Latest Odisha News

BREAKING NEWS

‘ଭିଡ ଥିବା ଟ୍ରେନରୁ ଯାତ୍ରୀ ଖସିପଡ଼ିଲେ କ୍ଷତିପୂରଣ ଦେବ ରେଳ ବିଭାଗ’

ମୁମ୍ବାଇ: ଭିଡ ଥିବା ଟ୍ରେନରୁ ଯାତ୍ରୀ ଖସପଡି ଦୁର୍ଘଟଣାର ଶିକାର ହେଲେ କ୍ଷତିପୂରଣ ଦେବ ରେଳ ବିଭାଗ । ଏପରି ଏକ ନିର୍ଦ୍ଦେଶ ଦେଇଛନ୍ତି ବମ୍ବେ ହାଇକୋର୍ଟ । ଜଷ୍ଟିସ ଭାରତୀ ଡାଙ୍ଗରେ ଏପରି ଏକ ନିର୍ଦ୍ଦେଶ ଦେଇଛନ୍ତି । ଜଣେ ଯାତ୍ରୀ ଟ୍ରେନରୁ ଖସିପଡିବା ପରେ ଗୋଡରେ ଆଘାତ ଲାଗିଥିଲା । ଏହାପରେ ସେ କ୍ଷତିପୂରଣ ଆବେଦନ କରିଥିଲେ । ମାମଲା ହାଇକୋର୍ଟରେ ପହଞ୍ଚିବା ପରେ ବିଚାରପତି ରେଳ ବିଭାଗକୁ ୩ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଭାରତୀୟଙ୍କ ଲାଇଫ୍ ଲାଇନ୍ ବା ଜୀବନଯାତ୍ରା ସହ ଟ୍ରେନ ଜଡିତ । କମ୍ ପଇସାରେ ଶୀଘ୍ର ଏବଂ ସୁରକ୍ଷିତ ପହଂଚିବାର ମାଧ୍ୟମ ହେଉଛି ଟ୍ରେନ । ସାଧାରଣ ସହର ତୁଳନାରେ ମେଟ୍ରୋ ସହରରେ ଟ୍ରେନ ଉପରେ ଅଧିକ ଲୋକ ନିର୍ଭର କରନ୍ତି । ନିକଟରେ ମୁମ୍ବାଇର ଜଣେ ୭୫ ବର୍ଷୀୟ ବୃଦ୍ଧ ଟ୍ରେନରୁ ଖସିପଡ଼ିବାରୁ ତାଙ୍କ ଗୋଡରେ ଆଘତ ଲାଗିଥିଲା। ଏହାପରେ ସେ କ୍ଷତିପୂରଣ ଦେବାକୁ ଦାବି କରିଥିଲେ । ଏମିତିକି ମାମଲା ହାଇକୋର୍ଟରେ ପହଞ୍ଚିଥିଲା ।  ମୁମ୍ବାଇର ଓ୍ୱେଷ୍ଟର୍ଣ୍ଣ ରେଳବାଇ ପକ୍ଷ ରଖି କହିଥିଲେ ରେଳବାଇ ଅଧିନିୟମର ଧାରା ୧୨୪ (ଏ) ର ଧାରାରେ ଆସୁନାହିଁ । ଏହି ଧାରାରେ କୁହାଯାଇଛି ଯେ ଅଘଟଣ ଘଟଣାରେ କ୍ଷତିପୂରଣ ଦେବାକୁ ପଡିବ। ଏଥିରେ ଦାବି କରାଯାଇଛି ଯେ ଆବେଦନକାରୀ ନିତିନ ହୁଣ୍ଡିୱାଲା ଚଳନ୍ତା ଟ୍ରେନରେ ଚଢିବାକୁ ଚେଷ୍ଟା କରିବା ବେଳେ ଖସିପଡିଛନ୍ତି। ତେଣୁ ଏଥିରେ ରେଳ ବିଭାଗର କୌଣସି ତ୍ରୁଟି ନାହିଁ।

ବିଚାପତି ଡାଙ୍ଗରେ କିନ୍ତୁ ରେଳବାଇର ଯୁକ୍ତିକୁ ଗ୍ରହଣ କରିବାକୁ ମନା କରିଦେଇଛନ୍ତି ଏବଂ ଆଇନର ଧାରା ୧୨୪ (ଏ) ଅନୁଯାୟୀ ଏହା ଅଘଟଣରେ ଯିବ । ଯଦି ଦୈନନ୍ଦିନ କାମରେ ଜଣେ ଯାତ୍ରୀ ଅତ୍ୟଧିକ ଜନଗହଳିପୂର୍ଣ୍ଣ ଟ୍ରେନରେ ପ୍ରବେଶ କରିବାକୁ ଚେଷ୍ଟା କରନ୍ତି ଏବଂ ଅନ୍ୟ ଯାତ୍ରୀଙ୍କ ଦ୍ୱାରା ଠେଲାପେଲାର ଶିକାର ହୋଇ ଖସି ପଡନ୍ତି ବା ଦୁର୍ଘଟଣାର ଶିକାର ହୁଅନ୍ତି ତାହେଲେ କାହିଁକି ଏହି ମାମଲା ଅଘଟଣରେ ଯିବ ନାହିଁ ବୋଲି ବିଚାପତି କହିଥିଲେ।

ତେଣୁ ରେଳବାଇ ଅଧିନିୟମର ଧାରା ୧୨୪ (ଏ)ର ଅନୁଯାୟୀ ଆହତ ଯାତ୍ରୀଙ୍କୁ କିମ୍ବା ଅଘଟଣର ଶିକାର ହୋଇଥିଲେ ସମ୍ପୃକ୍ତ ଯାତ୍ରୀଙ୍କ କ୍ଷତିପୂରଣ ଦେବାକୁ ହେବ।

ଉଲ୍ଲେଖଯୋଗ୍ୟ, ଆହତ ଯାତ୍ରୀ ହୁଣ୍ଡିୱାଲା ଜୁଲାଇ ୨୦୧୩ରେ ରେଳବାଇ ଟ୍ରିବ୍ୟୁନାଲରେ ପାସ ହୋଇଥିବା ଏପରି ଏକ ଅର୍ଡରକୁ ଆଧାର କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଆହତ ଯାତ୍ରୀଙ୍କ ଆବେଦନ ଅନୁଯାୟୀ, ଘଟଣା ଦିନ ସେ ଦାଦର ରେଳ ଷ୍ଟେସନରୁ ଏକ ଭିଡ ଟ୍ରେନରେ ଯାଉଥିଲେ। ତାଙ୍କ କମ୍ପାର୍ଟମେଣ୍ଟରେ ପ୍ରବଳ ଭିଡ ଥିଲା। ସେ ଗେଟ ପାଖରେ ଥିବା ଧାରରେ ଛିଡା ହୋଇଥିବାରୁ ଭାରସାମ୍ୟ ହରାଇ ଚଳନ୍ତା ଟ୍ରେନରୁ ଖସିପଡିବାରୁ ତାଙ୍କ ମୁଣ୍ଡ ଓ ଗୋଡରେ ଆଘାତ ଲାଗିଥିଲା। ସେ ଏଯାବତ ଦୁର୍ଘଟଣା ହେତୁ ଯନ୍ତ୍ରଣା ଭୋଗୁଛନ୍ତି ଏବଂ ଚାଲିବା ଏବଂ ଓଜନ ଜିନିଷ ଉଠାଇବାରେ ତାଙ୍କୁ ଅସୁବିଧା ହେଉଛି।

କିନ୍ତୁ ଓ୍ୱେଷ୍ଟର୍ଣ୍ଣ ରେଳବାଇ ଯୁକ୍ତି ରଖିଥିଲା ଯେ ଯାତ୍ରୀ ଜଣଙ୍କ ଚଳନ୍ତା ଟ୍ରେନରେ ଚଢ଼ିବାକୁ ଚେଷ୍ଟା କରିବା ବେଳେ ଖସିପଡିବାରୁ ଆହତ ହୋଇଥିଲେ।

Leave A Reply

Your email address will not be published.