Latest Odisha News

BREAKING NEWS

ଭାଇଚାରାର ସହର କଟକର ନିଆରା ରଘୁ ଦହିବରା…

କଟକ: ଦହିବରା-ଆଳୁଦମକୁ ଏକ ପାରମ୍ପରିକ ଓଡ଼ିଆ ଖାଦ୍ୟ କହିଲେ ଅତ୍ୟୁକ୍ତି ହେବ ନାହିଁ । ଓଡ଼ିଶାର ପ୍ରତ୍ୟେକ ସ୍ଥାନରେ ଏହା ଉପଲବ୍ଧ ହୋଇଥାଏ । ତେବେ କଟକର ଦହିବରା ଅନ୍ୟ ସମସ୍ତ ସ୍ଥାନର ଦହିବରା-ଆଲୁଦମ ଠାରୁ ନିଆରା ବୋଲି କୁହାଯାଏ ।

କଟକ ସହର ଦହିବରା-ଆଳୁଦମ ପାଇଁ ଖ୍ୟାତିଲାଭ କରିଛି । ବିଶେଷ କରି ବିଡ଼ାନାସୀର ରଘୁ ଦହିବରା-ଆଳୁଦମ ଏକ ପରିଚିତ ଦହିବରା ବିକ୍ରେତା ।

କଟକର ବିଡ଼ାନାସୀଠାରେ ରଘୁନାଥ ସାସମଲଙ୍କ ଉଠା ଦହିବରା ଆଳୁଦମ ଦୋକାନଟିଏ ରହିଛି । ଏହା ରଘୁ ଦହିବରା-ଆଳୁଦମ ନାମରେ ପରିଚିତ ।

ପ୍ରାୟ ଛଅ ଦଶନ୍ଧିରୁ ଉର୍ଦ୍ଧ୍ୱ ସମୟ ଧରି, ଏହି ବ୍ୟବସାୟରେ ଅଛନ୍ତି । ତାଙ୍କୁ ପନ୍ଦର ବର୍ଷ ହେଲାବେଳଠୁ, ସେ ଦହିବରା ବେପାର କରିଆସୁଛନ୍ତି । ବିଡ଼ାନାସୀ ଛକରେ ରଘୁ ସନ୍ଧ୍ୟା ୫.୩୦ ବେଳକୁ ଦହିବରା ଆଳୁଦମ ଏକ ଟ୍ରଲିରେ ଧରି ପହଞ୍ଚନ୍ତି । ସେ ଆସିବା ଆଗରୁ ଗ୍ରାହକମାନେ ତାଙ୍କୁ ଅପେକ୍ଷା କରି ରହିଥାନ୍ତି । ସବୁଦିନ ସେ ପ୍ରାୟ ୨୦୦ ଜଣଙ୍କ ପାଇଁ ଦହିବରା ପ୍ରସ୍ତୁତ କରିଥାନ୍ତି ।

ଶନିବାର, ରବିବାର ଓ ଛୁଟିଦିନରେ ଅଧିକ ୫୦ ଲୋକଙ୍କ ପାଇଁ ଦହିବରା ପ୍ରସ୍ତୁତ କରନ୍ତି । କଞ୍ଚା ଶାଳପତ୍ର ଠୁଙ୍ଗାରେ ଦହିବରା ଆଳୁଦମ ପରସା ଯାଏ । ଦହିବରା ଖାଇସାରିବା ପରେ ସେହି ଠୁଙ୍ଗାରେ ଦହିପାଣି ପିଇବାକୁ ଦିଆଯାଏ । ଖାଇସାରିବା ପରେ ପେଡ଼ାର ମଧ୍ୟ ବ୍ୟବସ୍ଥା ଥାଏ ।

୪୫ ମିନିଟରୁ ଏକ ଘଣ୍ଟା ମଧ୍ୟରେ ତାଙ୍କର ସବୁ ଦହିବରା ବିକ୍ରି ହୋଇଯାଏ । ନିଜ ଘରେ ଗାଇ ରଖି, ସେ ଦହି ପ୍ରସ୍ତୁତ କରିଥାନ୍ତି । ପୂର୍ବଦିନ ରାତି ବାରଟାରୁ ବିରି ବତୁରା ହୋଇ ସକାଳ ୯ଟାରେ ବରା ଛଣା ଆରମ୍ଭ ହୁଏ ଓ ଆଳୁଦମ ପ୍ରସ୍ତୁତ କରାଯାଏ ।

ତାଙ୍କ ୬୦ ବର୍ଷର ବେପାରକୁ ବଡ଼ପୁଅ କେଦାରନାଥ ଏବେ ସମ୍ଭାଳୁଛନ୍ତି। 

ଦହିବରା ପ୍ରସ୍ତୁତିରେ ତାଙ୍କର ପୁରା ପରିବାର ସହଯୋଗ କରନ୍ତି । ବିକ୍ରିବଟାରେ ପୁଅ ପୁତୁରା ମାନେ ମଧ୍ୟ ସହଯୋଗ କରନ୍ତି ।

୨୦୧୭ ମେ ମାସରେ ଦିଲ୍ଲୀଠାରେ ଅନୁଷ୍ଠିତ ଓଡ଼ିଶା ପର୍ବରେ ଯୋଗଦେଇ ଦହିବରା ଆଳୁଦମ ବେପାର କରିଥିଲେ ଏହି ରଘୁ ।

Leave A Reply

Your email address will not be published.