Latest Odisha News

BREAKING NEWS

ଗୁଗଲ୍‌ ମ୍ୟାପ୍‌ରେ ରେଡ୍‌ ଜୋନ୍ ହେଲେ ଶ୍ରୀମନ୍ଦିର ସଂଲଗ୍ନ ଗଳି ରାସ୍ତା

ପୁରୀ: ଶ୍ରୀମନ୍ଦିର ନିକଟରେ ପହଞ୍ଚିବାକୁ ଚାହୁଁଥିଲେ ଯାତ୍ରୀଙ୍କୁ ଗୁଗଲ୍‌ ମ୍ୟାପ୍‌ ସର୍ଚ୍ଚ କରିବାକୁ ପଡୁଥିଲା। ହେଲେ ଏହି ମ୍ୟାପ୍ ଶ୍ରଦ୍ଧାଳୁ ଭୁଲ ଗଳି ରାସ୍ତା ଦେଖାଉଥିଲା। ଫଳରେ ଶ୍ରଦ୍ଧାଳୁମାନେ ଫସି ଯାଉଥିଲେ। ହେଲେ ଆଗକୁ ଆଉ ଏପରି ସମସ୍ୟା ହେବନି। ପୁରୀ ପୋଲିସ ଗୁଗଲ୍‌ ସହ ଆଲୋଚନା କରି ଶ୍ରୀମନ୍ଦିର ସଂଲଗ୍ନ ଗଳି ରାସ୍ତାଗୁଡ଼ିକୁ ରେଡ୍‌ ଜୋନ୍‌ କରିଦେଇଛି। ଏହି ରାସ୍ତାଗୁଡ଼ିକ ଏବେ ଗୁଗଲ୍‌ ମ୍ୟାପ୍‌ରେ ‘ନୋ-ଗୋ’ ଜୋନ୍‌ ଭାବେ ଦେଖାଯାଉଛି। ପୁରୀ ଏସ୍‌ପି ପ୍ରତୀକ୍‌ ସିଂ ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଏଥିସହ ଆସନ୍ତା ରଥଯାତ୍ରା ଓ ସୁନାବେଶ ଦିନରେ ଯାତ୍ରୀଙ୍କ ସୁରକ୍ଷା ଉଦ୍ଦେଶ୍ୟରେ ଯାତାୟାତ ନିଷିଦ୍ଧ ରାସ୍ତା ଏବଂ ନୋ-ଭେହିକିଲ ଜୋନ୍‌ ତଥ୍ୟକୁ ଗୁଗଲ୍‌ରେ ଅପଡେଟ୍‌ କରାଯିବ ବୋଲି ମଧ୍ୟ ସେ କହିଛନ୍ତି। ଏସ୍‌ପିଙ୍କ କହିବା ଅନୁଯାୟୀ, ରଥଯାତ୍ରା ସମୟରେ ପାର୍କିଂ ସଂଖ୍ୟା ବଢ଼ିବ। ସବୁ ପାର୍କିଂରୁ ଯାତାୟାତ ବ୍ୟବସ୍ଥା ହେବ। ପରିବହନ ବିଭାଗ ମଧ୍ୟ ଟ୍ରାଫିକ୍‌ ନିୟନ୍ତ୍ରଣ ନିମନ୍ତେ ୧୦୦ ଟ୍ରାଫିକ୍‌ ୱାର୍ଡେନ୍‌ ନିଯୁକ୍ତି କରିବ। ଏଥିନିମନ୍ତେ ଟେଣ୍ଡର ହୋଇଛି। ରଥଯାତ୍ରା ବେଳେ ଆସନ୍ନ ବିପଦରେ ଥିବା ଶ୍ରଦ୍ଧାଳୁଙ୍କ ଉଦ୍ଧାର ନିମନ୍ତେ ସ୍ୱତନ୍ତ୍ର ଯୋଜନା ହୋଇଛି।

ପ୍ରଶାସନିକ ଜରୁରି ସୂଚନା ଶ୍ରଦ୍ଧାଳୁଙ୍କ ନିକଟରେ ଶୀଘ୍ର ପହଞ୍ଚାଇବା ନିମନ୍ତେ ବିଭିନ୍ନ ମାଧ୍ୟମକୁ ବ୍ୟବହାର କରାଯିବ । ବିଭିନ୍ନ ସ୍ଥାନାରେ ଏଲ୍‌ଇଡି ଲାଗି ସୂଚନା ଜାରି କରାଯିବ। ଆମ୍ବୁଲାନ୍ସ ମୁତୟନ ଓ ଭିଡ଼ ଭିତରେ ଯାତାୟାତ ନିମନ୍ତେ ସ୍ୱତନ୍ତ୍ର ମାର୍ଗଦର୍ଶିକା କରାଯାଇଛି। ରଥଯାତ୍ରା ସମୟରେ ଭିଡ଼ ସ୍ଥାନରେ ୨୪ ଘଣ୍ଟା ଅଫିସର ଉପସ୍ଥିତ ରହି ସ୍ଥିତି ନିୟନ୍ତ୍ରଣ କରିବେ। ଟାଉନ ଥାନା, କୁମ୍ଭାରପଡ଼ା, ଗୁଣ୍ଡିଚା ମନ୍ଦିର, ବାଗେଡ଼ିଆରେ କଣ୍ଟ୍ରୋଲ ରୁମ୍‌ ଖୋଲାଯିବ। ଉତ୍ତରାରୁ ପୁରୀ ପର୍ଯ୍ୟନ୍ତ ସ୍ୱତନ୍ତ୍ର ସର୍ଭିଲାନ୍ସ ବ୍ୟବସ୍ଥା ରହିବ। ଏଡିଜି (ଆଧୁନିକୀକରଣ) ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ନେତୃତ୍ୱରେ ଏନେଇ ପଦକ୍ଷେପ ନିଆଯାଉଛି ବୋଲି ଏସ୍‌ପି କହିଛନ୍ତି।

Leave A Reply

Your email address will not be published.