Latest Odisha News

BREAKING NEWS

ରାଷ୍ଟ୍ରପତିଙ୍କ ଅଭିଭାଷଣ ବେଳେ କାହିଁକି କଟିଲା ବିଦ୍ୟୁତ୍ ? ତଦନ୍ତ କରିବ ୩ ଜଣିଆ କମିଟି, ଜଣେ ନିଲମ୍ବିତ

ବାରିପଦା: ବର୍ଷା କି ଘଡ଼ଘଡ଼ି ନଥିଲା, ହେଲେ କାହିଁକି ରାଷ୍ଟ୍ରପତି ବକ୍ତବ୍ୟ ରଖିବା ବେଳେ ୯ ମିନିଟ୍ ଧରି ବିଜୁଳି ଲୁଚକାଳି ଖେଳିଲା । ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ବେଳେ ବିଦ୍ୟୁତ୍ ବିଭ୍ରାଟକୁ ନେଇ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ବିଶ୍ୱବିଦ୍ୟାଳୟର ଜଣେ ବିଦ୍ୟୁତ୍ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି କର୍ତ୍ତୃପକ୍ଷ ।

ତେବେ କାହିଁକି ବିଦ୍ୟୁତ୍ କଟିଲା ? କାର୍ଯ୍ୟକ୍ରମ ପୂର୍ବରୁ ତଦାରଖ କରିଥିଲେ କି ଅଧିକାରୀ ? କେଉଁଠି ରହିଲା ତ୍ରୁଟି । କାରଣ ଖୋଜିବା ଲାଗି ବିଶ୍ୱବିଦ୍ୟାଳୟ କୁଳପତି ୩ ଜଣିଆ କମିଟି ଗଠନ କରିଛନ୍ତି । କମିଟି ରିପୋର୍ଟ ଦାଖଲ କଲା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି କୁଳପତି ।

ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଭାଷଣ ଆରମ୍ଭର କିଛି ମିନିଟ୍ ମଧ୍ୟରେ ବିଦ୍ୟୁତ୍ କଟି ଯାଇ ସମଗ୍ର ହଲ୍ ଅନ୍ଧାର ହୋଇ ଯାଇଥିଲା । ପୋଡ଼ିୟମରେ ଲାଗିଥିବା ଲାଇଟରେ ବକ୍ତବ୍ୟ ଦେଇଥିଲେ ରାଷ୍ଟ୍ରପତି । ତେବେ ଏନେଇ ନଦର୍ଣ୍ଣ ଟାଟା ପାୱାରର ସିଇଓ ଭାସ୍କର ସରକାର କହିଛନ୍ତି, ଡିଜି ସେଟ୍ କାର୍ଯ୍ୟକ୍ଷମ ଥିଲା । ଶୀତତାପ ନିୟନ୍ତ୍ରିତ ଯନ୍ତ୍ର ସହ ମାଇକ୍ରୋଫନ୍ ଚାଲୁଥିଲା । କୋଠାରେ ହୋଇଥିବା ୱେୟାରିଂରେ ତ୍ରୁଟି ପାଇଁ ଲାଇଟ୍ କଟିଛି ।

ସେହିଭଳି ବାରିପଦା ଅତିରିକ୍ତ ଜିଲ୍ଲାପାଳ ରୁଦ୍ର ନାରାୟଣ ମହାନ୍ତି କହିଛନ୍ତି, ବିଦ୍ୟୁତ୍ ବିଭ୍ରାଟ କାହିଁକି ହେଲା ଜାଣିବା ପାଇଁ ତଦନ୍ତ ହେବ । ଯିଏ ବି ସମ୍ପୃକ୍ତ ଥିବ କାର୍ଯ୍ୟାନୁଷ୍ଠାନ ନିଆଯିବ । ସେହିଭଳି କେନ୍ଦ୍ରାଞ୍ଚଳ ଆରଡିସି ସୁରେଶ ଦଳାଇ କହିଛନ୍ତି, କାହିଁକି ଏଭଳି ହେଲା ଅନୁଧ୍ୟାନ କରାଯାଉଛି ।

ରାଷ୍ଟ୍ରପତିଙ୍କ ଭାଷଣରେ ଅନ୍ଧାର ନେଇ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ ତ୍ରିପାଠୀ କ୍ଷମା ମାଗିବା ସହ ଏଭଳି ତ୍ରୁଟି ପାଇଁ ନିଜେ ନିଜକୁ ଦାୟୀ କରିଛନ୍ତି । ସେ କହିଛନ୍ତି, ବିଲ୍ଡିଂ ଇଡକୋ ତିଆରି କରିଥିଲା, ଜେନେରେଟର ବି ସଜାଡ଼ିଥିଲା । ଡେଡିକେଟେଡ ଜେନେରେଟର ଥିବା ବେଳେ କାମ ଦେଇ ନଥିଲା ।

ତେବେ ରାଷ୍ଟ୍ରପତିଙ୍କ ଅଭିଭାଷଣ ବେଳେ ବିଦ୍ୟୁତ୍ ବିଭ୍ରାଟ ପାଇଁ କିଏ ଦାୟୀ ? ଇଡକୋ ଦୋଷ ମୁଣ୍ଡକୁ ନେବ ନା ଟାଟା ପାୱାର ଭଳି ଦୋଷ ଖସାଇ ଦେବ । କୁଳପତି ଗଠନ କରିଥିବା କମିଟି କଣ ରିପୋର୍ଟ ଦେଉଛି, ଆଉ କି କାର୍ଯ୍ୟାନୁଷ୍ଠାନ ନିଆଯାଉଛି ତା ଉପରେ ସମସ୍ତେ ନଜର ରଖିଛନ୍ତି ।

Leave A Reply

Your email address will not be published.