Latest Odisha News

BREAKING NEWS

ଐତିହ୍ୟ କରିଡରରେ ପ୍ରକଳ୍ପ ନିର୍ମାଣକୁ ଏଏସଆଇର ବିରୋଧ, ଚିଠି ଦେଖାଇ ଘେରିଲେ ଅପରାଜିତା

ଭୁବନେଶ୍ୱର: ପୁରୀ ଐତିହ୍ୟ କରିଡରରେ ଯେଉଁ ପ୍ରକଳ୍ପ କାମ ଚାଲିଛି ତାହା ବେଆଇନ୍ । ସେଠାରେ କୌଣସି ଖନନ କାମ କରିବାକୁ ଅନୁମତି ନାହିଁ । ଯାହା ହେଉଛି ତାହା ଆଇନ ବାହାରେ ଅର୍ଥାତ୍ ବେଆଇନ୍ । ଫେବୃଆରୀ ୫ ତାରିଖରେ ଏଏସଆଇ ଏପରି ଏକ ଚିଠି ଜରିଆରେ ଓବିସିସିର ବରିଷ୍ଠ ପ୍ରେଜେକ୍ଟ ମ୍ୟାନେଜରଙ୍କୁ ଅବଗତ କରାଇ ପ୍ରକଳ୍ପ କାମକୁ ବିରୋଧ କରିଥିଲେ । ଏବେ ଭୁବନେଶ୍ୱର ସାଂସଦ ତଥା ବିଜେପି ନେତ୍ରୀ ଅପରାଜିତା ଷଡଙ୍ଗୀ ଏଏସଆଇର ଏହି ଚିଠିକୁ ଟ୍ୱିଟ୍ କରି ସେୟାର କରିଛନ୍ତି । ଯେଉଁ ଚିଠିରେ ଐତିହ୍ୟ କରିଡର ନିର୍ମାଣକୁ ଏଏସଆଇ ବିରୋଧ କରିଛି ।

ଚିଠି ଅନୁଯାୟୀ, ଏଏସଆଇ କର୍ମଚାରୀମାନେ ମନ୍ଦିରର ନିଷିଦ୍ଧ ଅଞ୍ଚଳରେ ନିର୍ମାଣ କାର୍ଯ୍ୟ ସମ୍ପର୍କରେ ଜଣାଇଥିଲେ। ମନ୍ଦିରରୁ ୧୦୦ ମିଟର ପର୍ଯ୍ୟନ୍ତ ଅଞ୍ଚଳ ‘ନିଷିଦ୍ଧ ଅଞ୍ଚଳ’ ଅଧୀନରେ ରହିଛି । ତେଣୁ ଏଠାରେ ଯେକୌଣସି ପ୍ରକାରର ଖନନ ଏବଂ ନିର୍ମାଣ ସମ୍ପୂର୍ଣ୍ଣ ନିଷେଧ ଏବଂ ସେହି ସ୍ଥାନଠାରୁ ୨୦୦ ମିଟର ପର୍ଯ୍ୟନ୍ତ ଅଞ୍ଚଳ ‘ନିୟନ୍ତ୍ରିତ ଅଞ୍ଚଳ’ ଅଧୀନରେ ରହିଥାଏ, ଯେଉଁଠି ଖନନ କାର୍ଯ୍ୟ ପାଇଁ ଅନୁମତି ନେବାକୁ ପଡିଥାଏ।

ସେହିପରି ‘ନିଷିଦ୍ଧ ଅଞ୍ଚଳରେ’ ନିର୍ମାଣ କାର୍ଯ୍ୟ ପାଇଁ ଅନୁମତି ନିଆଯାଇଛି କି ନାହିଁ ଏବଂ ଯଦି ନିଆଯାଇଛି ତେବେ ଏଏସଆଇ ପୂର୍ବରୁ ଅନୁମତି ପ୍ରଦାନର ଚିଠି ଜାରି କରିବାକୁ ଏଏସଆଇ କହିଛି। ତେଣୁ ତୁରନ୍ତ କାମ ବନ୍ଦ କରିବାକୁ ଏଏସ୍ଆଇ ସଂପୃକ୍ତ ଅଧିକାରୀମାନଙ୍କୁ ଚେତାବନୀ ଦେଇଥିଲେ। ସାଂସଦ ଅପରାଜିତା ଏହି କାମକୁ ବିରୋଧ କରି ଲୋକଙ୍କୁ ଏକାଠି ହେବା ଆବଶ୍ୟକ ନୁହେଁ କି ବୋଲି ପଚାରିଛନ୍ତି। ବିକାଶ ଏବଂ ସୌନ୍ଦର୍ଯ୍ୟକରଣକୁ ସେ ବିରୋଧ କରୁନାହାନ୍ତି କିନ୍ତୁ ବେଆଇନ କାମକୁ ସେ ବିରୋଧ କରୁଛନ୍ତି ବୋଲି କହିଛନ୍ତି।

ଉଲ୍ଳେଖଯୋଗ୍ୟ, ଗତ ଫେବୃଆରୀରେ ଓବିସିସିର ବରିଷ୍ଠ ପ୍ରେଜେକ୍ଟ ମ୍ୟାନେଜରଙ୍କୁ ଚିଠି ଲେଖିଥିଲା ଏଏସଆଇ । ହେଲେ ଏହି ଚିଠିକୁ ପୁରୀ ଜିଲ୍ଲାପାଳ ଅଧାମୋଡା ଦେଖାଇ କହିଥିଲେ ଖନନ କାମ ପାଇଁ ଅନୁମତି ମିଳିଛି। କିନ୍ତୁ ଏଯାବଚ ପୁରୀ ପ୍ରଶାସନ ଖନନ କାମ କରିବାକୁ ଅନୁମତି ମିଳିଥିବାର ଚିଠି ଦେଖାଇ ପାରିନାହିଁ । ସେହିପରି ସଂସଦରେ ଅପରାଜିତା ଏହି ପ୍ରସଙ୍ଗ ଉଠାଇଥିଲେ । ଏହାର ଜାବବରେ ପୁରୀ ସାଂସଦ ପିନାକୀ ମିଶ୍ର କହିଥିଲେ କେବଳ ଶୌଚାଳୟ ତିଆରି ହେବ । କୌଣସି ବଡ ଖନନ କାମ ହେଉ ନାହିଁ । ଏହପରେ ବିରୋଧୀ ସରକାରକୁ ଘେରିଛନ୍ତି ।

Leave A Reply

Your email address will not be published.