Latest Odisha News

BREAKING NEWS

ସୋମବାର ପ୍ରଧାନମନ୍ତ୍ରୀ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ବୈଠକ କରିବେ !

ନୂଆଦିଲ୍ଲୀ:  ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଭିଡିଓ କନଫରେନ୍ସିଂ ଜରିଆରେ ସ୍ଥିତିର ଅନୁଧ୍ୟାନ କରିବେ। ଏହି ବୈଠକରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀଙ୍କ କାର୍ୟ୍ୟାଳୟର ଅଧିକାରୀମାନେ ଯୋଗଦେବେ। ଏହି ବୈଠକରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ, ଗୃହମନ୍ତ୍ରୀ ଅମିତ ଶାହ ଏବଂ ଅନ୍ୟ ମନ୍ତ୍ରଣାଳୟର ଅଧିକାରୀମାନେ ଯୋଗଦେବେ।

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ଦେଶରେ କରୋନା ସ୍ଥିତି ନେଇ ଏକ ଉପସ୍ଥାପନା ଦେଇପାରନ୍ତି ବୋଲି ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାପଡିଛି। ଏହାସହ ଟିକାକରଣ ସ୍ଥିତି ଓ ବୁଷ୍ଟର ଡୋଜ ସମ୍ପର୍କରେ ସୂଚନା ଦେବେ।

ଗତ ଦୁଇ ସପ୍ତାହ ହେଲା କରୋନା ସଂକ୍ରମଣ ବଢ଼ି ବଢ଼ି ଚାଲିଛି, ତେଣୁ ଚତୁର୍ଥ ଲହରର ଭୟର ସମ୍ଭାବନାକୁ ଏଡାଇ ହେବନି । ରବିବାର ୨ ହଜାର ୫୯୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଲଗାତର ଦ୍ୱିତୀୟ ଦିନରେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୨ ହଜାର ୫ଶହ ଟପିଛି।

ଦେଶରେ ବର୍ତ୍ତମାନ ସୁଦ୍ଧା ୪ କୋଟି ୩୦ ଲକ୍ଷ ଉପରେ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫ ଲକ୍ଷରୁ ଅଧିକ ପ୍ରାଣ ହରାଇଛନ୍ତି। ଏବେ ଦେଶରେ ୧୫ ହଜାର ୮୭୩ ଜଣ ସକ୍ରିୟ କରୋନା ଆକ୍ରାନ୍ତ ରହିଛନ୍ତି।

ଉତ୍ତର ପ୍ରଦେଶ, ଦିଲ୍ଲୀ, ତାମିଲନାଡୁ ସମେତ ଅନେକ ରାଜ୍ୟରେ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି ସରକାର। ଏପ୍ରିଲ ପହିଲାରୁ ଦେଶରେ ବିପର୍ୟ୍ୟୟ ପରିଚାଳନା ଆଇନକୁ କେନ୍ଦ୍ର ସରକାର ଉଚ୍ଛେଦ କରିଛନ୍ତି। ଏହା ପରେ ଅନେକ ରାଜ୍ୟରେ ନିୟମ କୋହଳ ହୋଇଛି।  କିନ୍ତୁ ଏହାପରେ ଉତ୍ତର ପ୍ରଦେଶ ସମେତ ଅନେକ ରାଜ୍ୟରେ ପୁଣି ଥରେ କଟକଣା ଲାଗୁ ହୋଇଛି । ୟୁପିର ଦିଲ୍ଲୀ ଏନସିଆର, ଲକ୍ଷ୍ଣୌ ପରେ ଦିଲ୍ଲୀ, ହରିଆଣାରେ ଏବେ ମାସ୍କ ଅନିର୍ବାର୍ୟ୍ୟ । କର୍ଣ୍ଣାଟକ ସରକାର ମଧ୍ୟ ଖୁବଶୀଘ୍ର ଏ ନେଇ କୌଣସି ନିଷ୍ପତ୍ତି ନେଇପାରନ୍ତି।

Leave A Reply

Your email address will not be published.