Latest Odisha News

BREAKING NEWS

ଆସନ୍ତାକାଲି ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ୫୫ ପ୍ଲାଟୁନ ପୋଲିସ ଫୋର୍ସ

ଭୁବନେଶ୍ୱର : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୨ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ।  ତାଙ୍କ ଗସ୍ତବେଳେ ସୁରକ୍ଷାକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ୫୫ ପ୍ଲାଟୁନ ପୋଲିସ ଫୋର୍ସ ସହିତ ୩ ଶହ ଅଫିସର ନିୟୋଜିତ ହେବେ । କେବଳ ପୁରୀରେ ୫ଜଣ ଏସପି ତଥା କମାଣ୍ଡର, ୭ଜଣ ଅତିରିକ୍ତ ଏସପି, ୧୮ ଜଣ ଡିଏସପି, ୩୦ ଜଣ ଇନସପେକ୍ଟର, ୧୧୦ଜଣ ସବଇନ୍ସପେକ୍ଟର ଓ ଏଏସଆଇ, ଏଚ୍ ଜି ୩ଶହ ଜଣ ସହିତ ୨୪ ପ୍ଲାଟୁନ ପୋଲିସ ଫୋର୍ସ ରହିବେ । ଭୁବନେଶ୍ୱର ବିମାନ ବନ୍ଦରରେ ୯ଟା ୩୦ରେ ସେ ପହଞ୍ଚିବେ । ସ୍ୱତନ୍ତ୍ର ହେଲିପ୍ୟାଡ୍ ଯୋଗେ ସେ ପୁରୀ ତାଳବଣିଆ ଅଭିମୁଖେ ଯିବେ ।

ସେଠାରୁ ଶ୍ରୀମନ୍ଦିର ଯାଇ ୧୦.୩୦ରୁ ୧୧.୩୦ ପର୍ଯ୍ୟନ୍ତ ଜଗନ୍ନାଥ ଦର୍ଶନ କରିବେ । ୧୨ଟାରେ ସେ ପୁରୀ ରାଜଭବନ ଫେରିବେ । ସେଠାରେ ମହାପ୍ରସାଦ ଖାଇବା ପରେ ୨ଟା ୫୦ରେ ଭୁବନେଶ୍ୱରରେ ପହଞ୍ଚିବେ । ୩ଟା୧୫ରୁ ୪ଟା୧୫ ମଧ୍ୟରେ ସେ ବିଭିନ୍ନ ବରପୁତ୍ରଙ୍କଠାରେ ମାଲ୍ୟାର୍ପଣ କରିବେ । ପରଦିନ ଅର୍ଥାତ୍ ୧୧ ତାରିଖରେ ସେ ନିଜେ ପାଠ ପଢିଥିବା କେତେକ ସ୍କୁଲ, କଲେଜ ଓ ଛାତ୍ରୀବାସ ଗୁଡିକୁ ପରିଦର୍ଶନ କରିବେ । ପରେ ଜୟଦେବ ଭବନରେ ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମରେ ସେ ଇଂଞ୍ଜିନିୟରିଂର ଏକ ଓଡ଼ିଆ ବହି ଓ ପୋର୍ଟାଲ ଇ-କୁମ୍ଭ ଉନ୍ମୋଚନ କରିବେ ବୋଲି ସୂଚନା ରହିଛି ।

ତାଙ୍କ ଗସ୍ତ ସମୟର ସମସ୍ତ ସ୍ଥାନରେ ସୁରକ୍ଷାବଳୟ ରହିବ । ସୁରକ୍ଷା ବ୍ୟବସ୍ଥାରେ ନିୟୋଜିତ ପୋଲିସଙ୍କୁ ତାଲିମ ଦିଆଯାଇଛି । ପୁରୀରେ ମଧ୍ୟ ଆଜି କାରକେଡ୍ ବ୍ୟବସ୍ଥାର ମକ୍ ଡ୍ରିଲ୍ କରାଯାଇଛି । ରାଷ୍ଟ୍ରପତି ହେବା ପରେ ଏହା ତାଙ୍କର ପ୍ରଥମ ଓଡ଼ିଶା ଗସ୍ତ । ଚଳିତବର୍ଷ ଜୁଲାଇ ୨୫ତାରିଖରେ ରାଷ୍ଟ୍ରପତି ଭାବେ ଶପଥ ନେଇଥିଲେ ଦ୍ରୌପଦୀ ମୁର୍ମୁ ।

Leave A Reply

Your email address will not be published.