Latest Odisha News

ରାହୁଲଙ୍କ ଉପରେ ବର୍ଷିଲେ ବିଜେପି ସାଂସଦ ରବିଶଙ୍କର ପ୍ରସାଦ: କହିଲେ, ‘ବିଦେଶ ମାଟିରେ ବିଳାପ କରୁଛନ୍ତି ’

ନୂଆଦିଲ୍ଲୀ: ବିଦେଶରେ ଗର୍ଜୁଛନ୍ତି ବିରୋଧୀ ନେତା ରାହୁଲ ଗାନ୍ଧୀ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୋଧରେ ବର୍ଷୁଛନ୍ତି । ସଦସ୍ୟତା ରଦ୍ଦଠାରୁ ଆରମ୍ଭ କରି ଫୋନ ଟ୍ୟାପିଂ ପର୍ଯ୍ୟନ୍ତ ଏକାଧିକ ପ୍ରସଙ୍ଗକୁ  ବିଦେଶ ମାଟିରେ ଥୋଇ ସହାନଭୂତି ସାଉଁଟିବାକୁ ଚେଷ୍ଟା କରୁଛନ୍ତି ।

ଏବେ ରାହୁଲ ଗାନ୍ଧୀ ବିଦେଶ ଗସ୍ତରେ ଆମେରିକା ଯାଇଛନ୍ତି । ସେଠାରେ ୩ଟି ସହରରେ ତାଙ୍କର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ବୁଧବାର ସେ କାଲିଫର୍ଣ୍ଣିଆର ପ୍ରତିଷ୍ଠିତ ଷ୍ଟାନଫୋର୍ଡ ୟୁନିଭର୍ସିଟିକୁ ଯାଇ ସେଠାରେ ଛାତ୍ରଛାତ୍ରୀଙ୍କ ପ୍ରଶ୍ନର ଉତ୍ତର ଦେଇଥିଲେ।

ମାନହାନୀ ମାମଲାରେ ବିଦେଶରେ  ରାହୁଲ ଗାନ୍ଧୀ କହିଛନ୍ତି,  ମୁଁ ପ୍ରଥମ ବ୍ୟକ୍ତି ଯାହାଙ୍କୁ ମାନହାନୀ ମାମଲାରେ ସର୍ବାଧିକ ଦଣ୍ଡବିଧାନ ମିଳିଛି’  ।  ଷ୍ଟାନଫୋର୍ଡ ୟୁନିଭର୍ସିଟିରେ ଛାତ୍ରଛାତ୍ରୀଙ୍କୁ ସମ୍ବୋଧନ କରି ରାହୁଲ କହିଛନ୍ତି ଯେ ସେ କେବେ ଭାବି ନଥିଲେ ଯେ ସେ ପ୍ରଥମ ବ୍ୟକ୍ତି ହେବେ, ଯାହାଙ୍କୁ ମାନହାନୀ ମାମଲାରେ ଏତେବଡ଼ ଦଣ୍ଡ ମିଳିବ ଓ ଲୋକସଭା ସଦସ୍ୟତା ହରାଇବାକୁ ପଡ଼ିବ।

ସେତିକି ନୁହେଁ, ନିଜ ଦେଶରେ ତାଙ୍କର ଫୋନ ଟ୍ୟାପିଂ ହେଉଛି ବୋଲି ମଧ୍ୟ କହିଥିଲେ । ଏ ନେଇ ସେ ମୋଦି ସରକାରଙ୍କୁ କଟାକ୍ଷ କରିବା ସହ ଭରା ସଭାରେ ନିଜର ଆଇଫୋନ ବାହାରି କରି ‘ହାଲୋ..ମିଷ୍ଟର ମୋଦି’ ବୋଲି ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଥଟ୍ଟା କରିଥିଲେ ।

ବିଦେଶରେ ରାହୁଲଙ୍କ ଏପରି ବୟାନକୁ କଡ଼ା ସମାଲୋଚନା କରିଛନ୍ତି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ସାସଂଦ ରବିଶଙ୍କର ପ୍ରସାଦ । ସେ କହିଛନ୍ତି, ରାହୁଲ ଗାନ୍ଧୀ ସଂସ୍ଥାକୁ ସମ୍ମାନ କରନ୍ତିନି  । ତେଣୁ ବିଦେଶ ଯାଇ ବିଳାପ କରୁଛନ୍ତି । ରବିଶଙ୍କର ପ୍ରସାଦ କହିଛନ୍ତି, ଭଲ ପାଇବାର ବାର୍ତ୍ତା ଦେବା ଜାଗାରେ ରାହୁଲ ଘୃଣାର ବଜାର ଖୋଲୁଛନ୍ତି । ସେ ଭାରତର ବିକାଶକୁ ବିରୋଧ କରୁଛନ୍ତି । ମୋଦିଙ୍କ ବିକାଶ ବିରୋଧରେ ଅବିଶ୍ୱାସର ବଜାର ଖୋଲିଛନ୍ତି ରାହୁଲ ।

ବିଜେପି ସାଂସଦ କହିଛନ୍ତି, ରାହୁଲ ସାରା ବିଶ୍ୱରେ ବୁଲି ବୁଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଘୃଣା ବାଣ୍ଟୁଛନ୍ତି । ରାହୁଲ ଘୃଣାର ଦୋକାନ ଚଲାଇବାକୁ ବାହାରିଛନ୍ତି ବୋଲି ରବିଶଙ୍କର କଟାକ୍ଷ କରି କହିଛନ୍ତି ।

Leave A Reply

Your email address will not be published.