Latest Odisha News

BREAKING NEWS

ଚକ୍ରବ୍ୟୁହରେ ରାହୁଲ, ଘେରିଛନ୍ତି ସପ୍ତରଥୀ, ବାହାରିପାରିବେ ତ?

ଭୁବନେଶ୍ୱର: ଗୋଟିଏ ପ୍ରସଙ୍ଗରେ ସଦସ୍ୟ ପଦ ହରାଇଥିବା ରାହୁଲଙ୍କୁ ଏବେ ଚାରିଆଡୁ ବିପଦ ଘୋଟି ଆସିଛି। ସୁରଟ କୋର୍ଟଙ୍କ ଦଣ୍ଡବିଧାନ ପରେ ସଦସ୍ୟ ପଦ ହରାଇଥିବା ରାହୁଲଙ୍କୁ ପାଟନା କୋର୍ଟ ସମନ କରିଛନ୍ତି। ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦିଙ୍କ ପକ୍ଷରୁ କରାଯାଇଥିବା ମାନହାନି ମକଦ୍ଦମା ଆଧାରରେ ଏହି ସମନ ହୋଇଛି।

ରାହୁଲଙ୍କ ସମସ୍ୟା ଏତିକିରେ ଥମିନାହିଁ। ଆରଏସଏସକୁ ଏକବିଂଶ ଶତାବ୍ଦୀର କୌରବ କହି ଆଉ ଏକ ବିବାଦରେ ଫସିଛନ୍ତି ରାହୁଲ। ଭାରତ ଯୋଡୋ ଯାତ୍ରା ସମୟରେ କୁରୁକ୍ଷେତ୍ରରେ ଏହି ଟିପ୍ପଣୀ ଦେଇଥିଲେ ରାହୁଲ। ଯେଉଁଥିପାଇଁ ହରିଦ୍ୱାର କୋର୍ଟରେ ମାନହାନୀ ମାମଲା ରୁଜୁ ହୋଇଛି। ଆସନ୍ତା ଏପ୍ରିଲ ୧୨ ତାରିଖରେ କୋର୍ଟ ଏହି ମାମଲାର ଶୁଣାଣି କରିବେ।

ମୋଦି ସାଙ୍ଗିଆ ମନ୍ତବ୍ୟକୁ ନେଇ ରାହୁଲଙ୍କ ଜେଲ ଦଣ୍ଡାଦେଶ ସହ ଲୋକସଭା ସଦସ୍ୟ ପଦ ରଦ୍ଦ ହୋଇଛି। ଠିକ ଏହା ପରେ ପରେ ରାହୁଲ ଗୋଟିଏ ପରେ ଗୋଟିଏ ବିବାଦରେ ଛନ୍ଦି ହୋଇପଡୁଛନ୍ତି। ସଦସ୍ୟତା ରଦ୍ଦ ପ୍ରସଙ୍ଗରେ ରାହୁଲ କଣ ଆଇନଗତ ପଦକ୍ଷେପ ନେବେ ସେ ନେଇ ଏଯାଏ ସ୍ପଷ୍ଟ ହୋଇ ନ ଥିବା ବେଳେ ଏବେ ଆହୁରି ଅଧିକ ମାମଲାକୁ ନେଇ ଚର୍ଚ୍ଚା ଜୋର ଧରିଛି। ତେଣୁ ଏଭଳି ସ୍ଥିତିରେ ରାହୁଲଙ୍କ ରାଜନୈତିକ ଭବିଷ୍ୟତ କଣ ହେବ ତାକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି।

ସେପଟେ ଅନ୍ୟ ମାମଲାରେ କଣ ସବୁ ରାୟ ଆସିବ ତାକୁ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। କିନ୍ତୁ ରାହୁଲଙ୍କ ବିରୋଧରେ ହେଉଥିବା କାର୍ଯ୍ୟାନୁଷ୍ଠାନକୁ ଲୋକେ ଉଦେଶ୍ୟମୂଳକ ବୋଲି କହିବା ସହ ବିଜେପିକୁ ଦୋଷ ଦେଉଛନ୍ତି। ବିଜେପି ଏସବୁକୁ ଆଇନଗତ କାର୍ଯ୍ୟାନୁଷ୍ଠାନ କହିବା ସହ କଂଗ୍ରେସକୁ ଟାର୍ଗେଟ କରୁଥିଲେ ମଧ୍ୟ ବିଜେପିର ଏ ସବୁ କଥାକୁ ସାଧାରଣ ଲୋକେ ଗ୍ରହଣ କରୁ ନ ଥିବା ଚର୍ଚ୍ଚା ହେଉଛି।

ସେପଟେ ଅଧିକ ସମସ୍ୟା ଭିତରକୁ ଟାଣି ହୋଇଯାଉଥିବା ରାହୁଲ ଓ କଂଗ୍ରେସ କିନ୍ତୁ ଏସବୁକୁ ନ ଡରିବାକୁ ଯୋଜନା କରି ଆଗାମୀ ରଣନୀତି ପ୍ରସ୍ତୁତ କରୁଛନ୍ତି। ରାହୁଲଙ୍କ ସମେତ ବିରୋଧୀଙ୍କ ସ୍ୱରକୁ ଚାପିବା ପାଇଁ ଏ ସବୁ କରାଯାଉଥିବା ଅଭିଯୋଗ ହେଉଛି। ଏପରିକି କଂଗ୍ରେସର ନେତା , କାର୍ଯ୍ୟକର୍ତା ଓ କର୍ମୀମାନେ ଦେଶବ୍ୟାପୀ ନିଜର ସାମାଜିକ ଗଣମାଧ୍ୟମରେ ରାହୁଲଙ୍କ ଫଟୋ ସହ ଡରୋ ମତ ସ୍ଲୋଗାନ ଲେଖୁଥିବା ଦେଖିବାକୁ ମିଳିଛି।

ଟ୍ୱିଟରଠୁ ଆରମ୍ଭ କରି ଅନ୍ୟାନ୍ୟ ସାମାଜିକ ଗଣମାଧ୍ୟମରେ କଂଗ୍ରେସ ନେତାଙ୍କ ପ୍ରୋଫାଇଲ ଫଟୋ ସହ ବିଭିନ୍ନ ଜାଗାରେ ଏହି ସ୍ଲୋଗାନ ଓ ଫଟୋ ଦେଖିବାକୁ ମିଳୁଛି। ଏପରିକି କଂଗ୍ରେସର ବିଭିନ୍ନ ରାଜ୍ୟର ପିସିସି, ମହିଳା କଂଗ୍ରେସ, ଯୁବ ଓ ଛାତ୍ର କଂଗ୍ରେସର ସାମାଜିକ ଗଣମାଧ୍ୟମ ଆକାଉଣ୍ଟରେ ଏହା ଦେଖିବାକୁ ମିଳିଛି। ସମସ୍ୟାକୁ ସୁଯୋଗରେ ପରିଣତ କରିବାକୁ ସବୁ ଶକ୍ତି ଲଗାଇଛି କଂଗ୍ରେସ। ଲୋକଙ୍କ ସମର୍ଥନ ମଧ୍ୟ ରାହୁଲଙ୍କୁ ମିଳୁଛି।

ତେଣୁ ଏହା ରାହୁଲଙ୍କୁ ଆହୁରି ଶକ୍ତି ଯୋଗାଉଥିବା ଆଲୋଚନା ହେଉଛି। ରାହୁଲ ଗାନ୍ଧୀ ଯେଉଁ ଚକ୍ରବ୍ୟୁହ ଭିତରେ ଫସିଛନ୍ତି ସେଥିରୁ ବାହାରିବାକୁ ସେ ସବୁ ଯୋଜନା କରୁଛନ୍ତି ବୋଲି କୁହାଯାଉଛି। ଗୋଟିଏ ପରେ ଗୋଟିଏ ସମସ୍ୟା ରାହୁଲଙ୍କ ପାଇଁ ଆସୁଥିବା ବେଳେ ଜନ ସମର୍ଥନକୁ ପାଥେୟ କରି ରାହୁଲ ଏସବୁକୁ ଅତିକ୍ରମ କରିବା ସହ ଆଗକୁ କେତେ ସଫଳ ହେବେ ତା ଉପରେ ନଜର।

Leave A Reply

Your email address will not be published.