Latest Odisha News

BREAKING NEWS

ନୟାଗଡ-ଦଶପଲ୍ଲାକୁ ଖୁବଶୀଘ୍ର ରେଳସେବା, ରେଳ ଅଧିକାରୀ ଆସି କଲେ ସମୀକ୍ଷା

ଦଶପଲ୍ଲା: ରେଳ ସଂଯୋଗ ପାଇଁ ଦଶପଲ୍ଲାବାସୀଙ୍କ ଦୀର୍ଘ ଦିନର ପ୍ରତୀକ୍ଷାର ଅନ୍ତ ଘଟିବା ସହ ଷ୍ଟେସନ ଓ ରେଳପଥ ନିର୍ମାଣ କାମ ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।

ରେଳ ସୁରକ୍ଷା କମିଶନର ଏ. ଏମ୍. ଚୌଧୁରୀ ଓ ଖୋର୍ଦ୍ଧା ଡିଆରଏମ ଏଚ୍. ଏସ୍. ବାଜଓ୍ୱା ବୁଧବାର ଏକ ସ୍ୱତନ୍ତ୍ର ଟ୍ରେନରେ ଦଶପଲ୍ଲା ଷ୍ଟେସନ ପରିଦର୍ଶନ କରି ନୂଆଗାଁରୁ ଦଶପଲ୍ଲାକୁ ସଂଯୋଗ କରୁଥିବା ରେଳ ପ୍ରକଳ୍ପର ସମୀକ୍ଷା କରିଥିଲେ।

ଏତଦ ବ୍ୟତୀତ ଏହି ଦୁଇ ବରିଷ୍ଠ ରେଳ ଅଧିକାରୀ ସେମାନଙ୍କ ଗସ୍ତ ସମୟରେ ଦଶପଲ୍ଲା ଷ୍ଟେସନର ପ୍ୟାନେଲ ରୁମ୍ ଓ ଲୁପ୍ ଲାଇନ୍ ଯାଞ୍ଚ କରିଥିଲେ। ସମୀକ୍ଷା କାମ ପରେ ବରିଷ୍ଠ ଅଧିକାରୀମାନେ ରେଳ ମନ୍ତ୍ରାଳୟକୁ ଏକ ବିସ୍ତୃତ ରିପୋର୍ଟ ପ୍ରଦାନ କରିବେ, ଯାହା ପରେ ଟ୍ରେନ୍ ସେବା ଆରମ୍ଭ ପାଇଁ ତାରିଖ ସ୍ଥିର କରାଯିବ ବୋଲି ସୂତ୍ରରୁ ଜଣାପଡ଼ିଛି।

ଦଶପଲ୍ଲାକୁ ଖୁବ୍ ଶୀଘ୍ର ରେଳ ସଂଯୋଗ ମିଳିବ ବୋଲି ଆମେ ଆଶାବାଦୀ। ବରିଷ୍ଠ ଅଧିକାରୀମାନେ ରିପୋର୍ଟ ଦେବା ପରେ ପୂର୍ବତଟ ରେଳପଥ ତାରିଖ ଚୂଡ଼ାନ୍ତ କରିବ ବୋଲି ଷ୍ଟେସନ ମାଷ୍ଟର ଅଜୟ କୁମାର ମହାପାତ୍ର କହିଛନ୍ତି।

ସେ କହିଛନ୍ତି, ରେଲଓ୍ବେ ସୁରକ୍ଷା କମିଶନର ଷ୍ଟେସନ ପରିଦର୍ଶନ କରିଛନ୍ତି ଏବଂ ଏହା ଏକ ବାଧ୍ୟତାମୂଳକ ଯାଞ୍ଚ। ରେଳ ପ୍ରକଳ୍ପର ସମୀକ୍ଷା କରିବା ପରେ ସେ ତାଙ୍କର ମତାମତ ଦେବେ। ଯଦି ପ୍ରକଳ୍ପରେ କିଛି ଅଭାବ ରହିଛି, ତା’ହେଲେ ଆବଶ୍ୟକ ପଦକ୍ଷେପ ନିଆଯିବ ଏବଂ ଟ୍ରେନ୍ ସେବା ଆରମ୍ଭ ହେବ ବୋଲି ଖୋର୍ଦ୍ଧା ଡିଆରଏମ୍ ଏଚ୍ଏସ୍ ବାଜଓ୍ବା କହିଛନ୍ତି।

Leave A Reply

Your email address will not be published.