ନୂଆଦିଲ୍ଲୀ: ଭାରତ ଗୋଟିଏ ଡାକରେ ଛୁଟି ଆସିଲା ପାକିସ୍ତାନ
ମୃତ୍ୟୁ ମୁହଁରୁ ଛଡାଇ ଆଣିଲା ୬ ଭାରତୀୟଙ୍କ ଜୀବନ
ଭାରତ ଛାତିରେ ଶହ ଶହ କ୍ଷତ ସୃଷ୍ଟି କରିଥିବା ପାକିସ୍ତାନ କେବେ ଆମକୁ ସାହାଯ୍ୟ କରିପାରିବ, ତାହା ବୋଧେ ଭାବିବା ଆମ ପାଇଁ ଅସମ୍ଭବ । କକିନ୍ତୁ ଏବେ ବାସ୍ତବରେ ଏହା ଘଟିଛି । ପାକିସ୍ତାନ ସଙ୍କଟ ସମୟରେ ନିଜକୁ ଭାରତର ଏକ ସହାୟକ ସହଯୋଗୀ ଭାବରେ ଦେଖାଇଛି। ପାକିସ୍ତାନ ନୌସେନା ଏକ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଆରବ ସାଗରରେ ଫସି ରହିଥିବା ଏକ ଭାରତୀୟ ଜାହାଜର କର୍ମଚାରୀଙ୍କୁ ମାନବିକ ସହାୟତା ପ୍ରଦାନ କରି ଏକ ସକାରାତ୍ମକ ବାର୍ତ୍ତା ପଠାଇଛି।
ତେବେ ଭାରତୀୟ ଅଫଶୋର ଟଗ୍ ଏବଂ ଯୋଗାଣ ଜାହାଜ, ଏମଭି ଗୌତମ, ଓମାନରୁ ଭାରତ ଅଭିମୁଖେ ଯାତ୍ରା କରୁଥିଲା। ଜାହାଜଟି ହଠାତ୍ ସମୁଦ୍ର ମଧ୍ୟରେ ଏକ ଯାନ୍ତ୍ରିକ ତ୍ରୁଟିର ସମ୍ମୁଖୀନ ହୋଇଥିଲା, ଯାହା ଫଳରେ ହଠାତ୍ ମଝି ସମୁଦ୍ରରେ ଅଟକି ଯାଇଥିଲା ଜାହାଜ । ଯେଉଁଥିରେ ୬ ଜଣ ଭାରତୀୟ ଏବଂ ଜଣେ ଇଣ୍ଡୋନେସିଆନ ନାଗରିକଙ୍କ କ୍ରୁ ମୁମ୍ବାଇର ସାମୁଦ୍ରିକ ଉଦ୍ଧାର ଏବଂ ସମନ୍ୱୟ କେନ୍ଦ୍ରକୁ ଏକ SOS ବା ଜାହାଜକୁ ବଞ୍ଚାଇବା ନେଇ ଏକ ବାର୍ତ୍ତା ପଠାଇଥିଲେ। ମୁମ୍ବାଇ କେନ୍ଦ୍ର ତୁରନ୍ତ ପାକିସ୍ତାନୀ କର୍ତ୍ତୃପକ୍ଷଙ୍କ ସହିତ ଯୋଗାଯୋଗ କରି ସହାୟତା ପାଇଁ ଆବେଦନ କରିଥିଲା। ଆଉ ଭାବନ୍ତୁ କ’ଣ ହୋଇଥିଲା, ସବୁବେଳେ ଭାରତର ନାଁ ଶୁଣିଲେ ବିଷ ଓଗାରୁଥିବା ପାକିସ୍ତାନ, ସଙ୍ଗେ ସଙ୍ଗେ ମଝି ସମୁଦ୍ରକୁ ଓହ୍ଲାଇଥିଲା । ମୁମ୍ବାଇରୁ କଲ୍ ଯିବାର ମାତ୍ର କିଛି ଘଣ୍ଟା ମଧ୍ୟରେ, ପାକିସ୍ତାନୀ ନୌସେନା ଖାଦ୍ୟ, ପାଣି ଏବଂ ଆବଶ୍ୟକୀୟ ଔଷଧ ଯୋଗାଇବା ପାଇଁ ମଝି ସମୁଦ୍ରରେ ପହଞ୍ଚିଥିଲା।
ପାକିସ୍ତାନ ନୌସେନା ଏବଂ ପାକିସ୍ତାନ ସାମୁଦ୍ରିକ ସୁରକ୍ଷା ଏଜେନ୍ସି (PMSA) ତୁରନ୍ତ ଭାରତର ଅନୁରୋଧ ରକ୍ଷା କରି, ମିଳିତ ଭାବରେ, ଦୁଇଟି ସଂସ୍ଥା କ୍ରୁକୁ ଖାଦ୍ୟ, ଡାକ୍ତରୀ ସହାୟତା ଏବଂ ବୈଷୟିକ ସହାୟତା ଯୋଗାଇ ଦେଇଥିଲା । ଏହା ପରେ ପାକିସ୍ତାନ ସରକାରୀ ସଂସ୍ଥା ନିଶ୍ଚିତ କରିଥିଲା କି, କ୍ରୁଙ୍କୁ ସମସ୍ତ ସମ୍ଭାବ୍ୟ ସହାୟତା ଯୋଗାଇ ଦିଆଯାଉଛି ଏବଂ ଜାହାଜକୁ ସୁରକ୍ଷିତ ସ୍ଥାନକୁ ଆଣିବା ପାଇଁ ପ୍ରୟାସ ଚାଲିଛି।
ତେବେ କହିରଖୁଛୁ, ଏଭଳି ଘଟଣା ସାଧରଣ ନୁହେଁ, କାରଣ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସମ୍ପର୍କ ଐତିହାସିକ ଭାବରେ ତିକ୍ତ ହୋଇଛି, ଆଉ ବର୍ତ୍ତମାନ ଏହା ତାର ସବୁଠାରୁ ନିମ୍ନତମ ସ୍ତରରେ ପହଞ୍ଚିଛି। ଗତବର୍ଷ ଏପ୍ରିଲରେ ପହଲଗାମ ଆତଙ୍କବାଦୀ ଆକ୍ରମଣ ସମ୍ପର୍କକୁ ଆହୁରି ଖରାପ କରିଥିଲା। ମେ ମାସରେ ଭାରତର ଅପରେସନ ସିନ୍ଦୁର, ଏବଂ ତା’ପରେ ଚାରି ଦିନିଆ ସାମରିକ ସଂଘର୍ଷ, ସମ୍ପର୍କକୁ ଆହୁରି ତିକ୍ତ କରିଥିଲା। ଯାହାପରେ ଦୁଇ ଦେଶ ମଧ୍ୟରେ ବାରମ୍ବାର ଆକ୍ରମଣାତ୍ମକ ବୟାନବାଜି ସହିତ ସମ୍ପର୍କ ଉତ୍ତେଜନାପୂର୍ଣ୍ଣ ରହିଛି। ଆଉ ଏଭଳି ସମୟରେ ପାକିସ୍ତାନର ଏହି ପଦକ୍ଷେପ ଦର୍ଶାଉଛି ଯେ ସଙ୍କଟ ସମୟରେ ମାନବତାର ସ୍ୱର ଜାତୀୟ ସୀମା ଅତିକ୍ରମ କରିପାରେ।