Latest Odisha News

BREAKING NEWS

“ମୋଦି ବର୍ଷକ ମଧ୍ୟରେ ଯିବେ” ବୟାନ ପୁଣି ଦୋହରାଇଲେ ରାହୁଲ ଗାନ୍ଧୀ, ନିଜ ଦଳର ଭୁଲ୍ ରହିଲା କେଉଁଠି ମାନିଲେ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ କରିଥିବା ନିଜ ବୟାନ ପୁଣି ଦୋହରାଇଛନ୍ତି ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ଦିଲ୍ଲୀରେ କଂଗ୍ରେସ ଅନୁସୂଚିତ ଜାତି ବିଭାଗର ଏକ ବୈଠକରେ ରାହୁଲ କହିଛନ୍ତି ଯେ, “ମୋଦି ଜି ବର୍ଷକ ମଧ୍ୟରେ ଯିବାକୁ ଯାଉଛନ୍ତି।” ଏହି ବୟାନକୁ ନେଇ ଆଗରୁ ବିଜେପି ତୀବ୍ର ପ୍ରତିକ୍ରିୟା ଦେଇଥିବା ବେଳେ, ରାହୁଲ ପୁଣି ସେହି କଥା କହି ରାଜନୈତିକ ଚର୍ଚ୍ଚାକୁ ଖୋରାକ ବଢ଼ାଇଛନ୍ତି।

ଏହି ବୈଠକ କଂଗ୍ରେସ ଅନୁସୂଚିତ ଜାତି ବିଭାଗର ଜାତୀୟ ଅଧ୍ୟକ୍ଷ ରାଜେନ୍ଦ୍ର ପାଲ ଗୌତମଙ୍କ ଡାକରେ ହୋଇଥିଲା। ଏଥିରେ ରାହୁଲ ଗାନ୍ଧୀ ପ୍ରମୁଖ ଭାବେ ଯୋଗ ଦେଇଥିଲେ। ବୈଠକର ମୁଖ୍ୟ ଫୋକସ୍ ଥିଲା ଦଳିତ ସମୁଦାୟ ମଧ୍ୟରେ କଂଗ୍ରେସ ସଂଗଠନକୁ ମଜବୁତ କରିବା, ଜମିସ୍ତରରେ ଦଳର ପହଞ୍ଚ ବଢ଼ାଇବା ଓ ସାମାଜିକ ନ୍ୟାୟ ନେଇ ନୂଆ ରଣନୀତି ତିଆରି କରିବା।

ସୂତ୍ର ଅନୁସାରେ, ବୈଠକରେ ରାହୁଲ କହିଥିଲେ ଯେ, ୧୯୮୦ ଓ ୧୯୯୦ ଦଶକରେ ଯଦି କଂଗ୍ରେସ ଅନୁସୂଚିତ ଜାତି ସମୁଦାୟ ଉପରେ ଅଧିକ ଧ୍ୟାନ ଦେଇଥାନ୍ତା, ତେବେ ଅନେକ ଅଞ୍ଚଳରେ ଆଞ୍ଚଳିକ ଦଳ ଶକ୍ତିଶାଳୀ ହୋଇପାରିନଥାନ୍ତେ। ଏହି କଥାକୁ ସମାଜବାଦୀ ପାର୍ଟି, ବହୁଜନ ସମାଜ ପାର୍ଟି, ଆରଜେଡି ଓ ଜେଡିୟୁ ଭଳି ଆଞ୍ଚଳିକ ଦଳ ସନ୍ଦର୍ଭରେ ଦେଖାଯାଉଛି।

ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅର୍ଥନୀତି ପ୍ରସଙ୍ଗରେ ମଧ୍ୟ ଘେରିଥିଲେ। ତାଙ୍କ କହିବା ଅନୁସାରେ, ବଢ଼ୁଥିବା ଦର ଦାମ ବୃଦ୍ଧି, ବେରୋଜଗାର ଓ ଆମେରିକା ସହ ହୋଇଥିବା ଟ୍ରେଡ୍ ଡିଲ୍ ଭଳି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ “ଏକ୍ସପୋଜ୍” ହୋଇସାରିଛନ୍ତି। ରାହୁଲଙ୍କ ଏହି ବୟାନକୁ ନେଇ ବିଜେପି ପକ୍ଷରୁ ଆଗରୁ କଡ଼ା ଜବାବ ଦିଆଯାଇଛି। ବିଜେପି କହିଛି ଯେ, ସରକାର ସ୍ଥିର ଅଛି ଓ ଏହାକୁ କେହି ହଲାଇ ପାରିବେ ନାହିଁ।

ବୈଠକରେ କଂଗ୍ରେସ ସଂଗଠନ ଓ କଂଗ୍ରେସ ଶାସିତ ରାଜ୍ୟ ସରକାରମାନଙ୍କ ମଧ୍ୟରେ ଦଳିତ ଭାଗିଦାରି ବଢ଼ାଇବା ଉପରେ ଜୋର ଦିଆଯାଇଛି। ଯେଉଁ ରାଜ୍ୟରେ କଂଗ୍ରେସ ସରକାର ଅଛି, ସେଠାରେ ସରକାର ଓ ସଂଗଠନ ଦୁଇ ସ୍ତରରେ ଅନୁସୂଚିତ ଜାତି ସମୁଦାୟକୁ ଅଧିକ ପ୍ରତିନିଧିତ୍ୱ ଦେବା ନେଇ ଆଲୋଚନା ହୋଇଛି। ଏହି ବୈଠକରେ ଦକ୍ଷିଣ ଭାରତର ୧୫ଟି ରାଜ୍ୟର ୩୮୦ ଜିଲ୍ଲା ଅଧ୍ୟକ୍ଷ ଓ ପ୍ରତିନିଧି ଯୋଗ ଦେଇଥିଲେ।

Leave A Reply

Your email address will not be published.