Latest Odisha News

BREAKING NEWS

ପ୍ରମୋଦିନି ରାଉଳ ଏସିଡ୍ ମାଡ଼ ଘଟଣା: ଦୋଷୀଙ୍କୁ ୧୪ ବର୍ଷ ଜେଲ୍

ଜଗତସିଂହପୁର: ବହୁ ଚର୍ଚ୍ଚିତ ପ୍ରମୋଦିନି ରାଉଳ ଏସିଡ୍ ମାଡ଼ ଘଟଣାର ଜଗତସିଂହପୁର ମହିଳା କୋର୍ଟ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଏସିଡ୍ ମାଡ଼ କରିଥିବା ମୁଖ୍ୟ ଅଭିଯୁକ୍ତ ସନ୍ତୋଷ କୁମାର ବେଦାନ୍ତ ଓ ତାର ସହଯୋଗୀ ଅନିଲ ଦଳସିଂହକୁ ୧୪ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୧୫ ହଜାର ଟଙ୍କା ଲେଖାଏଁ ଜୋରିମାନା ଦେବାପାଇଁ ରାୟରେ ଦର୍ଶାଇଛନ୍ତି। ତେବେ ଅନାଦେୟ ଅର୍ଥ ବାବଦ ୯ମାସ ଅଧିକ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ।

ତିର୍ତ୍ତୋଲ ଥାନା କନକପୁର ପଞ୍ଚାୟତର ପ୍ରମୋଦିନି ରାଉଳଙ୍କୁ ଭଦ୍ରକର ପାରା ମିଲିଟାରୀ ଯବାନ୍ ସନ୍ତୋଷ କୁମାର ବେଦାନ୍ତ ଏସିଡ୍ ମାଡ଼ କରିଥିଲା । ଏକତରଫା ପ୍ରେମରେ ବିଫଳ ହୋଇ ଗତ ୨୦୦୯ ମସିହା ଅପ୍ରେଲ ମାସ ୧୮ ତାରିଖ ଦିନ ପ୍ରମୋଦିନିଙ୍କ ଉପରକୁ ଏସିଡ୍ ମାଡ଼ କରି ଫେରାର ହୋଇଯାଇଥିଲା ସନ୍ତୋଷ । ଏଭଳି ଜଘନ୍ୟ କାଣ୍ଡ ଭିଆଇ ଫେରାର ଅଭିଯୁକ୍ତ ପୁନଶ୍ଚ ନିଜ ଚାକିରୀକୁ ଫେରି ଯାଇଥିଲା।

ପରେ ପୋଲିସ ୨୦୧୨ ମସିହାରେ ଏହି କେସକୁ ବନ୍ଦ କରିଦେଇଥିଲା। ପରବର୍ତ୍ତୀ ସମୟରେ ୨୦୧୭ ମସିହାରେ ତତ୍କାଳୀନ ଏସପି ଜୟ ନାରାୟଣ ପଙ୍କଜ, ତିର୍ତ୍ତୋଲ ଥାନାଧିକାରୀ ବଳରାମ ନାୟକ ଏହି କେସ କୁ ରି-ଓପନ କରିଥିଲେ। ଏହି କେସ ଆଧାରରେ ତଦନ୍ତ ସମୟରେ ଅଭିଯୁକ୍ତ କାଶ୍ମୀରରୁ କଲିକତା ଫେରାର ହୋଇଯାଇଥିଲା।

ତେବେ ପୋଲିସ ଅଭିଯୁକ୍ତକୁ କଲିକତା ରୁ ଗିରଫ କରିବା ସହିତ ତାର ସହଯୋଗୀ ତଥା ସ୍ଥାନୀୟ ରଘୁନାଥପୁର ଅଞ୍ଚଳର ଅନିଲକୁ ମଧ୍ୟ ଗିରଫ କରିଥିଲା। ତେବେ ଆଜି ଏହି କେସରେ ୧୮ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଜଗତସିଂହପୁର ମହିଳା କୋର୍ଟ ୫୩ ପୃଷ୍ଠାର ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ତେବେ ଏହି ରାୟରେ ପୀଡ଼ିତା ପ୍ରମୋଦିନି ଏବଂ ତାଙ୍କ ମାଆ କବିତା ରାଉଳ ଅଦାଲତଙ୍କ ରାୟରେ ସନ୍ତୋଷ ପ୍ରକାଶ କରିଛନ୍ତି । ହେଲେ ଦୋଷୀକୁ ଅଧିକ ଦଣ୍ଡାଦେଶ ପାଇଁ ଉଚ୍ଚ ନ୍ୟାୟାଳୟକୁ ଯିବେ ବୋଲି କହିଛନ୍ତି।

Leave A Reply

Your email address will not be published.