Latest Odisha News

BREAKING NEWS

ଲଦାଖରେ ମ୍ୟାଚ ଦେଖିଲେ, ବାଇକ ଚଳାଇଲେ, ବିଜେପି ଉପରେ ବର୍ଷିଲେ ରାହୁଲ

ଭୁବନେଶ୍ୱର: ନିଜର ଲଦାଖ ଗସ୍ତ ଅବସରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ପୁଣିଥରେ ବିଜେପି ଓ ଆରଏସଏସକୁ ଟାର୍ଗେଟ କରିଛନ୍ତି। ଲେହ ଠାରେ ଯୁବ ବର୍ଗଙ୍କ ସହ ଆଲୋଚନା ବେଳେ ଭାରତ ସ୍ୱାଧୀନତାର ମୂଳଦୁଆ ସମ୍ବିଧାନ ବୋଲି ରାହୁଲ କହିଛନ୍ତି।

ସାମ୍ବିଧାନିକ ଵ୍ୟଵସ୍ଥା ଅନୁଯାୟୀ ବିଭିନ୍ନ ଅନୁଷ୍ଠାନ ସମ୍ବିଧାନର ନିୟମକୁ କାର୍ଯ୍ୟକାରୀ କରିଥାନ୍ତି। ଲୋକସଭା, ରାଜ୍ୟସଭା, ଯୋଜନା କମିଶନ ଆଦିର ଉଦାହରଣ ଦେଇ ରାହୁଲ କହିଛନ୍ତି କି ବର୍ତ୍ତମାନ ବିଜେପି ଓ ଆରଏସଏସ ନିଜ ଲୋକମାନଙ୍କୁ ଏସବୁ ଅନୁଷ୍ଠାନର ପ୍ରମୁଖ ପଦରେ ରଖୁଛି।

ଯେଉଁଥିପାଇଁ କେନ୍ଦ୍ର ସରକାରରେ ବିଭିନ୍ନ ବିଭାଗର ମନ୍ତ୍ରୀମାନେ ବିଭାଗୀୟ ନିଷ୍ପତ୍ତି ନେବା ବଦଳରେ ଏସବୁ ଅଧିକାରୀ ମାନେ ନେଉଥିବା ରାହୁଲ କହିଛନ୍ତି। ଲଦାଖ ଗସ୍ତ ଅବସରରେ ରାହୁଲ ଏଭଳି ଢଙ୍ଗରେ ବିଜେପିକୁ ଟାର୍ଗେଟ କରିଛନ୍ତି।

ଜାମ୍ମୁ କାଶ୍ମୀରକୁ ଅଲଗା କରାଯାଇ ଲଦାଖକୁ ଏକ କେନ୍ଦ୍ରଶାସିତ ଅଞ୍ଚଳ କରାଯିବା ପରେ ଏହା ଲଦାଖକୁ ରାହୁଲଙ୍କ ପ୍ରଥମ ଗସ୍ତ। ତେଣୁ ନିଜର ଏହି ଗସ୍ତ ସମୟରେ ଚିରାଚରିତ ଢଙ୍ଗରେ ସାମ୍ବିଧାନିକ ବିଧି ବ୍ୟବସ୍ଥା ଉପରେ ବିଜେପିର ନିୟନ୍ତ୍ରଣ ପ୍ରସଙ୍ଗକୁ ନେଇ ରାହୁଲ ଟାର୍ଗେଟ କରିବା ରାଜନୈତିକ ଚର୍ଚ୍ଚାକୁ ଆହୁରି ବଢାଇଦେଇଛି।

ଖାଲି ସେତିକି ନିହେଁ ରାହୁଲ ଏହି ଗସ୍ତ ସମୟରେ ସାଧାରଣ ଲୋକଙ୍କ ସହ ମିଶିବା କାର୍ଯ୍ୟକୁ ଜାରି ରଖିଛନ୍ତି। ଲେହରେ ଆୟୋଜିତ ଏକ ଫୁଟବଲ ମ୍ୟାଚକୁ ଲୋକଙ୍କ ସହ ରାହୁଲ ଉପଭୋଗ କରୁଥିବା ଦେଖିବାକୁ ମିଳିଛି।

ଲୋକଙ୍କ ସହ ବସି ସେ ମ୍ୟାଚ ଦେଖିବା ସହ ଖେଳାଳିଙ୍କୁ ଉତ୍ସାହିତ କରିବା ଦେଖିବାକୁ ମିଳିଥିଲା। ମ୍ୟାଚ ସମୟରେ ସାଧାରଣ ଲୋକେ ରାହୁଲଙ୍କ ସହ ସେଲ୍ଫି ମଧ୍ୟ ନେଉଥିବା ଦେଖିବାକୁ ମିଳିଛି।

ସେପଟେ ରାହୁଲଙ୍କ ଦୁଇ ଦିନିଆ ଲଦାଖ ଗସ୍ତକୁ ଚଳିତ ମାସ ୨୫ ତାରିଖ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଥିବା କୁହାଯାଉଛି। ରାହୁଲ ଗାନ୍ଧୀଙ୍କ ବାପା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଜନ୍ମଦିନକୁ ୨୦ ତାରିଖରେ ପାନଗୋଙ୍ଗରେ ପାଳନ କରାଯିବ ବୋଲି ସୂଚନା ମିଳିଛି।

ଏହି ଅବସରରେ ସେ କାର୍ଗିଲ ମେମୋରିଆଲ ଗସ୍ତ କରିବା ସହ ଯୁବକମାନଙ୍କୁ ଭେଟିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି। କାର୍ଗିଲ କାଉନସିଲ ନିର୍ବାଚନ ପାଇଁ ଅଗଷ୍ଟ ୨୫ ତାରିଖରେ ହେବାକୁ ଥିବା ଲଦାଖ ସ୍ବୟଂଶାସିତ ହିଲ ଡେଭଲପମେଣ୍ଟ କାଉନସିଲ ବୈଠକରେ ରାହୁଲ ଯୋଗ ଦେବେ। ସେପ୍ଟେମ୍ବର ୧୦ ତାରିଖରେ ହେବାକୁ ଥିବା କାର୍ଗିଲ କାଉନସିଲ ନିର୍ବାଚନ ପାଇଁ ବିଜେପି ବିରୋଧରେ ନ୍ୟାସନାଲ କନ୍ଫରେନ୍ସ ଓ କଂଗ୍ରେସ ମଧ୍ୟରେ ମେଣ୍ଟ ହୋଇଛି।

ଲଦାଖ ଗସ୍ତରେ ରାହୁଲଙ୍କ ବାଇକ ଯାତ୍ରାକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି। ଲଦାଖର ପାନଗୋଙ୍ଗ ହ୍ରଦକୁ ରାହୁଲ ବାଇକ ମାଧ୍ୟମରେ ଯାତ୍ରା କରିଛନ୍ତି। ଭାରତ ଯୋଡୋ ଯାତ୍ରା ପରେ ରାହୁଲ ବିଭିନ୍ନ ବର୍ଗର ଲୋକଙ୍କ ସହ ମିଶିବା ଓ ତୃଣମୂଳ ସ୍ତରକୁ ଯିବା କାର୍ଯ୍ୟକୁ ବ୍ୟାପକ କରିଛନ୍ତି।

ଏହି ଆଧାରରେ ଲଦାଖ ଗସ୍ତରେ ରାହୁଲ ଲୋକଙ୍କ ସହ ମିଶିବା ଓ ତୃଣମୂଳ ସ୍ତରରେ ନିଜକୁ ସାମିଲ କରିବା ରାଜନୈତିକ ଚର୍ଚ୍ଚାକୁ ଆହୁରି ବଢ଼ାଇ ଦେଇଛି। ଲଦାଖ ଗସ୍ତରେ ରାହୁଲ ପୁଣିଥରେ ବିଜେପିକୁ ଟାର୍ଗେଟ କରିବା ଆରମ୍ଭ କରିଥିବାରୁ ଆଗକୁ ତାଙ୍କର ୟୁରୋପ ଗସ୍ତକୁ ନେଇ ଆଗୁଆ ଚର୍ଚ୍ଚା ଆରମ୍ଭ ହୋଇଛି।

Leave A Reply

Your email address will not be published.