ହେଲା । ଜନସ୍ୱାର୍ଥ, ଜନମତ, ଜନଭାଷା, ଜନଜୀବନ ଅପେକ୍ଷା ଅଧିକ ଗୁରୁତ୍ୱପୂର୍ଣ୍ଣ ବିବେଚିତ ହେଲା ପ୍ରଶାସକୀୟ ଫାଇଲ୍‌ଚାଷ ! ବିଦେଶୀ ଭାଷାରେ ଦସ୍ତଖତ ଦେଇଆସୁଥିବା ଦେଶୀ ପ୍ରଶାସକବର୍ଗ ଭୁଲିଗଲେ ସ୍ୱଦେଶୀର ସମସ୍ୟା । ଦାବୀନାମା, ଦରଖାସ୍ତର ଦୀର୍ଘ ଧାରାବାହିକତା ଶେଷରେ ପରିଣତ ହେଲା ଦୁର୍ନୀତିଗ୍ରସ୍ତ ପ୍ରଶାସକୀୟତା ଆନୁକୂଲ୍ୟରେ ଡଷ୍ଟବିନ୍‌ର ତୁଚ୍ଛ ତୁକୁଡାରେ ! ଜନଅସନ୍ତୋଷଜନିତ ଆନ୍ଦୋଳନରୁ ଆରମ୍ଭ କରି ଗଣସଂଗଠନର ଅଭ୍ୟୁତ୍‌ଥାନକୁ ଅଘଟନ ଘୋଷଣା କରି ଯେଉଁମାନେ ଲାଠି ବୁଲାଇଲେ, ଗୁଳି ଫୁଟାଇଲେ, ଦମନଲୀଳା ଚଳାଇଗଲେ, ସେମାନେ କୌଣସି ବିଦେଶୀ ସେନା କି ବ୍ରିଟିଶ୍ ବାହିନୀ ନୁହଁନ୍ତି – ସେମାନେ ହେଉଛନ୍ତି ଆମ ଭାରତୀୟ ପୁଲିସ୍ ସେବାଧୀନ ପାରାମିଲିଟାରୀ ଫୋର୍ସ୍ । ଅର୍ଥାତ୍ ସ୍ୱଦେଶୀର ଶତ୍ରୁ ବିଦେଶୀ ନୁହେଁ, ଦେଶୀ !

ଦେଶର ସ୍ୱାଧୀନତା ଦେଶବାସୀଙ୍କ ପାଇଁ ମଧ୍ୟରାତ୍ରର ମରୀଚିକା ମାତ୍ର । ପ୍ରଶାସକ ଭୂମିକାରେ କିଛି ଉଚ୍ଚବେତନଭୋଗୀ ବୃତିଜୀବୀ ଶାସନ ବ୍ୟବସ୍ଥାର ବିଭିନ୍ନ ବିଭାଗୀୟ ମନ୍ତ୍ରାଳୟଠୁ ଆରମ୍ଭ କରି ସଚିବାଳୟ ପର୍ଯ୍ୟନ୍ତ ସବୁଠି ସଂକ୍ରମିତ ଏବଂ ଏଇ କତିପୟ କୂର୍ମଙ୍କ ପିଠିରେ ଲଦା ଚାଲିଥିବା ବିରାଟ ଭାରତର ଭାଗ୍ୟ, ଭବିଷ୍ୟତର ଯୋଜନା ଓ ପ୍ରକଳ୍ପଗୁଡିକୁ ଜନସାଧାରଣଙ୍କ ପ୍ରତି ଶାସକପକ୍ଷର ଶ୍ଳେଷ ଛଡା ଆଉକଣ କୁହାଯାଇପାରେ? ଶାସନବ୍ୟବସ୍ଥାରେ ଶାସକଦଳ ଓ ବିରୋଧୀଦଳଙ୍କ ଉପସ୍ଥିତି ଆଜି ତେଣୁ ଗୋଟିଏ ଗଣତାନ୍ତ୍ରିକ ଗ୍ରୀକ୍‌ଟ୍ରାଜେଡିର ଅଧୁରା ଅଧ୍ୟାୟ ପରି ମନେହେବାରେ ବା ବିଚିତ୍ରତା କ’ଣ ଅଛି ? ଆମ ରାଜନୈତିକ ନାୟକ / ଅପନାୟକବର୍ଗ ପ୍ରଶାସକ ପକ୍ଷକୁ ପାରିଷଦ କରି ଜନତାକୁ କେବଳ ଜୋକର ବନାଇବାରେ ବ୍ୟସ୍ତ !ହଁ, ସେଇ ଜୋକର୍ – ଯିଏ କାନ୍ଦୁଥିଲେ ବି ତାଳିମାରି ତା’ ଲୁହକୁ କୁହାଯାଏ ନିଗିଡି ପଡୁଥିବା ଟୋପାଟୋପା ହାସ୍ୟରସ ।

(ଯାଜପୁର ରୋଡ, ଯାଜପୁର ମୋ : ୯୮୬୧୦୩୪୧୬୩)

Comments are closed.