ୱାଶିଂଟନ ଡିସି: ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨୦ ଜାନୁଆରୀରେ ଦ୍ଵିତୀୟ ଥର ପାଇଁ ରାଷ୍ଟ୍ରପତି ଭାବରେ ଶପଥ ନେବେ। ଶପଥ ଗ୍ରହଣର ପରଦିନ ଅର୍ଥାତ ୨୧ ଜାନୁଆରୀରେ କ୍ୱାଡ ଦେଶର ବୈଦେଶକ ମନ୍ତ୍ରୀମାନଙ୍କର ଏକ ବୈଠକ ଅନୁଷ୍ଠିତ ହେବ। ଏହି ବୈଠକ ୱାଶିଂଟନ ଡିସିରେ ହେବାକୁ ସ୍ଥିର କରାଯାଇଛି।
ଆୟୋଜିତ ହେବାକୁ ଥିବା କ୍ୱାଡ ଦେଶମାନଙ୍କ ବୈଠକରେ ଅନେକ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହେବାକୁ ଥିବା ବେଳେ ଟ୍ରମ୍ପଙ୍କ ପାଇଁ ଦ୍ଵିତୀୟ କାର୍ଯ୍ୟକାଳର ଏହା ପ୍ରଥମ ବୈଠକ ହେବ। ଏହି ବୈଠକରେ ଅଷ୍ଟ୍ରେଲିଆ, ଭାରତ, ଜାପାନ ଓ ଆମେରିକାର ବୈଦେଶିକ ମନ୍ତ୍ରୀମାନେ ସାମିଲ ହେବେ।
ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲଙ୍କ ସୂଚନା ଅନୁସାରେ, ଟ୍ରମ୍ପଙ୍କ ଶପଥ ଗ୍ରହଣ ଉତ୍ସବରେ ୪ ଜଣ ମନ୍ତ୍ରୀ ଉପସ୍ଥିତ ରହି ପାରନ୍ତି। ଜାପାନ ବିଦେଶ ମନ୍ତ୍ରୀ ତାକେଶୀ ଇବାୟା, ଅଷ୍ଟ୍ରେଲିଆ ବୈଦେଶିକ ମନ୍ତ୍ରୀ ପେନୀ ବୋଙ୍ଗ, ଆମେରିକାର ଶପଥ ନେବାକୁ ଥିବା ନୂଆ ବୈଦେଶିକ ମନ୍ତ୍ରୀ ମାରକୋ ରୁବିୟୋଙ୍କ ସମେତ ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ମଧ୍ୟ ଏହି ବୈଠକରେ ଉପସ୍ଥିତ ହେବେ। ଶପଥ ଗ୍ରହଣ ପରେ ଆୟୋଜିତ ହେବାକୁ ଥିବା ବୈଠକରେ ବିଦେଶ ନୀତି ସମ୍ପର୍କରେ ଆଲୋଚନା କରାଯିବ।
ଅଷ୍ଟ୍ରେଲିଆ, ଜାପାନ, ଆମେରିକା ଓ ଭାରତ ସମୂହକୁ କ୍ୱାଡ ଦେଶ ବା କ୍ୱାଡ ସମୂହ କୁହାଯାଏ। ସାମୁଦ୍ରିକ ସୁରକ୍ଷାକୁ ମଜବୁତ କରିବା ପାଇଁ ଏହି ସମୂହ କାମ କରିଥାଏ। ଏହା ପ୍ରଥମେ ୨୦୦୭ ମସିହାରେ ଆରମ୍ଭ ହୋଇଥିବା ବେଳେ ଏହି ସମୂହରୁ ଅଷ୍ଟ୍ରେଲିଆ ହଟିବା ପରେ ବନ୍ଦ ହୋଇଥିଲା। ପୁନର୍ବାର ଏହା ୨୦୧୭ ମସିହାରେ ଆରମ୍ଭ ହୋଇଥିଲା। ଏହି ସମୂହକୁ ଘୋର ବିରୋଧ କରିଥାଏ ଚୀନ।
Comments are closed.