Latest Odisha News

BREAKING NEWS

ୱାୟନାଡ଼ରୁ ନିର୍ବାଚନ ଲଢ଼ି ପାରନ୍ତି ପ୍ରିୟଙ୍କା ଗାନ୍ଧୀ, ରାହୁଲ ବଦଳାଇଲେ ରଣନୀତି

ନୂଆଦିଲ୍ଲୀ: ଗାନ୍ଧୀ ପରିବାର ବିନା କଂଗ୍ରେସର କଣ ହେବ ? ୱାୟନାଡ଼ରୁ କଂଗ୍ରେସ ସାଂସଦ ଭାବେ ନିର୍ବାଚିତ ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ପରେ ଏବେ ଭାଳେଣି ପଡ଼ିଛି । କିଏ ଲଢ଼ିବ ୱାୟନାଡ଼ରୁ ଉପନିର୍ବାଚନ ? କାରଣ ସାଂସଦ ଭାବେ ଅଯୋଗ୍ୟ ହେବା ପରେ ରାହୁଲ୍ ଆଗାମୀ ୮ ବର୍ଷ ଯାଏ ନିର୍ବାଚନ ଲଢ଼ି ପାରିବେ କି ନାହିଁ ସ୍ପଷ୍ଟ ହୋଇନି । ସେପଟେ ଆମେଠିରୁ କିଏ ୨୦୨୪ରେ କଂଗ୍ରେସରୁ ଛିଡ଼ା ହେବ ତାହା ବି ଦଳ ସ୍ଥିର କରି ପାରୁନି ।

ଏତେ ଆଶଙ୍କା ଭିତରେ ଫସିଥିବା କଂଗ୍ରେସ ଓ ଗାନ୍ଧୀ ପରିବାର ଏବେ ସଂକଟ ଭିତରେ ଗତି କରୁଛି । ପରିବର୍ତ୍ତିତ ସ୍ଥିତିରେ ମୋର୍ଚ୍ଚା ସମ୍ଭାଳିବାକୁ ସୋନିଆ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଆଗକୁ ଆସିଛନ୍ତି । କୁହାଯାଉଛି ୱାୟନାଡ଼ ସାଂସଦ ଭାବେ ରାହୁଲ ଅଯୋଗ୍ୟ ହେବା ପରେ ସେଠାରୁ ଦଳ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଉପନିର୍ବାଚନରେ ପ୍ରାର୍ଥୀ କରିବ । ଅସୁସ୍ଥତା ଭିତରେ ଗତି କରୁଥିବା ସୋନିଆ ପୁଣି ସକ୍ରିୟ ହେବେ ।

ଆଇନ୍ ଜାଲରେ ଛନ୍ଦି ହୋଇ ପଡ଼ିଥିବା ରାହୁଲଙ୍କ ମାମଲାକୁ କଂଗ୍ରେସ୍ ଲିଗାଲ୍ ଟିମ୍ ହ୍ୟାଣ୍ଡେଲ୍ କରିବ । ସୁରଟ ସେସନ୍ କୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି କଂଗ୍ରେସ ଲିଗାଲ୍ ଟିମ୍ ସୁପ୍ରିମକୋର୍ଟ ଯିବ । ମାର୍ଚ୍ଚ ୨୪ରେ ରାହୁଲ ସାଂସଦ ଭାବେ ଅଯୋଗ୍ୟ ହେବା ପରେ ତାଙ୍କ ନେତୃତ୍ୱରେ ଦଳ ୨୦୨୪ ନିର୍ବାଚନ ଲଢ଼ିବାକୁ ଦଳର ଶୀର୍ଷ ନେତା ନିଷ୍ପତ୍ତି ନେଇଛନ୍ତି ।

ସେପଟେ ସାଂସଦ ଭାବେ ଅଯୋଗ୍ୟ ହେବା ପରେ ଏ ସମ୍ବନ୍ଧୀୟ ରାହୁଲ ଦଳୀୟ କାର୍ଯ୍ୟକ୍ରମରୁ ନିଜକୁ ଦୂରେଇ ରଖିଛନ୍ତି । ରାହୁଲଙ୍କ ରଣନୀତି ଅନୁସାରେ, ସେ ସଦସ୍ୟ ପଦ ରଦ୍ଦକୁ ଗୁରୁତ୍ୱ ନ ଦେଇ ଆଦାନୀ ପ୍ରସଙ୍ଗକୁ ନେଇ ଲୋକଙ୍କ ପାଖକୁ ଯିବେ ।

ସୁରଟ କୋର୍ଟ ଦେଇଥିବା ରାୟକୁ ଯଦି ହାଇକୋର୍ଟ କାଏମ ରଖନ୍ତି ତାହେଲେ ୱାୟନାଡ଼ରେ ଉପନିର୍ବାଚନ ହେବ । ଆଉ ଉପନିର୍ବାଚନ ହେଲେ ପ୍ରିୟଙ୍କା ସେଠାରୁ ଲଢ଼ି ପାରନ୍ତି । କାରଣ ଏବେ ପ୍ରିୟଙ୍କା ଗାନ୍ଧୀ ନା ରାଜ୍ୟସଭା ନା ଲୋକସଭା କେଉଁଠୁ ବି ପ୍ରତିନିଧିତ୍ୱ କରୁ ନାହାଁନ୍ତି । ଚର୍ଚ୍ଚା ଆକଳନ ଭିତରେ କଂଗ୍ରେସ ରାହୁଲଙ୍କ ସଦସ୍ୟତା ରଦ୍ଦକୁ ପ୍ରସଙ୍ଗ କରି ଆଜି ଦେଶବ୍ୟାପୀ ଦିନିକିଆ ସତ୍ୟାଗ୍ରହ କରି ଆନ୍ଦୋଳନ ବ୍ୟାପକ ହେବ ବୋଲି ସଂକେତ ଦେଇଛି ।

Leave A Reply

Your email address will not be published.