Latest Odisha News

ଜାତୀୟ ପ୍ରବେଶିକା ପରୀକ୍ଷା ପାଇଁ ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ମାଗଣାରେ ମିଳିବ କୋଚିଂ

ଭୁବନେଶ୍ବର : ଉଚ୍ଚଶିକ୍ଷାରୁ ବଞ୍ଚିତ ହେବେନି ଗରିବ ମେଧାବୀ । ରାଜ୍ୟର ଗରିବ ମେଧାବୀଙ୍କୁ ମିଳିବ ମାଗଣା ପ୍ରଶିକ୍ଷଣ । ରାଜ୍ୟରେ ଏକାଦଶ ଶ୍ରେଣୀର ପଢୁଥିବା ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ମାଗଣାରେ ମିଳିବ ବିଭିନ୍ନ ଜାତୀୟ ପ୍ରବେଶିକା ପରୀକ୍ଷାର କୋଚିଂ । ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଶିକ୍ଷାନୁଷ୍ଠାନରେ ପାଠ ପଢୁଥିବା ବିଦ୍ୟାର୍ଥୀଙ୍କୁ ଏହି ପ୍ରଶିକ୍ଷଣ ମିଳିବ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ବିଜ୍ଞପ୍ତି ଅନୁଯାୟୀ, ଛାତ୍ରଛାତ୍ରୀଙ୍କୁ ନିଟ୍, ଆଇଆଇଟି, ଜେଇଇ ଓ ଏନଡିଏ ପ୍ରବେଶିକା ପରୀକ୍ଷାରେ ପ୍ରସ୍ତୁତି ପାଇଁ କୋଚିଂ ଦିଆଯିବ । ଆସନ୍ତା ୧୫ ତାରିଖରୁ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିପାରିବେ । unacadiy.com ଲଗ୍ ଇନ୍ କରି ଅନ୍ଲାଇନରେ ନାମ ପଞ୍ଜୀକରଣ କରିପାରିବେ ଛାତ୍ରଛାତ୍ରୀ । ଆସନ୍ତା ୧୫ ତାରିଖରୁ ପଞ୍ଜୀକରଣ ଆରମ୍ଭ ହୋଇ ଜାନୁଆରୀ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ । ପଞ୍ଜୀକରଣ କରିଥିବା ଛାତ୍ରଛାତ୍ରୀଙ୍କର ପରୀକ୍ଷା କରିବା ପରେ ପ୍ରଶିକ୍ଷଣ ପାଇଁ ମନୋନୟନ କରାଯିବ । ମାଧ୍ୟମିକ ଶିକ୍ଷା ପରିଷଦ ପରୀକ୍ଷାର ୫୦% ଏବଂ ହେବାକୁ ଥିବା ପ୍ରବେଶିକାର ୫୦% ମାର୍କକୁ ଗଣନା କରାଯିବା ପରେ ଯୋଗ୍ୟତା ଭିତ୍ତିରେ ମେଧାବୀଙ୍କୁ ମନୋନୟନ କରାଯିବ ।

ପ୍ରଶିକ୍ଷଣ ପାଇଁ ଆବେଦନ କରିଥିବା ଛାତ୍ରଛାତ୍ରୀଙ୍କର ଜାନୁଆରୀ ୧୫ ପୂର୍ବାହ୍ନ ୧୧ଟାରେ ପରୀକ୍ଷା କରାଯିବ । ଦେଶର ଅଗ୍ରଣୀ ପ୍ରଶିକ୍ଷଣ ପ୍ରଦାନକାରୀ ସଂସ୍ଥା ଅନ୍ ଏକାଡେମୀ ଏହି ପ୍ରଶିକ୍ଷଣ ଦେବ । ଅଭିଭାବକଙ୍କର ବାର୍ଷିକ ୬ ଲକ୍ଷରୁ କମ୍ ରୋଜଗାର ଥିବା ଛାତ୍ରଛାତ୍ରୀ ଆବେଦନ କରିପାରିବେ । +୨ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ପାଠ୍ୟକ୍ରମରେ ପଢୁଥିବା ବିଦ୍ୟାର୍ଥୀଙ୍କୁ ସୁଯୋଗ ମିଳିବ । ରାଜ୍ୟରେ ୨୦୨୧-୨୨ ଶିକ୍ଷାବର୍ଷରେ ମୋଟ ୧ ହଜାର ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ଦିଆଯିବ । ମୋଟ ୩ ହଜାର ଛାତ୍ରଛାତ୍ରୀଙ୍କ ମେଧା ତାଲିକା ପ୍ରକାଶ ପାଇବ । ଯୋଗ୍ୟତା ଅର୍ଜନ କରିଥିବା ପ୍ରାର୍ଥୀ ପ୍ରଶିକ୍ଷଣ ନ ନେଲେ ଅପେକ୍ଷା ତାଲିକାରେ ଥିବା ପ୍ରାର୍ଥୀଙ୍କୁ ଦିଆଯିବ । ଅର୍ଥାଭାବ ଯୋଗୁଁ ମେଡିକାଲ ଓ ଇଞ୍ଜିନିୟରିଂ ଭଳି ଶିକ୍ଷାରୁ ଗରିବ ମେଧାବୀ ଛାତ୍ରଛାତ୍ରୀ ଯେଭଳି ବଞ୍ଚିତ ହେବେନି ଏହାକୁ ସରକାର ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରାଧାନ୍ୟ ଦେଉଛି ।

Leave A Reply

Your email address will not be published.