Latest Odisha News

BREAKING NEWS

ପ୍ରେମ ପରି କିଛି (୨)

ପ୍ରେମ ପରି କିଛି (୨)
ଡ. ଶୁଭଶ୍ରୀ ଲେଙ୍କା

ଠିକ୍ ମୋ ଝର୍କା ସାମ୍ନାର
ଝଙ୍କାଳିଆ କ୍ରୋଟନ୍ ଡାଳରେ
ବସା ବାନ୍ଧୁଛନ୍ତି ଟେନିସ୍ ବଲ୍ ଠୁ
ଆହୁରି ଛୋଟ ଚଢେ଼ଇ ଦୁଇଟି
କିଚିରି ମିଚିରି ବ୍ୟସ୍ତତାରେ
ବୋହିଆଣୁଛନ୍ତି ମନ ମୁତାବକ କାଠିକୁଟା
ମା’ ଚଢେ଼ଇଟି ଅଣ୍ଡା ପାରିବ ବୋଧେ

କେତେ ଆଲୋକବର୍ଷ ଦୂରତାରେ ତୁ
ଏଇ ଚଢେ଼ଇ ଯୋଡ଼ିକ ଚଂଚୁଘଷିବା ଦେଖି
ମନେପଡୁଛୁ ତୁ ବେଶି ବେଶି
ଦେଖ୍ ତ, ଏ ଭିତରେ କେତେ ଥର
ନିଜ ହାତରେ ମୁଁ ଛୁଇଁଲିଣି ନାକ ମୋର
ତୁ ଥିଲେ କଥା କଥାକେ
ନାକ ଚିପୁ ଯେ ନାଲି ଦିଶେ ନାକ ଅଗ ମୋର
ମୁଁ ବଡ଼ ବୋଲି ଜମା ଖାତର ନ ଥାଏ ତୋର

ତୁ ଥିଲେ ଆଖ ପାଖରେ ହୁଏତ
ଆଉଟିକେ ମୁଁ ସଜାଡ଼ି ହୋଇଥା’ନ୍ତି
ବିଛଣାରେ ନଥାନ୍ତା ଅଧାଲେଖା କବିତା ଡ଼ାଏରୀ
ମବିଡିକ୍ , ଡେଲ୍ କାର୍ଣ୍ଣେ, ସେରେଲକ୍ ହୋମସ୍
ଖାଲି ଚା’ କପ୍, ଅମୃତାଞ୍ଜନ, କ୍ୟାଡ଼ବରିଜ୍ର ଖୋଳ
ତକିଆ ତଳେ ଲୁଚା ସ୍ଲିପିଙ୍ଗ ପିଲ୍ ଷ୍ଟ୍ରିପ୍
ତୁ ଥିଲେ ବଦଳୁଥା’ନ୍ତା ନିୟମିତ
ବିଛଣା ଚଦର, ପର୍ଦା, ପାପୋଛ, ଫୁଲଦାନୀର ଫୁଲ
ଛିଣ୍ଡି ଯାଇଥିବା ରାତି ପୋଷାକର ବୋତାମ୍
ବି ସିଲେଇ କରିଥା’ନ୍ତି ନିଶ୍ଚେ ମନେପକେଇ

ତୁ ଥିଲେ ହୁଏତ
ଏକାଠି ବସି ସଞ୍ଜବେଳେ
ଆମେ ବସି ଦେଖୁଥାନ୍ତେ କୁନି ଚଢେ଼ଇର ବସା
ତୁ ଖୋଜି ଖୋଜି ଦେଖାଉଥାନ୍ତୁ ମୋତେ
ଜଣାଅଜଣା କେତେ କଥା ପକ୍ଷୀଜୀବନର
ଡିସ୍କଭରୀ ଠୁ , ଏନିମଲ୍ ପ୍ଲାନେଟ୍ ୟୁଟ୍ୟୁବରେ
କେତେ କେତେ କଥା ଜଣାଥାଏ ତୋତେ
ନିମିଷକରେ ନେଇଯାଉ ଗୋଟିଏ ଗୋଲାର୍ଦ୍ଧରୁ
ଆଖି ପାଉ ନଥିବା ଆର ଗୋଲାର୍ଦ୍ଧ ଯାଏ
ତୁ କହୁ ପୃଥିବୀଟା ଭାରି ଛୋଟ କାଳେ
ଡେଣାମେଲି ଉଡିବା ପାଇଁ
ଗୋଟିଏ ଜୀବନ ଭୋଗିବା ପାଇଁ

ହେଲେ ଏତେ କଥା ଜଣାନାହିଁ ମୋତେ
ମୋର ହସଲୁହ, ମୋର ପ୍ରେମ, ମୋର ପାପ
ସବୁ ନିଗିଡି ପଡେ଼ କଲମରୁ ମୋର
ସବୁ କବିତାରେ ଦିଶେ ତୋ ଛାଇ
ମୋ ସ୍ୱପ୍ନରେ ଥାଉ ତୁ
ମୋ ସାମ୍ନାରେ ଥାଉ ତୁ
ମୋ ହାତ ମୁଠାରେ ଥାଏ ତୋ ହାତ
ଆମ ଦିହିଁଙ୍କ ହାତମୁଠାରୁ ତରଳି
ଥୋପା ଥୋପା ଝରିପଡେ଼ ସମୟ
ତୋ କଳାଘୁମର ଆଖିରେ ମୋତେ ଦିଶେ
ଗୋଟେ ନୂଆ କାହାଣୀର ଆରମ୍ଭ
ତୁ ଭସେଇ ନେଉ ମୋତେ ସୁଅରେ
ମୁଁ ଭାସିଯାଏ ବିନା ଭୟରେ

ତୁ ଉଡ଼ିଯାଉ ଦୂର ଆକାଶକୁ
ଜିଣିବାକୁ, ଜାଣିବାକୁ
ତା’ ଭାଗର ପୃଥିବୀ
ମୁଁ ହସି ହସି ବିଦାକରେ ତୋତେ
ତୁ ଜାଣିଥାଉ
ସେଇ ଚଢେ଼ଇବସା ପରି
ମୋ ଛାତିତଳେ ତୋ ପାଇଁ
ନିରାପଦ ବଖରାଟିଏ ଅଛି ।
…………………
E-mail: suvashreelenka06@gmail.com
Mobile: 9437798920

ଓଡ଼ିଶା ସମ୍ବାଦର ସାହିତ୍ୟ ବିଭାଗକୁ ଲେଖାପଠାଇବାକୁ ଚାହୁଁଥିଲେ ତଳ ଆଇଡିରେ ମେଲ୍‍ କରନ୍ତୁ:
sahitya.odishasambad@gmail.com
(ଲେଖା ସହିତ ନିଜର ଏକ ଫଟୋ, ଜନ୍ମ ତାରିଖ, ମୋବାଇଲ ନମ୍ବର ପଠାଇବାକୁ ଭୁଲିବେନି)

Leave A Reply

Your email address will not be published.