Latest Odisha News

BREAKING NEWS

ବ୍ରହ୍ମପୁରରେ ମାସ୍କ ପିନ୍ଧୁନାହାନ୍ତି ଲୋକେ; ବିଏମସିର ଅବିରତ ଚଢ଼ଉ

ବ୍ରହ୍ମପୁର: ବ୍ରହ୍ମପୁର ସହରରେ କରୋନା ସଂକ୍ରମଣର ଭୟବହତା ଦେଖିବାକୁ ମିଳିନି । ସହରରେ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବିଶେଷ ବୃଦ୍ଧି ହୋଇନି। ତଥାପି ମାସ୍କ ପିନ୍ଧିବାକୁ ବ୍ରହ୍ମପୁର ମହାନଗର ନିଗମ ତରଫରୁ ବାଧ୍ୟତାମୂଳକ କରାଯାଇଛି । ଏନେଇ ନିଗମର ଆୟୁକ୍ତ ଜେ.ସୋନାଲଙ୍କ ତରଫରୁ ନିର୍ଦ୍ଦେଶନାମା ମଧ୍ୟ ଜାରି ହୋଇଛି ।

ଅନେକ ମାସ ପରେ ସହରରେ ମାସ୍କ ପରିଧାନକୁ ବାଧ୍ୟତାମୂଳକ କରାଯାଇଥିଲେ ମଧ୍ୟ ବିଶେଷ ପ୍ରଭାବ ଦେଖିବାକୁ ମିଳିନଥିଲା । ବଜାରରେ ଏବଂ ବଡ଼ ବଡ଼ ସପିଂ ମଲରେ ଅଧିକାଂଶ ଜଣ ମାସ୍କ ପିନ୍ଧୁନାହାନ୍ତି। ବୁଧବାର ଏନେଇ ବିଭିନ୍ନ ସ୍ଥାନରେ ଚଢ଼ଉ ସହିତ ବ୍ୟାପକ ସଚେତନତା ଅଭିଯାନ ହାତକୁ ନେଇ ମହାନଗର ନିଗମ ।

ସହରର ବିଭିନ୍ନ ସପିଂ ମଲ, ହୋଟେଲ ଏବଂ ଅନ୍ୟାନ୍ୟ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡ଼ିକରେ ମାସ୍କ ପରିଧାନ ସଂପର୍କିତ ନିୟମ ବିଷୟରେ ସଚେତନତା ସୃଷ୍ଟି କରାଯାଇଥିଲା । ଏପରିକି ମହାନଗର ନିଗମର ନିର୍ଦେଶନାମାକୁ ବଣ୍ଟନ କରାଯାଇଥିଲା । ପ୍ରଥମେ କେବଳ ସଚେତନ କରାଯିବ ।

ଯଦି ତଥାପି କେହି ମାସ୍କ ପରିଧାନ ନିୟମରେ ଉଲଂଘନ ହୁଏ, ତେବେ ଜୋରିମାନା ଆଦାୟ ମଧ୍ୟ ହେବ ବୋଲି ତାଗିଦ୍‌ କରାଯାଇଛି । ମହାନଗର ନିଗମର ଆୟୁକ୍ତ ଜେ. ସୋନାଲ କହିଛନ୍ତି ଯେ, ଲୋକମାନଙ୍କ ଉପରେ ଜୋରିମାନା ଲଦି ଦେଇ ସେମାନଙ୍କୁ ହଇରାଣ କରିବା ଉଦ୍ଦେଶ୍ୟ ନୁହଁ ।

ବର୍ତ୍ତମାନ ସହରରେ କରୋନା ସଂକ୍ରମଣ ନିୟନ୍ତ୍ରଣରେ ରହିଛି । ଯଦି ସଂକ୍ରମଣରେ ବୃଦ୍ଧି ହୁଏ ଏବଂ ଲୋକମାନେ ମାସ୍କ ପିନ୍ଧୁନାହାନ୍ତି, ତେବେ ପୋଲିସ ଏବଂ ପ୍ରଶାସନ ତରଫରୁ ଜୋରିମାନା ଆଦାୟ ହେବ ବୋଲି ସେ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.