Latest Odisha News

BREAKING NEWS

ରାଫେଲ ଲଲିପପ୍‌

ବିଚିତ୍ର ବିଶ୍ୱାଳଙ୍କ ନିୟମିତ ସ୍ତମ୍ଭ: ‘ସମୟର ସ୍ୱର’…

ଗତ ଜୁଲାଇ ୨୯ରେ ପାଞ୍ଚୋଟି ରାଫେଲ ବିମାନ ଫ୍ରାନ୍ସରୁ ଆସି ଆମ ଦେଶରେ ପହଂଚିଛି। ଏହି ରାଫେଲ ବିମାନକୁ ନେଇ ଆମ ଦେଶର ଗଣମାଧ୍ୟମଙ୍କର ଉତ୍ସାହର ସୀମା ନାହିଁ। ଗଣମାଧ୍ୟମମାନେ, ଵିଶେଷ କରି ବୈଦ୍ୟୁତିକ ଗଣମାଧ୍ୟମମାନେ ଟିଭିରେ ଯେମିତି ଭାବେ ଓ ଯେତେ ସମୟ ରାଫେଲକୁ ଦେଖାଉଛନ୍ତି, ସତେ ଯେମିତି ଆସନ୍ତା ଦୁଇ ଚାରି ଦିନ ଭିତରେ ଯୁଦ୍ଧ ହୋଇଯିବ ଓ ଭାରତ ଏହି ରାଫେଲକୁ ଶତ୍ରୁ ଉପରେ ପ୍ରୟୋଗ କରିବ।

ଆମ ଗଣମାଧ୍ୟମର ଏପରି ଅବସ୍ଥା ଦେଖି ସତରେ ଭାରି ଦୟା ଲାଗୁଛି। ସାରା ଦେଶରେ ଏବେ ସମସ୍ୟା କଣ, ଲୋକମାନେ କେଉଁ ଅବସ୍ଥାରେ ଅଛନ୍ତି, ସେସବୁ ବିଷୟକୁ ଛାଡି, ଗଣମାଧ୍ୟମ ମାନେ ଲାଗିପଡି ରାଫେଲର ପ୍ରଚାର କରୁଛନ୍ତି। ଅନେକ ତ ଏହାକୁ ଏତେ ଆଗ୍ରହ ଓ ଉତ୍ତେଜନାର ସହ ପ୍ରଚାର କରୁଛନ୍ତି, ସତେ ଯେମିତି ସେମାନେ ଆସନ୍ତାକାଲି ରାଫେଲ ଧରି ଶତ୍ରୁ ଉପରେ ପ୍ରୟୋଗ କରିବାକୁ ମାଡ଼ି ଯିବେ! ବିଦେଶରୁ କିଣା ହୋଇଥିବା ପାଞ୍ଚୋଟି ଯୁଦ୍ଧ ବିମାନକୁ ନେଇ ଯଦି ଏତେ ଚର୍ଚ୍ଚା, ତାହେଲେ ଏହି ବିମାନ ଯଦି ଆମ ଦେଶରେ ତିଆରି ହୋଇଥାନ୍ତା, ତେବେ କେତେ ଚର୍ଚ୍ଚା ହୋଇନଥାନ୍ତା!

ରାଷ୍ଟ୍ରୀୟ ଉତ୍ସବ ପାଳନ ହୋଇଥାନ୍ତା ଓ ସରକାରୀ ଛୁଟି ଘୋଷଣା ହୋଇଥାନ୍ତା କି କଣ ! ବର୍ତ୍ତମାନର ମୋଦି ସରକାରଙ୍କର ଗଣମାଧ୍ୟମମାନଙ୍କ ସହିତ ଯେତେ ସୁନ୍ଦର ଓ ସଘନ ସମ୍ପର୍କ, ଏହି ରାଫେଲର ପ୍ରଚାର ପ୍ରସାର ଯେ ସରକାରଙ୍କ ପରୋକ୍ଷ ଇଛାରେ ହିଁ ହେଉଛି, ଏଥିରେ ତିଳେ ମାତ୍ର ସନ୍ଦେହ ରଖିବା କଥା ନୁହେଁ। ଠିକ ଭାବେ କହିଲେ, ସରକାରଙ୍କର ରାଫେଲ ପ୍ରାପ୍ତିର ଉତ୍ସାହ ହିଁ ଗଣମାଧ୍ୟମଙ୍କ ଦ୍ଵାରା ପ୍ରତିଫଳିତ ହେଉଛି।

ରାଫେଲକୁ ନେଇ ଗଣମାଧ୍ୟମ ଯେଉଁ ବୃଥା ଉତ୍ସାହ ତିଆରି କରୁଛି ଓ ଆମେ ଯେଉଁମାନେ ଟିଭି ପରଦା ଆଗରେ ବସି ମନେ ମନେ ଟିକେ ଗର୍ବ କରୁଛେ, ସତ କଥା ହେଉଛି, ଆଗାମୀ ଦୁଇ ବର୍ଷ କଣ, ଆସନ୍ତା କୋଡିଏ ବର୍ଷ ଭିତରେ ବି ଯୁଦ୍ଧ ହେବାର ନାହିଁ କି ରାଫେଲ ବ୍ୟବହାର ହେବାର ନାହିଁ। ହଁ, ଯୁଦ୍ଧର ଭାଷଣବାଜୀ ନିଶ୍ଚୟ ଚାଲିବ, ଟିଭିରେ ଡିବେଟ ବି ହେବ। କାରଣ ଭାଇମାନେ, ଯୁଦ୍ଧ କେବଳ ଶତ୍ରୁ ଦେଶ ବିରୁଦ୍ଧରେ ହୋଇନଥାଏ, ନିଜ ଲୋକଙ୍କ ମନକୁ ମୋହିବା ପାଇଁ ବି ଯୁଦ୍ଧର ମିଛ ଦୁନ୍ଦୁଭି ବଜାଯାଇଥାଏ। ଯୁଦ୍ଧର କଥା, ଯୁଦ୍ଧର ଫୁତ୍କାର ଏକ ସମ୍ମୋହନ। ଯେଉଁଥିରେ ସାଧାରଣ ଲୋକମାନେ ସହଜରେ ସମ୍ମୋହିତ ହୋଇ ବ୍ୟାଲଟର ସୁଇଚ ଟିପିଦିଅନ୍ତି। ସେଇ କାମ ଏବେ ମିଡିଆଵାଲାମାନେ କରୁଛନ୍ତି। ଏବେ ସବୁଆଡେ ଲକଡାଉନ । ଲୋକଙ୍କ ହାତରେ କାମ ନାହିଁ, ଦୋକାନ ବଜାର ବନ୍ଦ। ଅନେକ ଲୋକଙ୍କ ପାଖରେ ଆସନ୍ତାକାଲିର ଭାତିଆ ନାହିଁ। କିନ୍ତୁ ଗଣମାଧ୍ୟମକୁ ରାଫେଲର ସିଧା ପ୍ରସାରଣ ଓ ତାର ପ୍ରତ୍ୟେକଟି ଟିକିନିଖି ବିବରଣୀର ପଡ଼ିଛି । ତାହେଲେ ସିଧା କଥାଟିଏ ପଚରା ଯାଇପାରେ, ଏବେର ଗଣମାଧ୍ୟମମାନେ କାହା ପାଇଁ କାମ କରୁଛନ୍ତି !

ବର୍ତ୍ତମାନ ସମୟର ପରିସ୍ଥିତିକୁ ଦେଖିଲେ ବୁଝିହେଉଛି ଯେ, ନିକଟ ଭବିଷ୍ୟତରେ ଆଦୌ ବି ଯୁଦ୍ଧ ହେବାର ନାହିଁ। ଏହାର କାରଣ ନୁହେଁ ଯେ, ଦେଶମାନେ ଶାନ୍ତି ଚାହୁଁଛନ୍ତି। ଅସଲ କାରଣ ହେଉଛି, ଅଧିକାଂଶ ଦେଶଙ୍କ ପାଖରେ ପରମାଣୁ ଅସ୍ତ୍ର ମହଜୁଦ ଅଛି। ଇଏ ପ୍ରୟୋଗ କଲେ, ସିଏ ବି ପ୍ରୟୋଗ କରିବ। ଏ ଦେଶ ଧ୍ୱଂସ ହେବ, ସେ ଦେଶ ବି ଧ୍ୱଂସ ହେବ। ତେଣୁ କେହି କାହା ସହିତ ଯୁଦ୍ଧ କରିବାକୁ ଆଗଭର ହେବେ ନାହିଁ। ଏହା ହିଁ ସତ୍ୟ । କିନ୍ତୁ ପୁଣିଥରେ କହୁଛି, ଯୁଦ୍ଧର ଭାଷଣବାଜୀ ନିଶ୍ଚୟ ଚାଲିବ। କାରଣ ଯୁଦ୍ଧର ଆହ୍ୱାନ ବା ଭାଷଣବାଜୀ ସରକାରର ନିକମ୍ମାପଣକୁ ଲୁଚେଇଦିଏ ଓ ଲୋକଙ୍କୁ ଭୁଆଁ ବୁଲେଇବାରେ ସାହାଯ୍ୟ କରେ। ତେଣୁ ଗୋଟିଏ କଥା ମନେ ରଖିବାକୁ ହେବ, ଯେତେ ଯେତେ ଦେଶରେ ବେକାରୀ ବଢ଼ିବ, ଗରିବୀ ବଢ଼ିବ, ବିକାଶ ଦୂରକୁ ଦୂରକୁ ଯିବ, ସେତେ ସେତେ ଯୁଦ୍ଧର ମିଛ ଦୁନ୍ଦୁଭି ବାଜିବ। କାରଣ ଏଇ ଯୁଦ୍ଧ ହିଁ ଗୋଟିଏ ରାସ୍ତା ବଂଚିଥାଏ ଭୋଟ ହାତେଇବା ପାଇଁ।

ତାହେଲେ ଏଇ ରାଫେଲ କିଣା କି ପ୍ରତିରକ୍ଷା ଶକ୍ତି ବୃଦ୍ଧିର କଣ କିଛି ଲାଭ ନାହିଁ..? ଅଛି, ନିଶ୍ଚୟ ଅଛି। ଲାଭ ତା ଜାଗାରେ ଅଛି। କିନ୍ତୁ ଏ ମେଡିଆଵାଲାମାନେ ଯେମିତି ବଢ଼େଇ ଚଢେଇ ପ୍ରଚାର କରୁଛନ୍ତି, ସେସବୁ କେବଳ ମନଗଢା। ପ୍ରକୃତରେ ଏଇ ରାଫେଲ କିଣା ହେଉ କି ପ୍ରତିରକ୍ଷାର ଯେକୌଣସି ସାମଗ୍ରୀ କିଣାବିକା ହେଉ, ଏଥିରେ ଦେଶକୁ ଯେତିକି ଲାଭ ମିଳୁ କି ନ ମିଳୁ, ଅସଲ ଲାଭ ମିଳେ ଏସବୁ କିଣାବିକାରେ ଜଡ଼ିତ ଥିବା ଅଫିସର, କୁଜିନେତା ଓ ନେତାଙ୍କୁ। କାରଣ ପ୍ରତିରକ୍ଷା ଗୋଟେ ଗୋପନୀୟ ଜିନିଷ। କେତେ କିଣାହେଲା, କେଉଁ ଗୁଣମାନର କିଣା ହେଲା, ସେସବୁ ଲୋକଙ୍କୁ ଜଣା ହୁଏନି, ତେଣୁ ଏଥିରେ ଖାଲି ଲାଭ ହିଁ ଲାଭ।

ସେଇଥିପାଇଁ ସବୁ ସରକାର ଶିକ୍ଷା ଓ ସ୍ୱାସ୍ଥ୍ୟ ଅପେକ୍ଷା ପ୍ରତିରକ୍ଷାକୁ ବେଶୀ ମଜବୁତ କରିବାକୁ ଚାହାନ୍ତି। ଏଥିରେ ଡବଲ ଲାଭ। ଲୋକଙ୍କୁ ଟିକେ ଗରମ କରିହେବ ଓ ନିଜର ବି ପକେଟ ଗରମ ହେବ। ଯେଉଁମାନେ ଏବେ ନିୟମିତ ଭାବେ ଟିଭି ଦେଖୁଥିବେ, ସେମାନେ ଭାବୁଥିବେ ଯେମିତି ଏଇ ମାସେ ଦି ମାସ ଭିତରେ ଚୀନ ସହିତ ଯୁଦ୍ଧ ହୋଇଯିବ। ସେମିତି ହାଲ୍ଲା କରୁଛନ୍ତି ଟିଭି ଵାଲା ମାନେ। ବିତର୍କରେ ଦୁଇଭାଗ ହୋଇ ଭାରତ ଓ ଚୀନର ସାମରିକ ଶକ୍ତି ଆକଳନ ହେଉଛି, ଯୁଦ୍ଧ ସମ୍ପର୍କରେ ନେତାଙ୍କର ସାକ୍ଷାତକାର ଦେଖାହେଉଛି ଇତ୍ୟାଦି ଇତ୍ୟାଦି। ଟିଭି ଷ୍ଟୁଡିଓ ଯୁଦ୍ଧ କ୍ଷେତ୍ର ହୋଇଯାଇଛି। କିନ୍ତୁ ଗୋଟିଏ କଥା ଏଠାରେ ବିନା ଦ୍ୱନ୍ଦରେ ଭବିଷ୍ୟତ ବାଣୀ କରାଯାଇପାରେ ଯେ, ଆଗାମୀ ଦଶ ବର୍ଷ ଭିତରେ ବି ଭାରତ ଚୀନ ସହିତ ଯୁଦ୍ଧ ଲଢ଼ିବ ନାହିଁ। ତାହେଲେ ଏସବୁ ଯାତ୍ରା କଣ ପାଇଁ ଚାଲୁଛି। କାରଣ ସ୍ପଷ୍ଟ। ଏବେ ଲୋକମାନେ ଭୟଙ୍କର ସମସ୍ୟାରେ।

ଧୀରେ ଧୀରେ ସେମାନେ ସରକାରଙ୍କୁ ପ୍ରଶ୍ନ କରିବା ଆରମ୍ଭ କରିଦେଇପାରନ୍ତି। ତେଣୁ ଛୋଟ ପିଲାଙ୍କୁ ଯେପରି ଲଲିପପ ଦେଇ ଭୂତେଇ ଦିଆଯାଏ, ଲୋକମାନଙ୍କୁ ସେମିତି ସରକାର ଯୁଦ୍ଧର ଲଲିପପ୍‌ ଧରେଇ ଦେଉଛନ୍ତି। ନହେଲେ ସେମାନେ ପୁଣି ପଚାରିବେ, ନିଯୁକ୍ତି କାହିଁ ? ଅର୍ଥନୀତି ଦୁର୍ବଳ କାହିଁକି? ବିକାଶ କୁଆଡେ ଗଲା ? ଦରଦାମ ଏତେ ବଢୁଛି କାହିଁକି? କରୋନା ମୁକାବିଲାରେ ସରକାରଙ୍କ ଭୂମିକା କଣ? ପି.ଏମ. କେଆର ଫଣ୍ଡ ଅଡିଟ ହେବନି କାହିଁକି? ଏତେ ସବୁ ପ୍ରଶ୍ନର ଉତ୍ତର ଦେବା ଅପେକ୍ଷା, ଲୋକଙ୍କୁ ଯୁଦ୍ଧ ଓ ରାଫେଲ ଲଲୀପପ ଚୁଚୁମେଇ ଦିଅ। ବାସ ଏଇ କାମ ସରକାରଙ୍କ ସହିତ ମିଶି ଗଣମାଧ୍ୟମ ମାନେ ବି କରୁଛନ୍ତି ।

ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର-୭୫୪୧୩୮

Leave A Reply

Your email address will not be published.