Latest Odisha News

BREAKING NEWS

ମଧ୍ୟପ୍ରଦେଶରେ କଂଗ୍ରେସକୁ ହରାଇବାକୁ ବିଜେପିର ‘ଆମେଥି ପ୍ଲାନ’

ଭୁବନେଶ୍ୱର: ମଧ୍ୟପ୍ରଦେଶ ପାଇଁ ବଢିଛି ବିଜେପିର ଚିନ୍ତା। ରାଜ୍ୟର ବିଧାନସଭା ନିର୍ବାଚନ ପାଖେଇ ଆସୁଥିବାରୁ ଦଳ କିଭଳି ଶାସନକୁ ଫେରିବ ସେ ନେଇ ଚିନ୍ତା ବଢିଛି। ସେଥିପାଇଁ ଦଳ ଏକ ବଡ଼ ଯୋଜନା କରୁଥିବା ଜଣାପଡ଼ିଛି।

ମଧ୍ୟପ୍ରଦେଶରେ କଂଗ୍ରେସର ପ୍ରମୁଖ ଦମଦାର ନେତାଙ୍କ ଉପରେ ଆଖି ପକାଇଛି ବିଜେପି। ଏ ସବୁ ନେତାଙ୍କୁ ହରାଇବା ପାଇଁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଓ ବିଜେପି ରାଜ୍ୟ ସଭାପତି ବି ଡ଼ି ଶର୍ମା ମିଳିତ ବୈଠକ କରି ଏକ ବଡ଼ ଯୋଜନା କରିଥିବା କୁହାଯାଉଛି।

ଏହି ଯୋଜନା ଅନୁଯାୟୀ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ମଧ୍ୟପ୍ରଦେଶ ପିସିସି ସଭାପତି କମଲନାଥ, ବିରୋଧି ଦଳ ନେତା ଗୋବିନ୍ଦ ସିଂ, ପୂର୍ବତନ ମନ୍ତ୍ରୀ ଜିତୁ ପଟୱାରୀ, ସଜ୍ଜନ ସିଂ ବର୍ମା, କମଲେଶ୍ୱର ପଟେଲ, ବିଜୟଲକ୍ଷ୍ମୀ ସାଧୋଙ୍କ ସମେତ ଅନ୍ୟ କିଛି ପ୍ରମୁଖ ନେତାଙ୍କୁ ଟାର୍ଗେଟ କରିଛି ଦଳ।

ସମ୍ପୃକ୍ତ ଟାଣୁଆ କଂଗ୍ରେସ ନେତାଙ୍କୁ ସେମାନଙ୍କ ସିଟରେ ଘେରିବାକୁ ଦଳ ରଣନୀତି ପ୍ରସ୍ତୁତ କରିଛି। ଏସବୁ ସିଟରେ ଦଳ ଆମେଥି ପ୍ଲାନ ଲାଗୁ କରିବାକୁ ଯୋଜନା କରୁଛି। ଯେଉଁ ପ୍ଲାନ ଅନୁଯାୟୀ ୨୦୧୯ ମସିହା ଲୋକସଭା ନିର୍ବାଚନରେ ଦଳ ରାହୁଲ ଗାନ୍ଧୀଙ୍କୁ ହରାଇଥିଲା ସେହି ପ୍ଲାନରେ ମଧ୍ୟପ୍ରଦେଶରେ ପ୍ରମୁଖ କଂଗ୍ରେସ ନେତାଙ୍କୁ ହରାଇବାକୁ ଦଳ ବଡ଼ ଗେମପ୍ଲାନ ପ୍ରସ୍ତୁତ କରୁଥିବା ଚର୍ଚ୍ଚା ହେଉଛି।

ଏ ସବୁ ସିଟରେ ବିଜେପି ନିଜର ଟାଣୁଆ ଓ ଲୋକପ୍ରିୟ ନେତାଙ୍କୁ ଓଲ୍ହାଇ ଦଳ ସପକ୍ଷରେ ବାତାବରଣ ତିଆରି କରିବ। ଏଥିସହିତ କଂଗ୍ରେସ ନେତାମାନେ ବିକାଶ ପାଇଁ କଣ କାମ କରିଛନ୍ତି ସେସବୁ ବିଷୟକୁ ନେଇ ବିଜେପି ସ୍ୱତନ୍ତ୍ର କ୍ୟାମ୍ପେନ ଚଳାଇବ ବୋଲି କୁହାଯାଉଛି।

ଗୋଟିଏ ପଟେ କଂଗ୍ରେସର ବରିଷ୍ଠ ନେତାଙ୍କୁ ମାତ ଦେବାକୁ ବିଜେପି ଯୋଜନା କରୁଥିବା ବେଳେ ସେପଟେ ନିଜ ଦଳରେ ବିଦ୍ରୋହୀଙ୍କ ସଂଖ୍ୟା ବଢିବାରେ ଲାଗିଛି। ସିନ୍ଧିଆ ଗୋଷ୍ଠୀ ଓ ବିଜେପିର ପୁରୁଣା ଗୋଷ୍ଠୀଙ୍କ ମଧ୍ୟରେ ବିବାଦ ତୀବ୍ର ହେଉଥିବା ଚର୍ଚ୍ଚା ହେଉଛି।

ପୂର୍ବତନ ମୁଖ୍ୟମନ୍ତ୍ରୀ କୈଳାସ ଯୋଶୀଙ୍କ ପୁଅ ତଥା ମଧ୍ୟପ୍ରଦେଶରେ ପୂର୍ବତନ ମନ୍ତ୍ରୀ ଦୀପକ ଯୋଶୀ କଂଗ୍ରେସରେ ମିଶିବା ନେଇ ସ୍ପଷ୍ଟ କରିସାରିଛନ୍ତି। ବିଜେପିର ବହୁ ବରିଷ୍ଠ ନେତା ତାଙ୍କୁ ରୋକିବାକୁ ଉଦ୍ୟମ କରୁଥିଲେ ମଧ୍ୟ ସେ ବୁଝୁ ନ ଥିବା ଜଣାପଡିଛି।

ଏପରିକି ଦୀପକ ଯୋଶୀଙ୍କୁ ମନାଇବା ପାଇଁ ମଧ୍ୟପ୍ରଦେଶ ବିଜେପି ପ୍ରଭାରୀ ମୁରଲୀଧର ରାଓ ଦିଲ୍ଲୀରୁ ଇନ୍ଦୋର ଯାଇଛନ୍ତି। କେବଳ ଦୀପକ ନୁହଁନ୍ତି ଅନ୍ୟ ପ୍ରମୁଖ ନେତା ଭମ୍ବର ସିଂହ ଶେଖାୱତ ମଧ୍ୟ ବିଦ୍ରୋହ କରିବା ମୁଡ଼ରେ ଥିବା କୁହାଯାଉଛି। ଅନ୍ୟ କିଛି ନେତା ମଧ୍ୟ ଦଳ ଉପରେ ନିଜର ଅସନ୍ତୋଷ ଝାଡୁଛନ୍ତି।

ଯାହାକୁ ନେଇ ଦଳୀୟ ନେତୃତ୍ୱଙ୍କ ଚିନ୍ତା ବଢିଛି। ଗୋଟିଏ ପଟେ ଦଳ କଂଗ୍ରେସକୁ ପ୍ରତିହତ କରିବାର ପ୍ଲାନ ତିଆରି କରୁଥିବା ବେଳେ ସେପଟେ ଖୋଦ ନିଜ ଦଳର ପ୍ରମୁଖ ନେତାମାନେ ବିଜେପି ମୁଣ୍ଡ ବିନ୍ଧାର କାରଣ ସାଜିଛନ୍ତି।

Leave A Reply

Your email address will not be published.