Latest Odisha News

ପାୱାର କଟ୍ ନୁହେଁ ଯାନ୍ତ୍ରିକ ତ୍ରୁଟି ପାଇଁ କଟୁଛି ଲାଇନ୍: ମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟବ୍ୟାପି ଅସହ୍ୟ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଥିବା ବେଳେ ବିଭିନ୍ନ ସ୍ଥାନରେ ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ୍ ରହୁ ନଥିବା ଅଭିଯୋଗ ହେଉଛି । ଯାହାକୁ ନେଇ ଜନ ଅସନ୍ତୋଷ ବୃଦ୍ଧି ପାଉଥିବା ବେଳେ ଶକ୍ତି ମନ୍ତ୍ରୀ ପ୍ରତାପ ଦେବ ପୁଣି ଥରେ କହିଛନ୍ତି ରାଜ୍ୟରେ ପାୱାର କଟ୍ ହେଉ ନାହିଁ ।

ଏବେ କଟୁଥିବା ଲାଇନ୍ ପାୱାର କଟ୍ ନୁହେଁ, ଯାନ୍ତ୍ରିକ ତ୍ରୁଟି ପାଇଁ ଲାଇନ୍ କଟୁଛି । ଯେଉଁ କିଛି ସ୍ଥାନରେ ୨ରୁ ୪ ଘଣ୍ଟା ଲାଇନ ରହୁନି, ତାହା ଯାନ୍ତ୍ରିକ ତ୍ରୁଟି । କାଳବୈଶାଖୀ, ଓଭରଲୋଡିଂ, ଟ୍ରାନ୍ସଫର୍ମର ପୋଡ଼ିଯିବାରୁ ଲାଇନ ଯାଉଛି କହି ଏହାକୁ ପାୱାର କଟ୍ ବୋଲି କହିବା ଗଣମାଧ୍ୟମର ବଡ଼ ଭୁଲ୍ ବୋଲି କହିଛନ୍ତି ଶକ୍ତି ମନ୍ତ୍ରୀ ।

ପାୱାର କଟର ସଜ୍ଞା ବୁଝାଇବାକୁ ଯାଇ ପ୍ରତାପ ଦେବ କହିଛନ୍ତି, ମୋ ପାଖରେ ଯଦି ଆବଶ୍ୟକତା ଅନୁସାରେ ବିଦ୍ୟୁତ୍ ନାହିଁ ଏବଂ ତାକୁ ବାଣ୍ଟିବାକୁ ଯାଇ ମୁଁ ୨ରୁ ୩ ଘଣ୍ଟା କାଟୁଛି, ତାକୁ ପାୱାର କଟ୍ କୁହାଯିବ । ଏବେ ଯେଉଁ ବହୁ ସ୍ଥାନରେ ଲାଇନ୍ ରହୁନି, ତାହା ଯାନ୍ତ୍ରିକ ତ୍ରୁଟି । ମରାମତି ପାଇଁ କେଉଁଠି ବିଦ୍ୟୁତ୍ ଯାଇଥିବ ମନା କରୁନି କିନ୍ତୁ ତାହା ପାୱାର କଟ୍ ନୁହେଁ ।

ଗତବର୍ଷ ଦର୍ଲିପାଲି ୪୧୦ ମେଗୱାଟ୍ ବିଦ୍ୟୁତ୍ ଉତ୍ପାଦନ ୫୦ ଦିନ ଯାଏ ବନ୍ଦ ହୋଇଥିଲା । ଯେଉଁଥିପାଇଁ ୧୫ ଦିନ ଯାଏ ପାୱାର କଟ୍ ହୋଇଥିଲା । ବିଧାନସଭାରେ ତଥ୍ୟ ଦେଇଥିଲି । ନିକଟରେ କେନ୍ଦ୍ର ଶକ୍ତିମନ୍ତ୍ରୀ ଓଡ଼ିଶା ସରକାରଙ୍କୁ ବିଦ୍ୟୁତ୍ ଯୋଗାଣ ପାଇଁ ପ୍ରଶଂସା କରିଥିବା କହି ବାହାବାହା ନେବାକୁ ଚେଷ୍ଟା କରିଛନ୍ତି ପ୍ରତାପ ଦେବ ।

କିନ୍ତୁ ପ୍ରତାପ ଦେବ କହୁଥିବା କେନ୍ଦ୍ର ପ୍ରଶଂସାକୁ ବିଦ୍ୟୁତ୍ କାଟର ସାମ୍ନା କରୁଥିବା ଲୋକେ ସହଜରେ ଗ୍ରହଣ କରିପାରୁ ନାହାନ୍ତି । ବିଦ୍ୟୁତ୍ ଉପଭୋକ୍ତା ପ୍ରଶ୍ନ କରିଛନ୍ତି, କାହିଁକି ବିଦ୍ୟୁତ୍ ଭିତ୍ତିଭୂମି ବଦଳୁନି । ଯଦି ଆପଣଙ୍କ ପାଖେ ଆବଶ୍ୟକ ବିଦ୍ୟୁତ୍ ଅଛି ତାହାଲେ କାହିଁକି ଓଭଲ ଲୋଡିଂ ଓ ଟ୍ରିପ୍ ହେଉଛି । ଏ ପ୍ରଶ୍ନର ଉତ୍ତର ମନ୍ତ୍ରୀଙ୍କୁ ମାଗିଛନ୍ତି ଜନତା ।

Leave A Reply

Your email address will not be published.