Latest Odisha News

BREAKING NEWS

ଭାରତ ଜିତିବା ପାଇଁ ରାହୁଲ କର୍ଣ୍ଣାଟକରେ ଦେଲେ ଗୃହଲକ୍ଷ୍ମୀ !

ଭୁବନେଶ୍ୱର: ଆଗାମୀ ନିର୍ବାଚନ ପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କର ଭିନ୍ନ ରଣନୀତି ଦେଖିବାକୁ ମିଳୁଛି। ଦେଶର ଚାରୋଟି ପ୍ରମୁଖ ରାଜ୍ୟର ନିର୍ବାଚନ ପାଇଁ ପ୍ରମୁଖ ଦଳର ବରିଷ୍ଠ ନେତାମାନେ ଜୋରଦାର ପ୍ରଚାର କରୁଥିବା ବେଳେ ରାହୁଲ କିନ୍ତୁ ଭିନ୍ନ ଷ୍ଟାଇଲରେ କାର୍ଯ୍ୟ କରୁଥିବା ଦେଖିବାକୁ ମିଳିଛି।

କର୍ଣ୍ଣାଟକ ନିର୍ବାଚନ କେବେଠୁ ଶେଷ ହୋଇ କଂଗ୍ରେସ ସରକାର ଗଢିଥିଲେ ମଧ୍ୟ ରାହୁଲ ଏବେ ବି କର୍ଣ୍ଣାଟକକୁ ଫୋକସ କରୁଛନ୍ତି। କର୍ଣ୍ଣାଟକ ମହୀଶୂରରେ ରାହୁଲ ଗାନ୍ଧୀ ଗୃହଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ କରିଛନ୍ତି।

କର୍ଣ୍ଣାଟକ ସରକାରଙ୍କ ଏହି ଯୋଜନାରେ ପରିବାରର ମହିଳା ମୁଖ୍ୟମାନଙ୍କୁ ମାସିକ ଦୁଇ ହଜାର ଟଙ୍କା ମିଳିବ। ଏହି କାର୍ଯ୍ୟକ୍ରମର ଉଦଘାଟନ ଉତ୍ସବରେ ରାହୁଲ ଗାନ୍ଧୀଙ୍କ ସମେତ କଂଗ୍ରେସ ଜାତୀୟ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଯୋଗ ଦେଇଥିଲେ।

ରାଜ୍ୟର ୧୦ ହଜାର ୪୦୦ ସ୍ଥାନରେ ଯୋଜନା ଏକାସାଙ୍ଗରେ ଆରମ୍ଭ କରାଯାଇଛି। କର୍ଣ୍ଣାଟକ ବିଧାନସଭା ନିର୍ବାଚନ ବେଳେ କଂଗ୍ରେସ ପାଞ୍ଚୋଟି ଗ୍ୟାରେଣ୍ଟି ଦେଇଥିଲା। ଯେଉଁଥିରେ ଗୃହଲକ୍ଷ୍ମୀ ଯୋଜନା ଏକ ପ୍ରମୁଖ ଯୋଜନା ଥିଲା।

ନିର୍ବାଚନରେ କଂଗ୍ରେସ ଦଳ ଓ ନେତାମାନେ ଯାହା କୁହନ୍ତି ତାହା କାର୍ଯ୍ୟରେ କରି ଦେଖାନ୍ତି ବୋଲି ରାହୁଲ କହିଛନ୍ତି। କେବଳ ଯୁବ ନିଧିକୁ ଛାଡିଲେ ଏ ଯାଏ କଂଗ୍ରେସ ପକ୍ଷରୁ ଦିଆଯାଇଥିବା ଅନ୍ୟ ଯୋଜନା କଂଗ୍ରେସ ସରକାର କାର୍ଯ୍ୟକାରୀ କରିସାରିଥିବା କୁହାଯାଇଛି।

ଗୃହଲକ୍ଷ୍ମୀ ଯୋଜନାରେ ରାଜ୍ୟର ଏକ କୋଟିରୁ ଅଧିକ ପରିବାରର ମହିଳା ମୁଖ୍ୟଙ୍କୁ ଦୁଇ ହଜାର ଟଙ୍କା ଦିଆଯାଇଛି। ତେଣୁ ଏଭଳି କାର୍ଯ୍ୟକ୍ରମରେ ରାହୁଲ ଗାନ୍ଧୀ ଯୋଗ ଦେବାକୁ ନେଇ ଚର୍ଚ୍ଚା ଜୋର ଧରିଛି।

କିନ୍ତୁ ରାହୁଲ ଆଗାମୀ ଲୋକସଭା ନିର୍ବାଚନକୁ ଆଖି ଆଗରେ ରଖି ଏଭଳି କରୁଥିବା ଚର୍ଚ୍ଚା ହେଉଛି। ଏପରିକି ଅନ୍ୟ ରାଜ୍ୟରେ ହେବାକୁ ଥିବା ନିର୍ବାଚନ ପୂର୍ବରୁ ରାହୁଲ କର୍ଣ୍ଣାଟକରୁ କଂଗ୍ରେସର ଗ୍ୟାରେଣ୍ଟି ପୁରଣର ବାର୍ତ୍ତା ଦେବାକୁ ଚାହୁଁଥିବା କୁହାଯାଉଛି।

ସେଥିପାଇଁ ନିର୍ବାଚନ ହେବାକୁ ଥିବା ବିଭିନ୍ନ ରାଜ୍ୟରେ ପ୍ରଚାର କରି ପ୍ରତିଶ୍ରୁତି ଦେବା ବଦଳରେ କର୍ଣ୍ଣାଟକର ଯୋଜନା କାର୍ଯ୍ୟକାରୀ କରୁଛନ୍ତି ରାହୁଲ। ଯାହାକୁ ତାଙ୍କ ରଣନୀତିର ଏକ ଅଂଶ ବୋଲି କୁହାଯାଉଛି।

କଂଗ୍ରେସ ଯେ କେବଳ ପ୍ରତିଶ୍ରୁତି ଦେଇ ଭୁଲିଯାଏନି ବରଂ ଯାହା କହିଥାଏ ତାହା ପୂରଣ କରେ ବୋଲି କର୍ଣ୍ଣାଟକରୁ ରାହୁଲ ବାର୍ତ୍ତା ଦେଇଥିବା ଆଲୋଚନା ହେଉଛି।

Leave A Reply

Your email address will not be published.