ନୂଆଦିଲ୍ଲୀ: ସୋମବାର (ମାର୍ଚ୍ଚ ୧୦) ଦିନ ଏଲୋନ ମସ୍କଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ (X)ର ସର୍ଭର ଅନେକ ଥର ଡାଉନ ହୋଇଥିଲା। ଗୋଟିଏ ଦିନରେ ଲକ୍ଷ ଲକ୍ଷ ଉପଭୋକ୍ତା ଦୁଇ ଥର ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଅସୁବିଧାର ସମ୍ମୁଖୀନ ହେବା ପରେ ସନ୍ଧ୍ୟାରେ ତୃତୀୟ ଥର ପାଇଁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଏଲନ୍ ମସ୍କଙ୍କ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଏକ୍ସ ସୋମବାର ଏକାଧିକ ଥର ଡାଉନ ହୋଇଥିଲା ଏବଂ ପାଖାପାଖି ୪ ଲକ୍ଷ ଉପଭୋକ୍ତା ସମସ୍ୟା ବିଷୟରେ ରିପୋର୍ଟ କରିଥିଲେ।
ଯଦିଓ ପ୍ଲାଟଫର୍ମକୁ କାର୍ଯ୍ୟକ୍ଷମ କରାଯାଇଥିଲା କିନ୍ତୁ ପୁଣି ବାରମ୍ବାର ବାଧାପ୍ରାପ୍ତ ହୋଇଥିଲା। ସମ୍ବାଦ ପ୍ରସ୍ତୁତ ହେବା ବେଳକୁ କମ୍ପାନୀ ପକ୍ଷରୁ ସମାଧାନ ହୋଇପାରି ନଥିଲା। ଏନେଇ ଏଲୋନ୍ ମସ୍କଙ୍କ କହିବା କଥା ଯେ ଏକ୍ସ ଉପରେ ସାଇବର ଆକ୍ରମଣ ହୋଇଛି, କୁଖ୍ୟାତ ପାଲେଷ୍ଟାଇନ ସମର୍ଥକ ହ୍ୟାକର ଗୋଷ୍ଠୀ ଡାର୍କ ଷ୍ଟର୍ମ ଟିମ୍ ଟେଲିଗ୍ରାମରେ ଏହି ସାଇବର ଆକ୍ରମଣର ନିଜକୁ ଦାୟି କରିଛି।
ସୋମବାର ଦିନ ଯେତେବେଳେ Xର ସର୍ଭର ଲଗାତାର ଡାଉନ୍ ହେଉଥିଲା, ଏଲୋନ୍ ମସ୍କ ଏହାର ପ୍ରତିକ୍ରିୟା ଦେଇଥିଲେ। ମସ୍କ କହିଛନ୍ତି, ‘X ଉପରେ ଏକ ସାଇବର ଆକ୍ରମଣ ହୋଇଛି।’ ପ୍ରତିଦିନ X ଉପରେ ସାଇବର ଆକ୍ରମଣ ହେଉଛି, କିନ୍ତୁ ଏଥର X କୁ ବଡ଼ ପରିମାଣରେ ଟାର୍ଗେଟ କରାଯାଇଛି। ଏହା କ’ଣ କୌଣସି ବିପଦପୂର୍ଣ୍ଣ ଗୋଷ୍ଠୀର କାମ ନା କୌଣସି ଦେଶ ମଧ୍ୟ ଏଥିରେ ସାମିଲ ଅଛି, ସେନେଇ ଯାଞ୍ଚ କରାଯାଉଛି।
ଏଲୋନ ମସ୍କଙ୍କ ପ୍ରତିକ୍ରିୟା ପରେ, କୁଖ୍ୟାତ ପାଲେଷ୍ଟାଇନ ସମର୍ଥକ ହ୍ୟାକର ଗୋଷ୍ଠୀ ଡାର୍କ ଷ୍ଟର୍ମ ଟିମ୍ ଟେଲିଗ୍ରାମରେ ସାଇବର ଆକ୍ରମଣର କରିଥିବ ସ୍ୱୀକାର କରିଛି ଏବଂ କହିଛି ଯେ X ର ସର୍ଭରକୁ ଏକ ଡିଷ୍ଟ୍ରିବ୍ୟୁଟେଡ୍ ଡିନାଏଲ୍ ଅଫ୍ ସର୍ଭିସ୍ (DDoS) ଆକ୍ରମଣ ଦ୍ୱାରା ବନ୍ଦ କରିଦିଆଯାଇଛି। ଆପଣଙ୍କୁ ଜଣାଇ ଦେଉଛୁ ଯେ ଡିଷ୍ଟ୍ରିବ୍ୟୁଟେଡ୍ ଡିନାଏଲ୍ ଅଫ୍ ସର୍ଭିସ୍ (DDoS) ଆକ୍ରମଣ ହ୍ୟାକିଂ ଠାରୁ ଭିନ୍ନ, କିନ୍ତୁ ଏହା ଏକ ସାଇବର ଆକ୍ରମଣ ଯେଉଁଥିରେ ହ୍ୟାକର୍ସ ଏକ ୱେବସାଇଟ୍ କିମ୍ବା ସର୍ଭରକୁ ଏତେ ନକଲି ଟ୍ରାଫିକ୍ ପଠାନ୍ତି ଯେ ଏହା କାମ କରିବା ବନ୍ଦ କରିଦିଏ ଏବଂ ସେହି ୱେବସାଇଟ୍ର ସର୍ଭର ଡାଉନ୍ ହୋଇଯାଏ। ଏହି ସାଇବର ଆକ୍ରମଣରେ, ସର୍ଭରକୁ ଏକ ସମୟରେ ଅନେକ ଅନୁରୋଧ ପଠାଇବା ପାଇଁ ଅନେକ କମ୍ପ୍ୟୁଟର କିମ୍ବା ବଟନେଟ୍ ବ୍ୟବହାର କରାଯାଏ, ଯାହା ଫଳରେ ଅତ୍ୟଧିକ ଲୋଡ୍ ଯୋଗୁଁ ଏହା କାମ କରିବା ବନ୍ଦ କରିଦିଏ।
Comments are closed.