Latest Odisha News

BREAKING NEWS

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

କଟକ/ଭଦ୍ରକ: କଟକ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।  ଏସ୍‌ସିବି ମେଡିକାଲ୍‌ କଲେଜ ଛାତ୍ର ସଂସଦର ବାର୍ଷିକୋତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେବେ । ଏନେଇ ସୂଚନା ଦେଇଛନ୍ତି ରାଷ୍ଟ୍ରପତି ଭବନ ଏବଂ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ।

ରାଷ୍ଟ୍ରପତି ଭବନ ଏବଂ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଆସିଥିବା ଚିଠି ଏସ୍‌ସିବି କଲେଜ କର୍ତ୍ତୃପକ୍ଷଙ୍କ ହସ୍ତଗତ ହୋଇଛି । ଏଥିରେ ଆସନ୍ତା ୨୬ ତାରିଖରେ ଏସ୍‌ସିବି ମେଡିକାଲ୍‌ କଲେଜ ଛାତ୍ର ସଂସଦର ବାର୍ଷିକୋତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ  ମୁଖ୍ୟଅତିଥି ଭାବେ ଯୋଗଦେବେ ବୋଲି କୁହାଯାଇଛି।  ଏଥିନେଇ ଏସ୍‌ସିବି ମେଡିକାଲ କଲେଜ ପ୍ରଶାସନିକ ସ୍ତରରେ ତତ୍ପରତା ପ୍ରକାଶ ପାଇଛି ।

ଏ ନେଇ କଲେଜ ଅଧ୍ୟକ୍ଷକଙ୍କ କାର୍ଯ୍ୟାଳୟରେ ଗତକାଲି ଏକ ପ୍ରସ୍ତୁତି ବୈଠକ ବସିଥିଲା ।  ପ୍ରଥମ ଥର ପାଇଁ ରାଷ୍ଟ୍ରପତି ଏସ୍‌ସିବିକୁ ଆସୁଥିବାରୁ କଲେଜ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି   । ଛାତ୍ର ସଂସଦ ସହିତ ମେଡିକାଲ କଲେଜ୍‌ ଏବଂ ହସ୍ପିଟାଲ୍‌ କର୍ତ୍ତୃପକ୍ଷଙ୍କ ସହଯୋଗରେ ପ୍ରସ୍ତୁତି କାମ ଚାଲିଛି ।  ଆଜି ଏସ୍‌ସିବି କଲେଜ କାଉନ୍‌ସିଲ୍‌ର ଏକ ବୈଠକ ମଧ୍ୟ ଡକାଇଛନ୍ତି କର୍ତ୍ତୃପକ୍ଷ । ଏଥିରେ ହସ୍ପିଟାଲ୍‌ ଅଧୀକ୍ଷକ ପ୍ରଫେସର ଡାକ୍ତର ସୁଧାଂଶୁ ଶେଖର ମିଶ୍ରଙ୍କ ସମେତ ବିଭିନ୍ନ ବିଭାଗୀୟ ମୁଖ୍ୟମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ପରଦିନ ଅର୍ଥାତ ୨୭ ତାରିଖ ରାଷ୍ଟ୍ରପତି ଭଦ୍ରକ ଗସ୍ତ କରିବେ । ସେଠାରେ ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟର ହୀରକ ଜୟନ୍ତୀ ଉତ୍ସବରେ ଯୋଗ ଦେବେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ । ଏହି ଐତିହ୍ୟ ସମ୍ପନ୍ନ ତଥା ଗୌରବମୟ ଶିକ୍ଷା ଅନୁଷ୍ଠାନର ହୀରକ ଜୟନ୍ତୀ ଉତ୍ସବକୁ ଉଦ୍‌ଘାଟନ କରିବାକୁ ସଦୟ ସୀକୃତି ପ୍ରଦାନ କରିଛନ୍ତି ବୋଲି ମହାବିଦ୍ୟାଳୟ ସୂତ୍ରରୁ ଜଣାଯାଇଛି । ରାଷ୍ଟ୍ରପତିଙ୍କ ଗସ୍ତ କାର୍ଯ୍ୟକ୍ରମକୁ ସଫଳ କରିବାକୁ ଜିଲ୍ଲାପାଳ ଓ ମହାବିଦ୍ୟାଳୟର ପ୍ରତିନିଧି ଦଳ ଗୁରୁତ୍ୱ ଦେଇଛନ୍ତି ।

 

Leave A Reply

Your email address will not be published.