ରବି ନାରାୟଣ ପଣ୍ଡା
ମଣିପୁର ହିଂସା ଦେଶର ଜାତିଗତ ଓ ସାମାଜିକ ସମସ୍ୟାକୁ ଉଜାଗର କରିଛି । ମୁଖ୍ୟତଃ କୁକୀ ସମ୍ପ୍ରଦାୟ ଓ ମତେଇ ସମ୍ପ୍ରଦାୟ ଲୋକଙ୍କ ଭିତରେ ସଂଘର୍ଷ ବହୁ ବର୍ଷ ପୂର୍ବରୁ ଲଗାଯାଇଥିବା ଏକ ବିଷବୃକ୍ଷର ଫଳ । ଭାରତ ସରକାର ନା ଗିଳି ପାରୁଛନ୍ତି ନା କାଢି ପାରୁଛନ୍ତି । ମଣିପୁର ସ୍ଥିତି ସେଇଥି ପାଇଁ ମହା ବିଷମ ପରିସ୍ଥିତି ସୃଷ୍ଟି କରିଛି ।
ମଣିପୁରରେ ମୈତେଇଙ୍କୁ ଛାଡି ୩୩ଟି ଜନଜାତିର ସମୁଦାୟ ବସବାସ କରନ୍ତି । ସେଥିମଧ୍ୟରୁ ଈସାଇ ବହୁଳ କୁକୀ ଓ ନାଗା ମୁଖ୍ୟ ସମୁଦାୟ । ୨୦୧୧ ତଥ୍ୟ ଅନୁସାରେ ମଣିପୁରର ମୋଟ ଜନସଂଖ୍ୟାରେ ହିନ୍ଦୁଙ୍କ ସଂଖ୍ୟା ୪୧.୩୯% ଓ ଈସାଇଙ୍କ ସଂଖ୍ୟା ୪୧.୨୯% ଓ ମୁସଲିମଙ୍କ ସଂଖ୍ୟା ୮% । ମୈତେଇ ସମାଜ ଅଧିକାଂଶ ହିନ୍ଦୁ ହୋଇଥିବା ବେଳେ ନାଗା ଓ କୁକିମାନେ ସର୍ବାଧିକ ଖ୍ରୀଷ୍ଟିଆନ ଅଟନ୍ତି ।
ଏସବୁ ସତ୍ତ୍ୱେ ଧର୍ମ ଆଧାରରେ ଲଢେଇ କମ୍ ଦେଖିବାକୁ ମିଳେ । ଲଢେଇର ସବୁଠାରୁ ବଡ କାରଣ ଜନଜାତି ମାନ୍ୟତା । ମୈତେଇ ଲୋକଙ୍କୁ ୧୯୪୯ ପର୍ଯ୍ୟନ୍ତ ଜନଜାତି ମାନ୍ୟତା ମିଳୁଥିଲା । ରାଜ୍ୟରେ ସମସ୍ତେ ସ୍ୱାଭାବିକ ଭାବରେ ରହୁଥିଲେ । ୧୯୪୯ ରେ ଭାରତ ସହ ମଣିପୁର ବିଲୟ ହେଲା । ହିନ୍ଦୁ ବହୁଳ ମୈତେଇ ସମୁଦାୟ ଷଡଯବରେ ଶିକାର ହେଲେ । ଭାରତ ସରକାର ଷଡଯବକୁ ବୁଝି ନପାରି ମୈତେଇଙ୍କ ଜନଜାତି ମାନ୍ୟତା ସମାପ୍ତି କରିଦେଲେ । ଖାଲି ସେତିକି ନୁହେଁ ସେମାନଙ୍କୁ ଅଘୋଷିତ ଭାବରେ ଦ୍ୱିତୀୟ ଶ୍ରେଣୀର ନାଗିରିକ କରିଦେଲେ । ୧୯୪୯ରେ ଜନଜାତି ମାନ୍ୟତା ସମାପ୍ତି ହେବାପରେ ସେମାନଙ୍କୁ ପାହାଡ ଠାରୁ ଦୁରେଇ ଦିଆଗଲା । ସରକାରୀ ନିୟମ କରିଦିଆଗଲା ମୈତେଇ ସମୁଦାୟ ମଣିପୁରର (୯୦% ଅଞ୍ଚଳ ) ପାହାଡିଆ ଅଞ୍ଚଳରେ ଜମି କିଣି ପାରିବେନି । ଆର୍ଥିକ, ସାମାଜିକ ଓ ରୋଜଗାର କ୍ଷେତ୍ରରେ ଅନେକ ପ୍ରତିବନ୍ଧକ ସାମ୍ନା କରିବାକୁ ପଡିଲା । ନିଜର ରାଜ୍ୟ ଭିତରେ ନିଜ ମାଟିଠାରୁ ଅଲଗା ହେବାର ଷଡଯନ୍ତ୍ର ମୈତେଇ ସମୁଦାୟ କେବେ ବି ଗ୍ରହଣ କରିପାରିଲାନି । ମୈତେଇ ସମୁଦାୟ ନିଜର ପୂର୍ବଜ, ପୂର୍ବ ସାଂସ୍କୃତିକ ପରମ୍ପରାକୁ ରକ୍ଷା କରିବା ପାଇଁ ଅନବରତ ସଂଘର୍ଷ କରି ଆସିଛି । ନିଜର ପୂର୍ବ ପରିଚୟ ପାଇବା ପାଇଁ ସାମାଜିକ, ରାଜନୈତିକ ଓ ନ୍ୟାୟିକ ଲଢେଇ ଜାରି ରଖିଛି । ୧୯୪୯ରୁ ଆଜି ପର୍ଯ୍ୟନ୍ତ ଏହି ଅନ୍ୟାୟ ଅପମାନ ବିରୋଧରେ ସେମାନେ ଲଢେଇ କରି ଆସୁଛନ୍ତି ।
ସମ୍ବିଧାନର ଧାରା ୩୭୧ ସି ଅନୁସାରେ ପାହାଡିଆ ଜନଜାତି ବିଶେଷ କରି କୁକୀମାନଙ୍କୁ ବିଶେଷ ଅଧିକାର ମିଳିଛି । ସେମାନେ ଆଧୁନିକ ଅସ୍ତ୍ରଶସ୍ତ୍ରରେ ସୁସଜ୍ଜିତ । ମ୍ୟାନମାର ଦେଇ ସେମାନେ ଭାରତ ବିରୋଧୀ ଗତିବିଧି ଚଳେଇ ଆସୁଛନ୍ତି । ୨୦୦୫ରେ ଭାରତୀୟ ସେନା ସହ ଲଢେଇ କରୁଥିବା ଈଶାଇ ଧର୍ମାବଲମ୍ବୀ କୁକୀ ଓ ନାଗାମାନେ ଭାରତ ସହ ସନ୍ଧି କରିବା ପାଇଁ ରାଜି ହେଲେ । ୨୦୦୮ରେ ସମସ୍ତ ବିଦ୍ରୋହୀ
ସଙ୍ଗଠନ ଭାରତ ସରକାରଙ୍କ ସହ ଗ୍ଦକ୍ଟଗ୍ଦ ସନ୍ଧି କଲେ । ଅସ୍ତ୍ରବିରତି ପରେ ମଣିପୁରରେ ଶାନ୍ତି ପ୍ରତିଷ୍ଠା ହେଲା । କିନ୍ତୁ ଦୀର୍ଘ ଦିନର ଆତଙ୍କବାଦୀ ଆକ୍ରମଣ ଫଳରେ କାଶ୍ମୀର ପଣ୍ଡିତଙ୍କ ଭଳି ମୈତେଇ ସମୁଦାୟ ମଣିପୁର ପାହାଡିଆ ଅଞ୍ଚଳରୁ ପଳାୟନ କରିସାରିଥିଲା । ତାଙ୍କ ସ୍ଥାନରେ ବଙ୍ଗଳାଦେଶୀ ଓ ମିଆଁମାର ଲୋକ ଆସି ଜନବସତି ତିଆରି କରିନେଇଥିଲେ । ମଣିପୁରର ପାଖାପାଖି ୯୦% ଅଞ୍ଚଳରୁ ମୈତେଇମାନେ ପଳେଇ ଆସି କେବଳ ଇମ୍ପାଲ ଅଞ୍ଚଳରେ ସୀମିତ ହୋଇଗଲେ । ରାଜ୍ୟରେ ମୋଟ ଜନସଂଖ୍ୟାର ପାଖାପାଖି ୫୩ ପ୍ରତିଶତ ମୈତେଇ ଇମ୍ପାଲ ଘାଟୀ ଭିତରେ ନିଜକୁ ସୀମିତ କରିନେଇଥିଲେ । ଇମ୍ପାଲର କ୍ଷେତ୍ରଫଳ ମଣିପୁରର ମାତ୍ର ୧୦% । ଏମାନେ ଆର୍ଥିକ ଓ ଶିକ୍ଷା ଦୃଷ୍ଟିରୁ କୁକୀମାନଙ୍କ ଠାରୁ ଅଧିକ ଶକ୍ତିଶାଳୀ ଅଟନ୍ତି । ମୈତେଇ ସମୁଦାୟ ଲୋକ ଉଚ୍ଚ ନ୍ୟାୟାଳୟରେ ଲମ୍ବା ସମୟ ଲଢେଇ କରିବା ପରେ ୨୦୨୩ ଏପ୍ରିଲ ୧୯ରେ ଐତିହାସିକ ବିଜୟ ପ୍ରାପ୍ତ କଲେ । ମଣିପୁର ଉଚ୍ଚ ନ୍ୟାୟାଳୟ ସେମାନଙ୍କଠାରୁ ଛଡେଇ ନିଆଯାଇଥିବା ଜନଜାତି ମାନ୍ୟତା ଫେରେଇ ଦେବା ପାଇଁ ଆଦେଶ ଦେଲେ ।
ଜନଜାତି ମବଣାଳୟକୁ ମଧ୍ୟ କେନ୍ଦ୍ରକୁ ସୁପାରିଶ ପାଇଁ ନିର୍ଦ୍ଦେଶ ଦେଲେ । ଉଚ୍ଚ ନ୍ୟାୟାଳୟର ଆଦେଶ ପରେ କୁକୀମାନେ ମୈତେଇ ସମୁଦାୟ ବିରୋଧରେ ଜନ ଆନ୍ଦୋଳନ ଆରମ୍ଭ କଲେ । ସେମାନଙ୍କ ଭୂମିଗତ
ଏକାଧିକାର ସମାପ୍ତ ହେବାର ସମ୍ଭାବନା ତିଆରି ହେଲା । କାରଣ ଜନଜାତି ମାନ୍ୟତା ଫେରି ପାଇଲେ ମୈତେଇମାନେ ପାହଡ ଅଂଚଳରେ ଜମି କିଣିବା ଆରମ୍ଭ କରିଦେବେ । ସ୍ୱାର୍ଥରେ ଆଘାତ ଆସିବାର କୁକୀ ଓ ନାଗାମାନେ ଅଧିକ ଉଗ୍ରହୋଇ ୨୮ ଏପ୍ରିଲରେ ଚୁରଚାନ୍ଦପୁର ଠାରେ ୮ ଘଣ୍ଟା ବନ୍ଦ ପାଳନ କଲେ । ୩ ମେ ରେ ଆଦିବାସୀ ଏକତା ମୋର୍ଚ୍ଚା ସମୁଦାୟ ଏଥର ମାଡ ଖାଇଚୁପ ରହିଯିବା ଅବସ୍ଥାରେ ନଥିଲା ସେମାନେ ପ୍ରତି ଆକ୍ରମଣ କରିଦେଲେ । ମୈତେଇ ସମୁଦାୟ ଏଥର ମାଡ ଖାଇ ରହିଯିବା ଅବସ୍ଥାରେ ନଥିଲା, ସେମାନେ ପ୍ରତି ଆକ୍ରମଣ କରିଦେଲେ । ମଣିପୁରରେ ସାମାଜିକ ସଂଘର୍ଷ ତୀବ୍ର ରୂପ ନେଲା । ୫୦ରୁ ଅଧିକ ଲୋକ ହତ୍ୟାର ଶିକାର ହେଲେ ।
ମଣିପୁର ଉଚ୍ଚ ନ୍ୟାୟାଳୟ ରାୟ ସହିତ ବୀରେନ୍ଦ୍ର ସିଂ ସରକାର ଉଚ୍ଛେଦ କାର୍ଯ୍ୟ ନାଗା ଓ କୁକୀମାନଙ୍କୁ ହିଂସ୍ର ହେବା ପାଇଁ ଅଧିକ ଖୋରାକ ଯୋଗାଇଲେ । ପାହାଡ ଅଞ୍ଚଳରେ ଆତଙ୍କବାଦୀ ଗତିବିଧି ପାଇଁ ଗଞ୍ଜେଇ ଚାଷ ଅବାଧ ରୂପରେ ଚାଲି ଆସୁଥିଲା । ସରକାର ଠିକ୍ ସେହି ସମୟରେ ଅବୈଧ କବ୍ଚା ହଟେଇବା ସହ ଗଞ୍ଜେଇ ଚାଷ ଉପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଦେଲେ । ମଣିପୁର ବିଧାନସଭାରେ ୬୦ ବିଧାୟକଙ୍କ ଭିତରୁ ପାଖାପାଖି ୪୦ ଜଣ ମୈତେଇ ସମୁଦାୟର । ନାଗା ଓ କୁକୀମାନଙ୍କର ବିଶ୍ୱାସ ସରକାର ଉପରେ କମ କରିବାରେ ଏହି ସଂଖ୍ୟା ଗଣତି ସହାୟକ ହେଲା । ହିଂସା ଅଧିକ ତୀବ୍ର ରୂପ ନେଇନେଲା । ବାସ୍ତବରେ ଏହି ଲଢେଇ ଜନଜାତି ମାନ୍ୟତା ହରେଇଥିବା ଲୋକଙ୍କର ନ୍ୟାୟ ପାଇଁ ଲଢେଇ ବୋଲି କୁହାଯାଇପାରେ । ନିଜର ଅଧିକାର ପାଇଁ ଲଢେଇ ବୋଲି କୁହାଯିବ। ଅନ୍ୟ ଦୃଷ୍ଟିରୁ ଦେଖିଲେ ଏହା ଭାରତ ବିରୋଧୀ ଓ ଭାରତ ସପକ୍ଷବାଦୀଙ୍କ ଭିତରେ ଲଢେଇ ବୋଲି କୁହାଯାଇପାରେ ।
ପ୍ରଥମ ଥର ଭାରତକୁ ଭଲ ପାଉଥିବା ଲୋକଙ୍କର ନ୍ୟାୟିକ ବିଜୟ ହୋଇଛି । କିନ୍ତୁ କୁକୀମାନେ ହିଂସା ବଦଳରେ ଆନନ୍ଦ ମନରେ ଏହାକୁ ସ୍ୱୀକାର କରିଥିଲେ, ସମ୍ଭବତଃ ଏପରି ସମସ୍ୟା ଉପୁଜି ନଥାନ୍ତା । ଯେଉଁମାନେ ଜନଜାତି ମାନ୍ୟତା ପାଉଥିଲେ ଯଦି ନ୍ୟାୟାଳୟ ସେମାନଙ୍କୁ ପୂର୍ବ ଅଧିକାର ଫେରାଇ ଦେଲା ସେଥିରେ କୌଣସି ସମସ୍ୟା ହେବାକଥା ନୁହେଁ । ମୈତେଇ ମାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଅନୁସୂଚିତ ଜାତି, ପଛୁଆବର୍ଗ, ଅତି ପଛୁଆ ବର୍ଗରେ ସାମିଲ କରାଯାଇଛି ସତ୍ୟ କିନ୍ତୁ ସେମାନଙ୍କର ମୂଳ ଅଧିକାର ସେମାନଙ୍କୁ ମିଳିବା ଉଚିତ । ନିଜ ରାଜ୍ୟରେ ଭୂମିଗତ ଅଧିକାର ସମସ୍ତଙ୍କର ସମାନ ହେବା ଉଚିତ । ସପ୍ତମ ଶତାବ୍ଦୀରୁ ଚାଲି ଆସୁଥିବା ମୈତେଇମାନଙ୍କ ପରମ୍ପରାକୁ ଉଚ୍ଛେଦ କରିବା କେବେବି ଠିକ ବୋଲି କୁହାଯାଇ ପାରିବନାହିଁ ।
ଭାରତ ସରକାର ସଂଯମତାର ସହ ନିଆଁ ଲିଭାଇ ଲଢେଇକୁ କିଛି ଦିନ ପାଇଁ ଟାଳିଦେଇ ପାରିଛନ୍ତି । କିନ୍ତୁ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ନ୍ୟାୟାଳୟର ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ଉଚିତ । ମୈତେଇଙ୍କୁ ନ୍ୟାୟ ପ୍ରଦାନ କରି ୭୫ ବର୍ଷର ସଂଘର୍ଷକୁ ସମାପ୍ତ କରିବା ଉଚିତ ହେବ । ମଣିପୁର ଭାରତର ସୀମାନ୍ତ ରାଜ୍ୟ । ତେଣୁ ରାଜ୍ୟ ଶାନ୍ତି ଦେଶ ପାଇଁ ଅପରିହାର୍ଯ୍ୟ । ବିଦେଶୀ ଚକ୍ରାନ୍ତରେ ଶିକାର ହୋଇ ଭାରତ ବିରୋଧରେ ଅସ୍ତ୍ର ଉଠାଉ ଥିବା ନାଗା ଓ କୁକିମାନଙ୍କୁ ଅନୁକମ୍ପା ପ୍ରଦାନ କରିବାର କୌଣସି ଆବଶ୍ୟକତା ନାହିଁ । କିନ୍ତୁ କୁକୀମାନଙ୍କୁ ମୈତେଇମାନଙ୍କ ଠାରୁ ବିପଦର ସନ୍ଦେହକୁ ଦୂରୀଭୂତ କରି ବିଶ୍ୱାସର ବାତାବରଣ ନିର୍ମାଣ କରିବା ଉଚିତ । କାହାରି ଅଧିକାର ଛଡେଇ ନେବା ଉଚିତ ନୁହେଁ ।
ମଠ ସାହି, ଭଦ୍ରକ
ମୋ-୯୪୩୭୦୧୭୮୫୭
Comments are closed.