Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ପରେ ପ୍ରଦୀପ ଜେନା ହୋଇପାରନ୍ତି ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ଓଡ଼ିଶାର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ହୋଇପାରନ୍ତି ବରିଷ୍ଠ IAS ପ୍ରଦୀପ କୁମାର ଜେନା । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ କାର୍ଯ୍ୟକାଳ ଅଗଷ୍ଟ ୩୧ରେ ସରୁଛି । ତାଙ୍କ ପରେ କିଏ ହେବେ ଓଡ଼ିଶାର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ? ଏହାକୁ ନେଇ ଲୋକସେବା ଭବନ କୁହନ୍ତୁ ଅବା IAS ଅଧିକାରୀମାନଙ୍କ ମଧ୍ୟରେ ଅନେକ ଚର୍ଚ୍ଚା ଚାଲିଛି । ସୁରେଶଙ୍କ ଅବସର ପରେ ବରିଷ୍ଠ ଆଇଏଏସ୍ ପ୍ରଦୀପ କୁମାର ଜେନା ହୋଇ ପାରନ୍ତି ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ।

୧୯୮୯ ବ୍ୟାଚର ଓଡ଼ିଆ କ୍ୟାଡର ଆଇଏଏସ୍ ଅଧିକାରୀ ହେଉଛନ୍ତି ପ୍ରଦୀପ କୁମାର ଜେନା । ୨୦୨୧ ଜାନୁଆରୀରୁ ସେ ଉନ୍ନୟନ କମିଶନର ଭାବେ ଦାୟିତ୍ୱ ତୁଲାଇ ଆସୁଛନ୍ତି । ସ୍ୱତନ୍ତ୍ର ରିଲିଫ୍ କମିଶନର ଦାୟିତ୍ୱରେ ମଧ୍ୟ ରହିଛନ୍ତି ଶ୍ରୀ ଜେନା । ଅନ୍ୟପଟେ ୧୯୮୬ ବ୍ୟାଚର ଆଇଏଏସ୍ ଶ୍ରୀ ମହାପାତ୍ରଙ୍କ କାର୍ଯ୍ୟକାଳ ଗତ ଫେବ୍ରୁଆରୀରେ ସରୁଥିଲା । ରାଜ୍ୟ ସରକାର କେନ୍ଦ୍ରର ଅନୁମତି କ୍ରମେ କାର୍ଯ୍ୟକାଳ ୬ ମାସ ବଢ଼ାଇଥିଲେ ।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଶାସକ ବିଜେଡିର ଗୋଷ୍ଠୀ ଚାହୁଁଛି ସୁରେଶ ଚନ୍ଦ୍ର ମହାପାତ୍ରଙ୍କ କାର୍ଯ୍ୟକାଳ ଆଉ ୬ ମାସ ବୃଦ୍ଧି ହେଉ । କିନ୍ତୁ କେନ୍ଦ୍ର ସରକାର ଏଭଳି ନିବେଦନକୁ ଗ୍ରହଣ କରିବା ଭଳି ଦେଖାଯାଉନି । ଯଦିଓ ନିକଟରେ କେନ୍ଦ୍ର ସରକାର କ୍ୟାବିନେଟ ସଚିବ ରାଜୀବ ଗୌବାଙ୍କ କାର୍ଯ୍ୟକାଳ ୧ ବର୍ଷ ବୃଦ୍ଧି କରିଥିଲେ । କିନ୍ତୁ ଓଡ଼ିଶା କ୍ଷେତ୍ରରେ ଏଭଳି ହେବା ସମ୍ଭାବନା ବହୁତ କମ୍ ବୋଲି କହିଛନ୍ତି ଜଣେ ବରିଷ୍ଠ ପ୍ରଶାସକ ।

ଯଦିଓ ଓଡ଼ିଶାର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ଦୌଡ଼ରେ ଅନେକ ନାଁ ରହିଛି ତଥାପି ରେସରେ ସବୁଠୁ ଆଗରେ ରହିଛନ୍ତି ପ୍ରଦୀପ କୁମାର ଜେନା । ଶ୍ରୀ ଜେନାଙ୍କର ଅଭିଜ୍ଞତା ରହିଥିବା ବେଳେ ସେ ଶାସକ ଦଳର ବିଶ୍ୱାସ ଜିତି ପାରିଛନ୍ତି । ଅନ୍ୟପଟେ କେନ୍ଦ୍ରୀୟ ଡେପୁଟେସନରେ ଯାଇଥିବା କିଛି ଜଣ ବରିଷ୍ଠ ଅଧିକାରୀ ଏବେ ରାଜ୍ୟକୁ ଫେରିବାକୁ ଆଗ୍ରହୀ ନୁହଁନ୍ତି । ତେଣୁ ରାଜ୍ୟ ସରକାର ପ୍ରଦୀପ ଜେନାଙ୍କୁ ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତ କରିବା ନେଇ ଏକ ପ୍ରକାର ମନସ୍ଥ କରିଥିବା ଚର୍ଚ୍ଚା ହେଉଛି ।

Leave A Reply

Your email address will not be published.